ନୂଆଦିଲ୍ଲୀ: ଟିବି ରୋଗୀଙ୍କ ପାଇଁ ଖୁସିର ଖବର । ସେମାନଙ୍କୁ ଏବେ ସପ୍ତାହରେ ୩ ଥର ନୁହେଁ, ପ୍ରତିଦିନ ହିଁ ଔଷଧ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି। ବର୍ତ୍ତମାନ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିରେ ବ୍ୟପକ ପରିବର୍ତ୍ତନ ହୋଇଥିବାରୁ ସେହି କ୍ରମରେ ଚିକିତ୍ସା କରିବାକୁ ବ୍ୟବସ୍ଥା କରାଯାଇଛି । ‘ଡେଲି ଡ୍ରଗ୍ ରେଜିମନ୍’ ମୁତାବକ ଏବେ ରୋଗୀଙ୍କୁ ଦୈନିକ ଔଷଧ ଦିଆଯିବ । ପୂର୍ବରୁ ଏହି ପଦ୍ଧତିରେ ସପ୍ତାହକୁ ୩ ଥର ଔଷଧ ଦେବାର ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ, ଆଜି ବି ଭାରତରେ ଟିବି ସବୁଠାରୁ ବଡରୋଗ ଭାବେ ଉଭା ହୋଇଛି। ପ୍ରତିବର୍ଷ ଏହି ରୋଗରେ ୪.୨ ଲକ୍ଷ ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ଏଣୁ ଏହି ହାର କମାଇବା ଲାଗି ସରକାର ବିହିତ ପଦେକ୍ଷପ ଗ୍ରହଣ କରୁଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁ ରୋଗୀ ଘରୋଇ ଡାକ୍ତର ଓ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଲାଗି ସେମାନେ ଔଷଧ କିଣୁଥିବା ଦୋକାନ ଓ ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ପାଖରେ ଏହି ଔଷଧ ପହଞ୍ଚାଇ ଦିଆଯିବ। ରୋଗୀ ନିଜ ସୁବିଧାରେ ସମ୍ପୁର୍ଣ୍ଣ ମାଗଣାରେ ଏହି ସ୍ଥାନରୁ ଔଷଧ ନେଇପାରିବ। ଦେଶର ସମସ୍ତ ପ୍ରମୁଖ ଡାକ୍ତରଖାନା, ଭାରତୀୟ ଚିକିତ୍ସକ ସଂଘର ସହଯୋଗରେ ରୋଗୀ ନିମନ୍ତେ ପ୍ରତିଦିନ ଔଷଧ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।