ଲକ୍ଷ୍ନୌ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଏନଡିଏରେ ଥାଇ ସୁଦ୍ଧା ଏସପି-ବିଏସପି ମହାମେଣ୍ଟକୁ ସମର୍ଥନ କରୁଥିବା ଉତ୍ତର ପ୍ରଦେଶର ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍ବିଏସ୍ପି)କୁ ଝଟକା ଲାଗିବାକୁ ଯାଉଛି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୪ ବିଧାୟକଙ୍କ ମଧ୍ୟରୁ ତିନି ବିଧାୟକ ୟୁପିର ଶାସକ ଦଳ ବିଜେପିରେ ମିଶିବାକୁ ଯାଉଥିବାର ସୂଚନା ରହିଛି। ଏକଥା ବିଜେପି ମଧ୍ୟ ସ୍ପଷ୍ଟ କରିଛି।
ଆଜି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ରାଜଭର ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ଦଳର ବିଧାୟକ ବିଜେପିରେ ମିଶୁଥିବା କଥା କହିଛନ୍ତି। ତେବେ ସେ କିନ୍ତୁ କୌଣସି ଦଳରେ ଯୋଗ ଦେବେନି, ଦଳର ଏକୁଟିଆ ବିଧାୟକ ହୋଇ ରହିବେ ବୋଲି କହିଛନ୍ତି।
ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୪ ଜଣ ବିଧାୟକ ରହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନ ବେଳେ ବିଜେପି ସହିତ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା।
ଅସନ୍ତୁଷ୍ଟ ୩ ବିଧାୟକ ନିର୍ବାଚନ ବେଳେ ଦଳର ସଭାପତି ରାଜଭରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେମାନେ ପ୍ରଚାରରେ ମଧ୍ୟ ସାମିଲ ହୋଇନଥିଲେ। ଏମିତିକି ନିକଟରେ ହୋଇଥିବା ୟୁପି ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ନିର୍ଦ୍ଦେଶ ବିରୋଧରେ ଯାଇ ଜଣେ ବିଧାୟକ ଅଲଗା ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ।
ମେ ୧୯ରେ ନିର୍ବାଚନ ଶେଷ ହେବା ପରେ ୨୦ ତାରିଖ ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍ବିଏସ୍ପି) ମୁଖ୍ୟ ଓପି ରାଜଭରଙ୍କୁ ନିଜ କ୍ୟାବିନେଟ୍ରୁ ବରଖାସ୍ତ କରିଥିଲେ। ନିର୍ବାଚନ ପୂର୍ବରୁ ଓପି ରାଜଭର ଉତ୍ତର ପ୍ରଦେଶରେ ସପା-ବିଏସ୍ପି ମେଣ୍ଟ ଭଲ କରିବେ ଏବଂ ବିଜେପି ମାତ୍ ଖାଇବ ବୋଲି ଖୋଲାଖୋଲି ମତ ଦେଇଥିଲେ। ଏମିତିକି ଯୋଗୀ ଓ ବିଜେପି ବିରୋଧରେ ରାଜଭର ବିଦ୍ରୋହ ଘୋଷଣା କରି ୪ର୍ଥ,୫ମ, ୬ଷ୍ଠ ଓ ୭ମ ପର୍ଯ୍ୟାୟ ଲୋକସଭା ଆସନଗୁଡ଼ିକରେ ୩୯ ଜଣ ପ୍ରାର୍ଥୀ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।