ପୁଣେ: ମହାମାରୀ କରୋନା ଭାଇରସ ଆଜି ଭାରତରେ ପୁଣିଥରେ ଦୁଇ ଜଣଙ୍କ ମୁଣ୍ଡ ନେଇଛି। ମହାରାଷ୍ଟ୍ର ଓ ଗୁଜରାଟରେ ଜଣେ ଲେଖାଏ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ଆଜି ମହାରାଷ୍ଟ୍ରର ପୁଣେରେ ଜଣେ ୫୨ ବର୍ଷୀୟ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ।
ମାର୍ଚ୍ଚ ୨୨ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏହାପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ତାଙ୍କୁ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାମୁ ମିଶାଇ ମହାମାରୀ କରୋନା ଏଯାଏ ମହାରାଷ୍ଟ୍ରରେ ୯ ଜଣଙ୍କ ଜୀବନ ନେଇସାରିଲାଣି।
ଅନ୍ୟପକ୍ଷରେ ରବିବାର ବିଳମ୍ବିତ ରାତିରେ ଗୁଜରାଟରେ ମଧ୍ୟ ଜଣେ ୪୫ ବର୍ଷୀୟ ମହିଳା କରୋନା ଯୋଗୁ ମୃତ୍ୟୁବରଣ କରିଛନ୍ତି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬ରେ ପହଞ୍ଚି ଯାଇଛି। ଏହି ମହିଳା ଜଣଙ୍କ ଜେସର ତାଲୁକାର ମୋତାଖୁତଭେଦା ଗାଁରେ ରହୁଥିଲେ। ସୁରତରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ସେ ଏଭଳି ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଞ୍ଚି ଯାଇଛି। ୬ ଜଣ ନୂଆ ରୋଗୀଙ୍କ ମଧ୍ୟରୁ ୫ ଜଣ ଭାବନଗରର ହୋଇଥିବା ବେଳେ ଜଣେ ଅହମଦାବାଦର। ଅହମଦାବାଦର ୩୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ନିକଟରେ ଆମେରିକାରୁ ଫେରିଥିଲେ। ସେହିପରି ଭାବନଗରର ୪ ଜଣ ସ୍ଥାନୀୟ ଅଞ୍ଚଳର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଭାଇରସ ପଞ୍ଝାରେ ପଡ଼ିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।