ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ କ୍ଷମତା ଅଛି, ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଛିଡା ହୋଇ ତାଙ୍କୁ ଚ୍ୟାଲେଞ୍ଜ କରି ପାରିବେ। ଆମେରିକା ସହ ଆମର ସମ୍ପର୍କ ସୁଦୃଢ ହୋଇଛି। ଏହାସହ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଆମ ସମ୍ପର୍କରେ ସୁଧାର ଆସିଛି। ରାଜ୍ୟସଭାରେ ଆଜି ଏପରି ସ୍ପଷ୍ଟିକରଣ ଦେଇ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଆଜି ରାଜ୍ୟସଭାରେ ବିରୋଧୀ ବିଦେଶ ନୀତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ।
ମୋଦି ସରକାରର ସଫଳ ବିଦେଶ ନୀତି
ସୁଷମା ସ୍ୱରାଜ ଗତ ତିନି ବର୍ଷରେ ମୋଦି ସରକାର ବିଦେଶ ନୀତିରେ ପାଇଥିବା ସଫଳତା ସମ୍ପର୍କରେ ସ୍ପଷ୍ଟିକରଣ ଦେଇଥିଲେ। ଏହାସହ ସେ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଭାରତର ସମ୍ପର୍କ କଥା କହିବାକୁ ଭୁଲି ନଥିଲେ। ସୁଷମା ଦେଇଥିବା ମତର କିଛି ସାରାଂଶ।
୧. ପୂର୍ବ ସରକାରର ବୈଦେଶିକ ନୀତି ବିଦେଶ ମନ୍ତ୍ରାଳୟ ବା ଏମ୍ଇଓ ଚଳାଉ ନଥିଲା, ବାସ୍ତବରେ ଚଲାଉଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍ଓ ।
୨. ମନମୋହନ ସିଂହ ଜୀ ଆପଣ ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ଆପଣଙ୍କ ସହ ସଲମାନ ଖୁର୍ସିଦ ଏବଂ ଅନ୍ୟ ବିଦେଶ ମନ୍ତ୍ରୀ କେତେଥର ଯାତ୍ରା କରିଛନ୍ତି ?
୩. ଚୀନ୍ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତାମାନେ ଅଲଗା ଅଲଗା ନୀତି ଆପଣାଉଛନ୍ତି।
୪. ଗ୍ଲୋବାଲ ଏଜେଣ୍ଡା ପ୍ରସ୍ତୁତ କରିବା ଲୋକ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
୫. ସାଉଦୀ ଆରବ ମୋଦିଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ଦେଲା।
୬. ୟେମେନରୁ ଆମେ ଭାରତୀୟ ଓ ଅନ୍ୟ ବିଦେଶୀଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହେଲୁ, କାରଣ ସାଉଦୀ ଆରବ ଆମ ପାଇଁ ଆକ୍ରମଣ ବନ୍ଦ କରିଥିଲା।
୭. ଆଜିର ଦିନରେ ଆରବ ଦେଶ ସହ ଭାରତର ସବୁଠୁ ଭଲ ସମ୍ପର୍କ ରହିଛି।
୮. ଆଜି ଋଷ ଓ ଆମେରିକା ଆମ ସହ ଅଛନ୍ତି। ଏହା କେବଳ ସଫଳ ବିଦେଶ ନୀତି ଯୋଗୁଁ ସମ୍ଭବ ହୋଇଛି।
୯. ଇସ୍ରାଏଲ ଭାରତର ବନ୍ଧୁ। ହେଲେ ଆମେ ପାଲେଷ୍ଟାନ୍କୁ ବି ଭୁଲିନାହୁଁ। ମୁଁ ପ୍ରଥମେ ପାଲେଷ୍ଟାଇନ ଗଲି, ତା ପରେ ଇସ୍ରାଏଲ। ଇସ୍ରାଏଲ ସହ ଆମ ବନ୍ଧୁତ୍ୱକୁ ପାଲେଷ୍ଟାଇନ ସକରାତ୍ମକ ଭାବେ ନେଇଛି।
ରାହୁଲଙ୍କୁ ହାମଲା
ଏହି ଅବସରରେ ସୁଷମା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ। କହିଥିଲେ- ବିରୋଧୀ ଦଳର ନେତା ଚୀନ୍ ରାଷ୍ଟ୍ରଦୂତଙ୍କୁ କାହିଁକି ଦେଖା କରିଥିଲେ। ବିରୋଧୀ ନେତା ପ୍ରଥମେ ଭାରତର ଦୃଷ୍ଟିକୋଣ ବୁଝିବା ଦରକାର। ଏହାପରେ ଚୀନ୍ର ରାଷ୍ଟ୍ରଦୂତଙ୍କୁ ଡାକି କହିବାର ଥିଲା ଯେ, ଆମ ପକ୍ଷ ହେଉଛି ଏୟା। ହେଲେ ସେ ଆଗ ଚୀନ୍ ପକ୍ଷ ଶୁଣିଲେ।
ଚୀନ୍କୁ ନେଇ ଭାରତର ନୀତି ସ୍ପଷ୍ଟ
ଡୋକଲାମକୁ ନେଇ ଭାରତ ଚୀନ ମଧ୍ୟରେ ବିବାଦ ଲାଗି ରହିଛି। ଏପରି ସ୍ଥିତିରେ ଚୀନ୍କୁ ନେଇ ଭାରତର ବିଦେଶ ନୀତି ସ୍ପଷ୍ଟ ଥିବା ସୁଷମା କହିଛନ୍ତି। ସେ କହିଥିଲେ- ଚୀନ୍ ସହ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଏବେ ଦେଶ ସାମରିକ କ୍ଷମତା ନୁହେଁ, ଆର୍ଥିକ କ୍ଷମତାରେ ଚାଲୁଛି। ଏହାକୁ ଆଗକୁ ବଢ଼ାଇବାକୁ ହେବ। ଆମ ଆର୍ଥିକ କ୍ଷମତାରେ ଚୀନ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁଛି। ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ।
ଆତଙ୍କବାଦ ବନ୍ଦ ହେଲେ ପାକିସ୍ତାନ ସହ ସ୍ଥିତି ସୁଧୁରି ଯିବ
ଆତଙ୍କବାଦ ହିଁ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତାର କାରଣ। ଯେବେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିଦେବ, ଦୁଇଦେଳ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ।
ପଡ଼ୋଶୀଙ୍କ ସହ ରହିଛି ଭଲ ସମ୍ପର୍କ
ସୁଷମା କହିଥିଲେ ଯେ, ବାଂଲାଦେଶ ସହ ସବୁଠାରୁ ଭଲ ସମ୍ପର୍କ ଭାରତର ରହିଛି। ନେପାଳକୁ ୧୭ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ଯାଇ ନଥିଲେ, କିନ୍ତୁ ମୋଦି ଗଲେ। ନେପାଳ ଭୁମିକମ୍ପ ବେଳେ ଆମେ ବନ୍ଧୁତ୍ୱ ପାଳନ କରିଥିଲୁ। ପଡୋଶୀଙ୍କ ମଧ୍ୟରେ ଭୁଟାନ ସବୁଠୁ ଲୋକପ୍ରିୟ। ଏହାସହ ସୁଷମା ମାଲଦ୍ୱିପ ଜଳ ସଙ୍କଟ ସମୟରେ ଭାରତ କରିଥିବା ସହଯୋଗର କଥା ମନେ ପକାଇ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।