ଭାରତୀୟ ଖାଇବେ ମେଡ ଇନ୍‌ ତୁର୍କୀ ପିଆଜ!

ନୂଆଦିଲ୍ଲୀ: ଦେଶରେ ପିଆଜ ଦର ଆକାଶ ଛୁଆଁ ହେଲାଣି। କିଛି ସ୍ଥାନରେ ପିଆଜ ଅଭାବରୁ ଲୋକେ ଏହାକୁ ଚୋରି କରିବା ଆରମ୍ଭ କଲେଣି। ଏପରି ସ୍ଥିତିରେ ବ୍ୟବସାୟୀକ ସଂସ୍ଥା ଏମଏମଟି ଏବେ ପିଆଜ ଅଭାବ ଯୋଗୁ ଅଡ଼ୁଆରେ ପଡ଼ିଛି। ପିଆଜ ଅଭାବରୁ ଦିନକୁ ଦିନ ଏହାର ଦର ଆକାଶ ଛୁଆଁ ହେଲାଣି। ସ୍ଥିତି ଏପରି ହେଲାଣି ଯେ କିଛି ରାଜ୍ୟରେ ପିଆଜ କେଜି ପିଛା ଦର ୧୦୦ ଟଙ୍କା ମଧ୍ୟ ପାର କରିଗଲାଣି। ଏବେ କେନ୍ଦ୍ର ସରକାରଙ୍କ […]

on

Hemant Lenka
  • Published: Sunday, 01 December 2019
  • , Updated: 01 December 2019, 06:40 PM IST

ନୂଆଦିଲ୍ଲୀ: ଦେଶରେ ପିଆଜ ଦର ଆକାଶ ଛୁଆଁ ହେଲାଣି। କିଛି ସ୍ଥାନରେ ପିଆଜ ଅଭାବରୁ ଲୋକେ ଏହାକୁ ଚୋରି କରିବା ଆରମ୍ଭ କଲେଣି। ଏପରି ସ୍ଥିତିରେ ବ୍ୟବସାୟୀକ ସଂସ୍ଥା ଏମଏମଟି ଏବେ ପିଆଜ ଅଭାବ ଯୋଗୁ ଅଡ଼ୁଆରେ ପଡ଼ିଛି।

ପିଆଜ ଅଭାବରୁ ଦିନକୁ ଦିନ ଏହାର ଦର ଆକାଶ ଛୁଆଁ ହେଲାଣି। ସ୍ଥିତି ଏପରି ହେଲାଣି ଯେ କିଛି ରାଜ୍ୟରେ ପିଆଜ କେଜି ପିଛା ଦର ୧୦୦ ଟଙ୍କା ମଧ୍ୟ ପାର କରିଗଲାଣି। ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ଆମଦାଦୀ କରୁଥିବା ଏମଏମଟି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।

ପିଆଜର ବର୍ଦ୍ଧିତ ଦରର ମୁକାବିଲା କରିବା ପାଇଁ ଏବେ ଏମଏମଟି ତୁର୍କୀରୁ ୧୧ ହଜାର ଟନ୍‌ ପିଆଜ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଭାରତରେ ପିଆଜ ଚାହିଦା ଦୂର କରିବା ପାଇଁ ଏମଏମଟି ଇଜିପ୍ଟରୁ ୬,୦୯୦ ଟନ୍‌ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା।

ଗତ ମାସରେ କେନ୍ଦ୍ର କ୍ୟାବିନେଟ ଦେଶରେ ବଢ଼ୁଥିବା ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଘରୋଇ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାର ୧.୨ ଲକ୍ଷ ଟନ୍‌ ପିଆଜ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିବାକୁ ମଞ୍ଜୁରୀ ଦେଇଥିଲେ। ଏହି ମଞ୍ଜୁରୀ ପରେ ଏମଏମଟି ବିଭିନ୍ନ ରାଷ୍ଟ୍ରରୁ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁଯାୟୀ, ଏମଏମଟି ୧୧ ହଜାର ଟନ୍‌ ପିଆଜ ଆମଦାନୀ ପାଇଁ ତୁର୍କୀ ସହ କଥା ହୋଇ ସାରିଛି। ୨୦୨୦ ଜାନୁଆରୀ ମାସରେ ଏହି ପିଆଜ ଭାରତରେ ପହଞ୍ଚିବ। ସେହିପରି ଇଜିପ୍ଟରୁ ଆସିବାକୁ ଥିବା ୬,୦୯୦ ଟନ୍‌ ପିଆଜ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ମୁମ୍ବାଇର ନହାଭା ସେବାରେ ପହଞ୍ଚିଯିବ।

ଆମଦାନୀ ହେବାକୁ ଥିବା ପିଆଜ ଆସିବା ପରେ ଏହାକୁ ବିଭିନ୍ନ ରାଜ୍ୟକୁ ପଠାଯିବ। ଏହାପରେ ସେଠାକାର ସରକାରମାନେ ଏହି ବିଦେଶୀ ପିଆଜକୁ କେଜି ପିଛା ୫୨ରୁ ୫୫ ଓ ସର୍ବାଧିକ ୬୦ ଟଙ୍କାରେ ବିକ୍ରି କରିବେ।

ଅନ୍ୟପକ୍ଷରେ ପିଆଜ କଳାବଜାରୀ ରୋକିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି। ଏଥିରେ ଅର୍ଥମନ୍ତ୍ରୀ, ଖାଦ୍ୟ ବ୍ୟାପାର ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀ ରହିଛନ୍ତି। କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ପିଆଜର ସ୍ଥିତି ଉପରେ ସମୀକ୍ଷା ମଧ୍ୟ କରୁଛନ୍ତି।

ବର୍ତ୍ତମାନ ବିଭିନ୍ନ ସ୍ଥାନରେ ପିଆଜ କେଜି ପିଛା ସର୍ବନିମ୍ନ ୭୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଉ କିଛି ସ୍ଥାନରେ ଦର ୧୨୦ ଛୁଇଁଛି। ଏହାକୁ ନେଇ ଜନଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି। ଏହାକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା କରୁଥିବା ଜଣାପଡ଼ିଛି।

ଆଜି ଦିଲ୍ଲୀରେ ପିଆଜ କେଜି ୭୬ ଥିବା ବେଳେ ମୁମ୍ବାଇରେ ୮୨, କୋଲକାତାରେ ୯୦ ଓ ଚେନ୍ନାଇରେ ୮୦ ଟଙ୍କାରେ ବିକ୍ରି ହେଉଛି।
ଅଦିନିଆ ବର୍ଷା ଯୋଗୁ ଭାରତରେ ପିଆଜ ଉତ୍ପାଦନ ୨୬% ହ୍ରାସ ପାଇବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଲାଶ ପାଶୱାନ ନଭେମ୍ବର ୧୯ରେ କହିଥିଲେ।

Related story