ନୂଆଦିଲ୍ଲୀ: ନଭେମ୍ବର ୯ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲା ସମ୍ପର୍କିତ ସୁପ୍ରିମ୍କୋର୍ଟଙ୍କ ରାୟ ବିରୋଧରେ ଆଗତ ହୋଇଥିବା ସମସ୍ତ ରିଭ୍ୟୁ ଆବେଦନ ଖାରଜ ହୋଇଛି। ଗୁରୁବାର ସୁପ୍ରିମ୍କୋର୍ଟ ଏହି ମାମଲା ସବୁକୁ ଖାରଜ କରିଛନ୍ତି। ଅବାଦନକାରୀଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ମୁସଲିମ୍ସ ପର୍ସନାଲ ଲ’ ବୋର୍ଡ ଏବଂ ନିର୍ମୋହି ଆଖଡ଼ା ମଧ୍ୟ ଥିଲେ।
ଆଜି ପ୍ରଧାନବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏସ୍ ଏ ନାଜୀର୍ ଏବଂ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଧ୍ୟ ଥିଲେ। ତେବେ ଏହି ରାୟ ଆସିବା ସମୟରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଖଣ୍ଡପୀଠର ସଦସ୍ୟ ନଥିଲେ। ଏହି ସମୟରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ପ୍ରଧାନବିଚାରପତି ଦାୟିତ୍ୱରେ ଥିଲେ, ଯେକି ଏହି ରାୟର ଅଳ୍ପ କିଛି ଦିନ ପରେ ଅବସର ନେଇଛନ୍ତି।
ଆବେଦନକାରୀମାନେ ଏଥିରେ ଦର୍ଶାଇଥିଲେ, ଆମେ ଶାନ୍ତି ଭଙ୍ଗ ଚାହୁଁନାହୁଁ, କିନ୍ତୁ ଆମକୁ ନ୍ୟାୟ ଦରକାର। ମୁସଲିମ୍ ପକ୍ଷ କହିଥିଲେ, ଏହି ମାମଲା ପ୍ରତି ସେମାନଙ୍କର ଯଥେଷ୍ଟ ସମ୍ମାନ ରହିଛି। ସେମାନେ ଶାନ୍ତିରକ୍ଷା କରିଆସିଛନ୍ତି। କିନ୍ତୁ ସେମାନେ ହିଂସା ଏବଂ ଅନୁଚିତ ପଦକ୍ଷେପର ଶିକାର ହୋଇଥିବା ଦର୍ଶଇଛନ୍ତି। ଏହି ରିଭ୍ୟୁ ଆବେଦନ ଜଷ୍ଟିସ୍ ବା ନ୍ୟାୟ ମାଗିବାର ଏକ ଅଙ୍ଗ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ନିର୍ମୋହି ଆଖଡ଼ା ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା ରାୟ ପରେ ସେମାନଙ୍କ ଭୂମିକା କ’ଣ ରହିବ। ସୂଚନାଯୋଗ୍ୟ ଯେ, ରାମ ଲାଲାଙ୍କ ମନ୍ଦିର ପାଇଁ ଗଠିତ ହେବାକୁ ଥିବା ଟ୍ରଷ୍ଟରେ ଆଖଡ଼ାର ପ୍ରତିନିଧିତ୍ୱ ରହିବ ବୋଲି ପୂର୍ବରୁ କୁହାଯାଇଛି। ବର୍ତ୍ତମାନ ରିଭ୍ୟୁ ସବୁ ଖାରଜ ହୋଇଯିବା ପରେ ଆବେଦନକାରୀଙ୍କ ପାଖରେ କ୍ୟୁରେଟିଭ୍ ପିଟିସନ୍ର ବିକଳ୍ପ ରହିଛି।
ତତ୍କାଳୀନ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଦେଇଥିବା ରାୟରେ ବିବାଦୀ ୨.୭୭ ଏକର ଜମି ରାମ ଲାଲାଙ୍କୁ ମିଳିଛି। ଅନ୍ୟପକ୍ଷରେ ସୁନ୍ନି ୱାକ୍ଫ ବୋର୍ଡ ଏକ ପ୍ରମୁଖ ସ୍ଥାନରେ ମସଜିଦ୍ ନିର୍ମାଣ କରିବା ପାଇଁ ୫ ଏକର ଜମି ଦେବାକୁ ସରକାରଙ୍କୁ କୁହାଯାଇଛି।
ଏହି ରାୟ ପରେ ମୋଟ ୧୮ଟି ରିଭ୍ୟୁ ଆବେଦନ ହୋଇଥିଲା। ତନ୍ମଧ୍ୟରୁ ୯ଟି ପୂର୍ବରୁ ମାମଲାର ପକ୍ଷ ଥିବା ପିଟିସନର୍ ଆବେଦନ କରିଥିଲେ। ଅନ୍ୟ ୯ଟି ତୃତୀୟପକ୍ଷ ବା ଥାର୍ଡ ପାର୍ଟିଙ୍କ ଆବେଦନ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।