ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଛି। ପ୍ରାୟ ପାଞ୍ଚ ମାସ ହେଲାଣି ୨୦୦୦ ଟଙ୍କିଆ ଛପା ବନ୍ଦ କରି ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଆଉ ଏହି ନୋଟ୍ ଛପାଯିବାର ସମ୍ଭାବନା ମଧ୍ୟ ନାହିଁ। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ତେବେ ଆର୍ବିଆଇ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ବିଭିନ୍ନ ଗଣମାଧ୍ୟମରେ ବିଶେଷ ସୂଚନା ଆଧାରରେ ଆହୁରି ମଧ୍ୟ କୁହାଯାଇଛି ଯେ ୨୦୦୦ ଟଙ୍କିଆ ବଦଳରେ ଆର୍ବିଆଇ ୨୦୦ ଟଙ୍କିଆ ନୋଟ୍ ଉପରେ ଗୁରୁତ୍ୱ ଦେଉଛନ୍ତି। ଗତ ଜୁନ୍ ମାସରୁ ମହୀଶୂରରେ ୨୦୦ ଟଙ୍କିଆ ନୋଟ୍ ଛପା ଚାଲିଛି। ପ୍ରଥମ ପର୍ଯ୍ୟାୟ ୨୦୦ ଟଙ୍କିଆ ନୋଟ୍ ଛପା ପାଇଁ ଆଉ ୨୧ ଦିନ ଲାଗିବ। ଏହା ପରେ ଆସନ୍ତା ମାସରୁ ଏହାକୁ ବଜାରକୁ ଛଡ଼ାଯିବ ବୋଲି ଜଣାପଡ଼ିଛି। ପ୍ରାରମ୍ଭରେ ପ୍ରାୟ ଶହେ କୋଟି ୨୦୦ ଟଙ୍କିଆ ନୋଟ୍ ବଜାରକୁ ଛଡ଼ା ଯିବ।
ଏହା ସହିତ ଆର୍ବିଆଇ ୫୦୦ ଟଙ୍କିଆ ନୋଟ୍ ଉତ୍ପାଦନ ବଢ଼ାଇ ଦେଇଛି। ୫୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଆସିବା ସହ ୨୦୦ ଟଙ୍କିଆର ଆଗମନ ନଗଦ ଟଙ୍କା ସମସ୍ୟାକୁ ଦୂର କରିବ ବୋଲି ଆଶା ରଖିଛି ଆର୍ବିଆଇ।
ବିମୁଦ୍ରାକରଣ ପରେ ଅଚଳ ହୋଇଯାଇଥିବା ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳରେ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇଥିଲା। ମୋଟ ୩୭୦ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇଥିଲା। ବିମୁଦ୍ରାକରଣ ଅବଧି ଶେଷ ହେବା ପରେ ସରକାର ଅଧିକ ଜୋର ଦେଇଥିଲେ ୫୦୦ ଟଙ୍କିଆ ଛାପିବା ଉପରେ। ବର୍ତ୍ତମାନ ସୁଦ୍ଧା ଆର୍ବିଆଇ ୧୪୦୦ କୋଟି ଖଣ୍ଡ ନୂଆ ୫୦୦ ଟଙ୍କିଆ ନୋଟ୍ ଛାପିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।