ରାଫେଲ ଡିଲ୍‌ ପ୍ରସଙ୍ଗ: ୨ ଘଣ୍ଟାର ବିତର୍କ ପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଡିଲ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଗତ ସାନି ପିଟିସନ୍‌ର ଶୁଣାଣି ସମୟରେ ଆବେଦନକାରୀ ଏବଂ କେନ୍ଦ୍ରର ଓକିଲଙ୍କ ମଧ୍ୟରେ ଘମାଘୋଟ ଯୁକ୍ତିତର୍କ ହୋଇଛି। ଦୀର୍ଘ ୨ ଘଣ୍ଟା କାଳ ଉଭୟ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଡିସେମ୍ବର ୧୪ରେ କେନ୍ଦ୍ରକୁ ରାଫେଲ ଡିଲ୍‌ ମାମଲାରେ ଦେଇଥିବା କ୍ଲିନ୍‌ଚିଟ୍‌ ରାୟକୁ ପୁଃନ ବିଚାର ପାଇଁ ହୋଇଥିବା ଆବେଦନ ଉପରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାକୁ ସଂରକ୍ଷିତ […]

swa

Hemant Lenka
  • Published: Friday, 10 May 2019
  • , Updated: 10 May 2019, 06:26 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଡିଲ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଗତ ସାନି ପିଟିସନ୍‌ର ଶୁଣାଣି ସମୟରେ ଆବେଦନକାରୀ ଏବଂ କେନ୍ଦ୍ରର ଓକିଲଙ୍କ ମଧ୍ୟରେ ଘମାଘୋଟ ଯୁକ୍ତିତର୍କ ହୋଇଛି। ଦୀର୍ଘ ୨ ଘଣ୍ଟା କାଳ ଉଭୟ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଡିସେମ୍ବର ୧୪ରେ କେନ୍ଦ୍ରକୁ ରାଫେଲ ଡିଲ୍‌ ମାମଲାରେ ଦେଇଥିବା କ୍ଲିନ୍‌ଚିଟ୍‌ ରାୟକୁ ପୁଃନ ବିଚାର ପାଇଁ ହୋଇଥିବା ଆବେଦନ ଉପରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାକୁ ସଂରକ୍ଷିତ ରଖିଛନ୍ତି।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ ଜଷ୍ଟିସ୍‌ କେଏମ ଯୋଜେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା।  ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ମାମଲାର ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କୋର୍ଟଙ୍କ ଆଗରେ ନିଜର ଯୁକ୍ତି ରଖି କହିଥିଲେ ଯେ “ରାଫେଲ ଡିଲ୍‌ ହେଉଛି ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ। ଏଭଳି ଏକ ପ୍ରସଙ୍ଗ ବିଶ୍ୱର କୌଣସି କୋର୍ଟରେ ଆଲୋଚନା ହୁଏନାହିଁ। ରାଫେଲ ଡିଲ୍‌ କୌଣସି ଅଳଙ୍କାର ନୁହେଁ ଯେ ଏହାକୁ ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରାଯିବ।

ଆମ ସମସ୍ତଙ୍କ ସୁରକ୍ଷା ପାଇଁ ଏହା ଅପରିହାର୍ଯ୍ୟ। ମୁଁ କାହିଁକି ଭାବୁନି ଏମିତି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ବିଶ୍ୱର କୌଣସି ସ୍ଥାନରେ କୋର୍ଟକୁ ଅଣାଯାଇଥିବ। ରାଫେଲ ଡିଲ୍‌ର ଦର ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ଏଗ୍ରିମେଣ୍ଟର ଧାରା ୧୦ ଦ୍ୱାରା ଅନୁବନ୍ଧିତ ହୋଇଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ଏଗ୍ରିମେଣ୍ଟ ଅନୁଯାୟୀ ଦର ସାର୍ବଜନୀନ କରାଯାଇ ପାରିବ ନାହିଁ।

କୋର୍ଟ ମଧ୍ୟ ରାଫେଲର ଦର ନୁହେଁ, ବରଂ କେଉଁ ଆଧାରରେ ଡିଲ୍‌ ହୋଇଛି ତା’ର ତଥ୍ୟ ମାଗିଥିଲେ। ସରକାର ଏହାର ତଥ୍ୟ ଦେଇଛନ୍ତି। ସିଏଜି ତାଙ୍କ ରିପୋର୍ଟରେ ନୂଆ ରାଫେଲ ଡିଲ୍‌ ଶସ୍ତା ଥିବା କଥା କହି ସାରିଛନ୍ତି। ତେଣୁ ଅଫିସିଆଲ ସିକ୍ରେଟ୍‌ ଆଇନ୍‌କୁ ପାଳନ କରାଯାଇଛି। ଏସବୁକୁ ବିଚାରକୁ ନେଇ ରିଭ୍ୟୁ ପିଟିସନ୍‌ ଖାରଜ କରାଯାଉ।”

ଅନ୍ୟପକ୍ଷରେ ରିଭ୍ୟୁ ପିଟିସନ୍‌ ଦାଏର କରିଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ,“ପ୍ରଥମେ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଆମେ ଡିଲ୍‌ ରଦ୍ଦ କରିବାକୁ କହୁନାହୁଁ। ବରଂ ଏହି ଡିଲ୍‌ରେ ଅନିୟମିତତା ହୋଇଥିବାରୁ ଏକ ଏଫ୍‌ଆଇଆର ରୁଜୁ କରିବା ସହ ତଦନ୍ତ ପାଇଁ କମିଟି ଗଠନ କରାଯାଉ।

ପିଏମଓଙ୍କ କାର୍ଯ୍ୟାଳୟ ସିଧାସଳଖ ଏହି ଡିଲ୍‌ରେ କାହିଁକି ହସ୍ତକ୍ଷେପ କରିଥିଲା? ୩ ଜଣିଆ ନେଗୋସିଏସନ୍‌ କମିଟି ଡିଲ୍‌କୁ ନେଇ ଆପତ୍ତି ଉଠାଇଥିଲେ। ତଥାପି ପ୍ରଧାନମନ୍ତ୍ରୀ ନିଜେ ଏହି ଡିଲ୍‌କୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଏହାର ତଥ୍ୟ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।”

କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜର ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ। ତେବେ ସମସ୍ତ ପକ୍ଷଙ୍କୁ ୨ ସପ୍ତାହ ମଧ୍ୟ ଲିଖିତ ଭାବେ ନିଜର ପକ୍ଷ ରଖିବାକୁ କୋର୍ଟ କହିଛନ୍ତି।

ଭାରତ ସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ୫୯ ହଜାର କୋଟି ଟଙ୍କାର ଡିଲ୍‌ କରିଛନ୍ତି। ତେବେ ଏହି ଡିଲ୍‌ରେ ବ୍ୟାପକ ହେରଫେର ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Related story