ନୂଆଦିଲ୍ଲୀ:ଆରଜେଡି ମୁଖ୍ୟ ତଥା ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇ ମାମଲା ରଜୁ କରିଛି। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ତେଜସ୍ୱୀ ବିରୋଧୀଙ୍କ ସଣ୍ଡୁଆସୀ ଆକ୍ରମଣର ଶିକାର ହୋଇଛନ୍ତି। ଏପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଚେତାବନୀ ଦେଇଥିଲେ। କହିଥିଲେ ସ୍ୱଚ୍ଛ ହୁଅ ନଚେତ ପଦବି ଛାଡ଼। ତେଜସ୍ୱୀ ଏବେ ବିହାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ବିଭିନ୍ନ ଆଡ଼ୁ ତୀବ୍ର ସମାଲୋଚନାର ଶିକାର ହେବା ପରେ ତେଜସ୍ୱୀ ଆଜି ମୁହଁ ଖୋଲିଛନ୍ତି। କହିଛନ୍ତି ୧୪ ବର୍ଷ ପିଲା କ’ଣ କେବେ ଅପରାଧୀ ହୋଇପାରେ। ୧୪ ବର୍ଷରେ ଜଣେ ପିଲାର ନିଶ କେଞ୍ଚଇ ନ ଥିବ। ସେ ଅପରାଧୀ ହେବ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟତଃ ବିଜେପି କରୁଥିବା ଅଭିଯୋଗ ଉପରେ ପ୍ରତି ଉତ୍ତର ରଖି ସେ ପାଲଟା ପ୍ରଶ୍ନ କରିଛନ୍ତି।
ସୂଚନା ମୁତାବକ ରେଲୱେ ମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ଆଇଆରଟିସି ସମ୍ପର୍କିତ ହୋଟେଲ ପରିଚାଳନା ନେଇ ହୋଇଥିବା ଟେଣ୍ଡରରେ ଅନିୟିମିତା ହୋଇଥିବା ଅଭିଯୋଗ ଆସିଥିଲା। ଏହାକୁ ନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ୨୦୦୪ରୁ ୨୦୦୯ ମଧ୍ୟରେ ଏହି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସିବିଆଇ ମଧ୍ୟ ଖୋଳତାଡ଼ ଜାରି ରଖିଛି।
ଏହି ଘଟଣାରେ ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ତେବେ ୧୯୮୯ରେ ତେଜସୀ ଜନ୍ମ ଗ୍ରହଣ କରିଥିଲେ। ୨୦୦୪ ବେଳକୁ ତାଙ୍କୁ ୧୫ ବର୍ଷ ହୋଇଥିଲା। ଆଉ ସିବିଆଇ କରିଥିବା ମାମଲାକୁ ନେଇ ତେଜସ୍ୱୀ ଉପରୋକ୍ତ ମତ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।