ଆସ୍ଥା ଭୋଟ୍ ପାଇଁ ହୋଟେଲରେ ତିନି ଦଳର ବିଧାୟକ

ମୁମ୍ୱାଇ: ନଭେମ୍ୱର ୩୦ ମଧ୍ୟରେ ମହାରାଷ୍ଟ୍ରର ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ବିଜେପି ପାଖରେ ସରକାର ଗଢ଼ିବା ପାଇଁ କିନ୍ତୁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ନାହିଁ। ତେଣୁ ଘୋଡ଼ା ବେପାର ଆଶଙ୍କା ରହିଥିବାରୁ ଶିବସେନା-ଏନସିପି-କଂଗ୍ରେସ ଦଳୀୟ ବିଧାୟକଙ୍କୁ ବିଭିନ୍ନ ହୋଟେଲରେ ରଖିଛନ୍ତି। ଶରଦ ପାଓ୍ୱାର ଦଳୀୟ ବିଧାୟକଙ୍କୁ ମୁମ୍ୱାଇର ପୋଓ୍ୱାଇରେ ଥିବା ନିଜ ହୋଟେଲ ରେନାଇସ୍ସନ୍ସରେ ଦଳୀୟ ବିଧାୟକଙ୍କୁ ରଖିଥିବା ବେଳେ କଂଗ୍ରେସ ଜେଡବ୍ଲ୍ୟ ମାରିଓୋଟ ହୋଟେଲରେ ରଖିଛି। ସେହିପରି ଶିବସେନା ଅନ୍ଧେରୀରେ ଥିବା […]

NCP_Shivsena_Congress

Subhransu Sekhar
  • Published: Sunday, 24 November 2019
  • , Updated: 24 November 2019, 04:58 PM IST

ମୁମ୍ୱାଇ: ନଭେମ୍ୱର ୩୦ ମଧ୍ୟରେ ମହାରାଷ୍ଟ୍ରର ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ବିଜେପି ପାଖରେ ସରକାର ଗଢ଼ିବା ପାଇଁ କିନ୍ତୁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ନାହିଁ। ତେଣୁ ଘୋଡ଼ା ବେପାର ଆଶଙ୍କା ରହିଥିବାରୁ ଶିବସେନା-ଏନସିପି-କଂଗ୍ରେସ ଦଳୀୟ ବିଧାୟକଙ୍କୁ ବିଭିନ୍ନ ହୋଟେଲରେ ରଖିଛନ୍ତି। ଶରଦ ପାଓ୍ୱାର ଦଳୀୟ ବିଧାୟକଙ୍କୁ ମୁମ୍ୱାଇର ପୋଓ୍ୱାଇରେ ଥିବା ନିଜ ହୋଟେଲ ରେନାଇସ୍ସନ୍ସରେ ଦଳୀୟ ବିଧାୟକଙ୍କୁ ରଖିଥିବା ବେଳେ କଂଗ୍ରେସ ଜେଡବ୍ଲ୍ୟ ମାରିଓୋଟ ହୋଟେଲରେ ରଖିଛି। ସେହିପରି ଶିବସେନା ଅନ୍ଧେରୀରେ ଥିବା ଲଳିତ ହୋଟେଲରେ ଦଳୀୟ ବିଧାୟକଙ୍କୁ ରଖିଛି।

ବିଜେପି ମଧ୍ୟ ଆସ୍ଥା ଭୋଟରେ ଜିତିବା ପାଇଁ ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଆଜି ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଫଡନାଭିସ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଓ ଦଳୀୟ ବିଧାୟକଙ୍କ ମଧ୍ୟରେ ବୈଠକ ହୋଇଛି। ତେବେ କଣ ରଣନୀତି ରହିଛି ଆସ୍ଥା ଭୋଟ ନେଇ ତାହା ଦଳ ସ୍ପଷ୍ଟ କରିନି। ଗତକାଲି କିନ୍ତୁ ଫଡନାଭିସ ଦଳୀୟ କାର୍ଯ୍ୟାଳୟରେ ଦମ୍ଭୋକ୍ତି ପ୍ରକାଶ କରି କହିଥିଲେ, ଆଗାମୀ ୫ ବର୍ଷ ପାଇଁ ତାଙ୍କ ସରକାର ସ୍ଥାୟୀ ସରକାର ଦେବ।

ସେହିପରି କଂଗ୍ରେସ ନେତା ଅହମଦ ପଟେଲ ହୋଟେଲରେ ଦଳୀୟ ବିଧାୟକଙ୍କୁ ଉଦବୋଧନ ଦେଇ ଆଜି କହିଛନ୍ତି, ବିଜେପି ଅଜିତ ପାଓ୍ୱାରଙ୍କ ନେତୃତ୍ୱରେ ସରକାର ଗଢ଼ିଛି, ହେଲେ ଏହା କ୍ଷଣ ସ୍ଥାୟୀ ଆଗାମୀ ଦିନରେ ଆମେ ବିଜୟୀ ହେବୁ। ଏହି ଚ୍ୟାଲେଞ୍ଜ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାଭିସଙ୍କ ତରଫରୁ ନୁହେଁ ବରଂ ରାଜ୍ୟପାଳ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ତରଫରୁ ଏହା ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ତେଣୁ ଏହି ସ୍ଥିତିରେ କଂଗ୍ରେସ ବିଧାୟକ ମାନେ ଏକ ହୋଇ ତାଙ୍କୁ ହରାଇବା ନିହାତି ଦରକାର ବୋଲି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଏହି ରାଜନୀତିକ ପରାମର୍ଶଦାତା କହିଛନ୍ତି। କଂଗ୍ରେସ ବିଧାୟକଙ୍କ ସହ ହୋଟଲରେ ହୋଇଥିବା ଏହି ବୈଠକରେ ମଲ୍ଲିକାର୍ଜୁନ ଖାଡ଼ଗେ, ସୁଶୀଲ କୁମାର ସିନ୍ଧେ ଏବଂ କେ.ସି ଭେନୁଗୋପାଳ ରହିଥିଲେ।

ଶରଦ ପାଓ୍ୱାର ମଧ୍ୟ ଦଳୀୟ ବିଧାୟକଙ୍କୁ କଡ଼ା ସୁରକ୍ଷାରେ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କୁ ମନାଇବାକୁ ପାଓ୍ୱାର ପରିବାର ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଚା ଚଳାଇଥିବା ଜଣାପଡ଼ିଛି। ହେଲେ ଅଜିତ ପାଓ୍ୱାର କୌଣସି ମତ ରଖିନଥିବା ସୂଚନା ରହିଛି। ଅନ୍ୟପଟେ ଅଜିତ ପାଓ୍ୱାରଙ୍କ ସପକ୍ଷରେ ଅଧିକାଂଶ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସୂଚନା ରହିଥିବା ବେଳେ କ୍ରମଶଃ ସେହି ବିଧାୟକମାନେ ଶରଦ ପାଓ୍ୱାରଙ୍କ ନେତୃତ୍ୱକୁ ସମର୍ଥନ ଦେଇଥିବା ଜଣାପଡ଼ିଛି।

ଶିବସେନା ମଧ୍ୟ ୫୬ ବିଧାୟକଙ୍କ ମଧ୍ୟରୁ ୫୫ ଜଣଙ୍କୁ ହୋଟେଲରେ ରଖିଛି। ସମସ୍ତ ବିଧାୟକଙ୍କ ମୋବାଇଲ ଫୋନ୍ ଦଳ ନିଜ ହେପାଜତରେ ରଖିଛି। ଉଦ୍ଧବ ଠାକରେ ଓ ବିଧାୟକ ପୁଅ ଆଦିତ୍ୟ ଠାକରେ ବିଧାୟକଙ୍କ ସହ ଯାଇ ବୈଠକ କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଶନିବାର ଶିବସେନା-ଏନସିପି-କଂଗ୍ରେସ ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଥାନ୍ତେ। ହେଲେ ଏହା ପୂର୍ବରୁ ଶୁକ୍ରବାର ବିଳମ୍ୱିତ ରାତିରେ ଏନସିପି ନେତା ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ କହିଥିଲା। ପରେ ସକାଳ ୮ଟାରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ସରକାରକୁ ଅସାମ୍ୱିଧାନିକ କହି ଏବେ ତିନି ଦଳ ବିଜେପିକୁ ଘେରିଛନ୍ତି।

Related story