ଟୁନିସ: ଟୁନିସିଆର ସୌସେ ଠାରେ ସମୁଦ୍ର ଉପକୂଳରେ ଥିବା ଏକ ହୋଟେଲ ଉପରେ ଶୁକ୍ରବାର ହୋଇଛି ଆତଙ୍କବାଦୀ ଆକ୍ରମଣ। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ସମୁଦ୍ର କୂଳରେ ଥିବା ଏହି ହୋଟଲର ନାମ ‘ଇମ୍ପେରିଆଲ ମରହବା’।
ଟୁନିସାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଜଣେ ବନ୍ଧୁକଧାରୀ ଏହି ହୋଟେଲ ଉପରେ ଆକ୍ରମଣ କରିଥିଲା। ସେ ଆଖି ବୁଜା ଗୁଳି କରିଥିଲା। ଫଳରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ପୋଲିସର ପାଲଟା ଗୁଳିମାଡରେ ଉକ୍ତ ଆତଙ୍କୀର ମୃତ୍ୟୁ ଘଟିଛି। ତା’ ନିକଟରୁ ଏକ ଏକେ- ୪୭ ବନ୍ଧୁକ ଜବତ କରାଯାଇଛି।
ସୂଚନାଯୋଗ୍ୟ, ସୌସେ ହେଉଛି ଟୁନିସିଆର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ଏଠାରେ ସମୁଦ୍ର କୂଳରେ ଥିବା ରିସୋର୍ଟ ଗୁଡିକ ମଧ୍ୟରେ ‘ଇମ୍ପେରିଆଲ ମରହବା’ ଖୁବ୍ ଖ୍ୟାତି ରହିଛି। ଏଠାକୁ ୟୁରୋପ ଓ ପଡୋଶୀ ଉତ୍ତର ଆଫ୍ରିକାର ବିଭିନ୍ନ ଦେଶରୁ ପର୍ଯ୍ୟଟକ ମାନେ ଆସିଥାଅନ୍ତି।
ଗତ ମାର୍ଚ୍ଚମାସରୁ ଟୁନିସିଆରେ ହାଇଆର୍ଲଟ ଜାରି କରାଯାଇଥିଲା। ରାଜଧାନୀ ଟୁନିସ ସ୍ଥିତ ବାରବୋ ମ୍ୟୁଜିୟମରରେ ଆତଙ୍କବାଦୀ ସଂଗଠନ ଆଇଏସର ଆକ୍ରମଣ ପରେ ଏହି ହାଇଆର୍ଲଟ ଜାରି କରାଯାଇଥିଲା। ଏହି ଆକ୍ରମଣପରେ କିଛି ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।