ଟୁ-ଜି ସ୍କାମ୍‌: ସମସ୍ତେ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଘୋଟାଲା କୁହାଯାଉଥିବା ଟୁ-ଜି ସ୍ପେକ୍ଟ୍ରମ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ସମସ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସରକାରୀ ଓକିଲ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ପ୍ରମାଣିତ କରିପାରିଲେ ନାହିଁ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ଝିଅ ତଥା ରାଜ୍ୟସଭା ସାଂସଦ ଏମ୍‌ କାନିମୋଝି ଓ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। […]

Araja

Ordigital Desk
  • Published: Thursday, 21 December 2017
  • , Updated: 21 December 2017, 12:13 PM IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଘୋଟାଲା କୁହାଯାଉଥିବା ଟୁ-ଜି ସ୍ପେକ୍ଟ୍ରମ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ସମସ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସରକାରୀ ଓକିଲ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ପ୍ରମାଣିତ କରିପାରିଲେ ନାହିଁ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ଝିଅ ତଥା ରାଜ୍ୟସଭା ସାଂସଦ ଏମ୍‌ କାନିମୋଝି ଓ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

ଆଜି କୋର୍ଟ ତାଙ୍କର ରାୟ ଶୁଣାଇବା ବେଳେ ଉଭୟ ଏ. ରାଜା ଓ କାନିମୋଝି ନିଜ ସମର୍ଥକଙ୍କ ସହିତ କୋର୍ଟରେ ଉପସ୍ଥିତ ଥିଲେ। ଶୁଣାଣି ବେଳେ କୋର୍ଟରେ ହାଜର ହେବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାୟ ଶୁଣିଣାକୁ ନେଇ ଆଜି କୋର୍ଟ ପରିସରରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ଯୋଗୁଁ ଅଭିଯୁକ୍ତମାନେ କୋର୍ଟରେ ପହଞ୍ଚି ପାରିନଥିଲେ। ତେଣୁ ବିଚାରପତି ଓ.ପି ସୋନି କୋର୍ଟ କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ। କୋର୍ଟ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ବିଚାରପତି ମାତ୍ର ଗୋଟିଏ ଲାଇନ୍‌ରେ ତାଙ୍କ ଫଇସଲା ଶୁଣାଇ ଦେଇଥିଲେ। ସେ କହିଥିଲେ ଯେ ସରକାରୀ ଓକିଲ ଅଭିଯୋଗକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି।

ଟୁଜି ସ୍ପେକ୍ଟ୍ରମ ଘୋଟାଲାର ଶୁଣାଣି ୨୦୧୧ମସିହା ନଭେମ୍ବର ମାସରେ ପ୍ରଥମେ ଆରମ୍ଭ ହୋଇଥିଲା। ସିବିଆଇ ତା ଚାର୍ଜସିଟ୍‌ରେ ଦର୍ଶାଇଥିଲା ଯେ ଏହି ଘୋଟାଲା ଯୋଗୁଁ ଦେଶକୁ ୩୦ ହଜାର ୮୮୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ହେଲେ ପୂର୍ବତନ ଟେଲିକମ୍ ସଚିବ ସିଦ୍ଧାର୍ଥ ବେହୁରା, ଏ. ରାଜାଙ୍କ ତତ୍‌କାଳୀନ ନିଜସ୍ୱ ସଚିବ ଆର.ଏକ ଚାନ୍ଦୋଲିଆ, ସ୍ୱାନ ଟେଲିକମ୍‌ ପ୍ରମୋଟର ସାହିବ ଉସ୍‌ମାନ ଓ ବିନୋଦ ଗୋଏଙ୍କା, ୟୁନିଟେକ୍‌ ଏଲ୍‌ଟିଡି ଏମ୍‌ଡି ସଞ୍ଜୟ ଚନ୍ଦ୍ରାଏ ବଂ ଅନୀଲ ଧୀରୁଭାଇ ଅମ୍ବାନୀ ଗ୍ରୁପ୍‌ର ତିନି ପ୍ରମୁଖ କାର୍ଯ୍ୟକର୍ତ୍ତା ଗୌତମ ଦୋଶୀ, ସୁରେନ୍ଦ୍ର ପିପର ଓ ହରି ନାୟର।

 

Related story