ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଆଇନଗତ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଗୋଟିଏ ପଟେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ଆର୍ଥିକ କାରବାରକୁ ନେଇ ଇଡି ଖୋଳତାଡ଼ ଜାରି ରଖିଛି। ସୁପ୍ରିମକୋର୍ଟ ଆଜି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ବାପା କେକେ ସିଂହଙ୍କ ପକ୍ଷ ଶୁଣିବା ପରେ ମାମଲାକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟରେ ରିୟା କହିଥିଲେ ଯେ ସେ ସୁଶାନ୍ତଙ୍କୁ ବହୁତ […]

g

Hemant Lenka
  • Published: Tuesday, 11 August 2020
  • , Updated: 11 August 2020, 08:03 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଆଇନଗତ ଲଢ଼େଇ ଜୋରଦାର ହେବାରେ ଲାଗିଛି। ଗୋଟିଏ ପଟେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ଆର୍ଥିକ କାରବାରକୁ ନେଇ ଇଡି ଖୋଳତାଡ଼ ଜାରି ରଖିଛି। ସୁପ୍ରିମକୋର୍ଟ ଆଜି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ବାପା କେକେ ସିଂହଙ୍କ ପକ୍ଷ ଶୁଣିବା ପରେ ମାମଲାକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି।

ଶୁଣାଣି ବେଳେ କୋର୍ଟରେ ରିୟା କହିଥିଲେ ଯେ ସେ ସୁଶାନ୍ତଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କୁ କାହିଁକି ଦୋଷୀ ଭଳି ଆଚରଣ କରାଯାଉଛି? ବିହାର ପୁଲିସ୍‌ ରାଜନୀତିକ ଦୃଷ୍ଟିକୋଣରୁ ଏଫଆଇଆର ରୁଜୁ କରିଛି। ଏଭଳି ଏତଲାର କିଛି ମାନେନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରି ମାମଲାର ତଦନ୍ତ ମୁମ୍ବାଇ ସ୍ଥାନାନ୍ତର କରିବାକୁ କହିଛନ୍ତି।

ବିହାର ପାଟନାରୁ ମୁମ୍ବାଇକୁ ମାମଲା ସ୍ଥାନାନ୍ତର ପାଇଁ ରିୟା ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟରେ ଯୁକ୍ତି ବେଳେ ରିୟା କହିଥିଲେ ଯେ, ପାଟନାରେ ସୁଶାନ୍ତଙ୍କ ବାପା ବିଳମ୍ବରେ ଏତଲା ଦେଇଛନ୍ତି। ଏହାର କିଛି ମତଲବ ନାହିଁ। ରିୟା କୋର୍ଟଙ୍କୁ ଆହୁରି କହିଛନ୍ତି ଯେ, ସୁଶାନ୍ତ ମୃତ୍ୟୁ ପରେ ସେ କଷ୍ଟରେ ଅଛନ୍ତି। ତାଙ୍କୁ ଲାଞ୍ଛନା ଦେଇ ଦୋଷୀ ଭଳି ଆଚରଣ ପ୍ରଦର୍ଶନ କରାଯାଉଛି।

ତେବେ ବିହାର ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ମନିନ୍ଦର ସିଂ ମହାରାଷ୍ଟ୍ର ପୁଲିସର କାର୍ଯ୍ୟଶୈଳୀକୁ ତୀବ୍ର ଭର୍ତ୍ସନା କରିଛନ୍ତି। ତଦନ୍ତରେ ବିହାର ପୁଲିସକୁ ମୁମ୍ବାଇ ପୁଲିସ ସହଯୋଗ କରୁ ନାହିଁ ବୋଲି ସେ କୋର୍ଟକୁ ଜଣାଇଛନ୍ତି।

ସୁଶାନ୍ତଙ୍କ ବାପାଙ୍କ ପକ୍ଷ ରଖି ମନିନ୍ଦର ଆହୁରି କହିଛନ୍ତି ଯେ, ସୁଶାନ୍ତ ଚାଲିଗଲା ପରେ ସେ ଏକାକୀ ଅଛନ୍ତି। ସେ ମଲାପରେ ତାଙ୍କୁ ମୁଖାଗ୍ନି ଦେବାକୁ ବି କେହିନାହାନ୍ତି। ସୁଶାନ୍ତ ଫାଶୀରେ ଝୁଲିବା କେହି ଦେଖିନାହାନ୍ତି। ଝିଅ ଗଲାବେଳକୁ ସୁଶାନ୍ତଙ୍କ ମରଶରୀର ବେଡ୍ ଉପରେ ପଡ଼ିରହିଥିଲା।

ତେଣୁ ଏହା ତଦନ୍ତ ସାପେକ୍ଷ ଓ ଏଥିପାଇଁ ପାଟନାରେ ଏତଲା ଦିଆଯାଇଛି। ସେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଗୁରୁବାର ଯାଏ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି।

ଅନ୍ୟପକ୍ଷରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ସମସ୍ତ ପ୍ରକାର ଆର୍ଥିକ ଓ ବୃତ୍ତିଗତ ନିଷ୍ପତ୍ତି ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ନେଉଥିଲେ ବୋଲି ଜେରା ବେଳେ ଇଡିକୁ ସୁଶାନ୍ତଙ୍କ ପୂର୍ବତନ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦି କହିଛନ୍ତି।

ବେଆଇନ ଆର୍ଥିକ କାରବାର ସମ୍ପର୍କରେ ସେ କିଛି ଜାଣିନଥିବା ମଧ୍ୟ କହିଛନ୍ତି। ସେହିପରି ଆଜି ପ୍ରଥମ ଥର ପାଇଁ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମିତୁ ସିଂହଙ୍କୁ ପଚରାଉଚୁରା ପାଇଁ ଡାକିଥିଲା ଇଡି। ମିତୁଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କରେ ଇଡି ପଚରାଉଚୁରା କରିଥିବା ଜଣାପଡ଼ିଛି। ୧୫ କୋଟି ଟଙ୍କା ଗାଏବ ମାମଲାରେ ମିତୁଙ୍କ ପାଖରେ କିଛି ଠୋସ୍ ପ୍ରମାଣ ଥିବା କୁହାଯାଉଛି।

Related story