ଉଦ୍ୟୋଗପତିଙ୍କ ଋଣ ଶୁଝୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ: ଭାଜପା ସାଂସଦମାନଙ୍କ କର୍ମଶାଳାରେ ଯୋଗ ଦେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ତାଙ୍କ ସରକାର ମୁକେଶ ଅମ୍ବାନୀଙ୍କ ପାଇଁ ଜମି ସଂଗ୍ରହ କରିବା ପାଇଁ ଜମି ଅଧିଗ୍ରହଣ ବିଲ୍ ଆଣିନାହାନ୍ତି। ଏହା ସଂପୂର୍ଣ୍ଣ ଭାବେ କୃଷକଙ୍କ ଫାଇଦାକୁ ଦେଖି ଅଣାଯାଇଛି। ଅନ୍ୟପକ୍ଷରେ ପ୍ରାୟ ଦୁଇ ମାସର ଅଜ୍ଞାତବାସ ପରେ ନୂଆଦିଲ୍ଲୀ ଫେରିଆସିଥିବା କଂଗ୍ରେସ ଉପ-ସଭାପତି କହିଛନ୍ତି ଯେ ବ୍ୟବସାୟୀଙ୍କ ଋଣ ଶୁଝିବା ପାଇଁ ମୋଦି ସରକାର ଜମି ଅଧିଗ୍ରହଣ ବିଲ୍ ଆଣିଛନ୍ତି। ନୂଆଦିଲ୍ଲୀର […]

rahul with plough

Rakesh Mallick
  • Published: Sunday, 19 April 2015
  • , Updated: 21 April 2015, 06:25 AM IST

ନୂଆଦିଲ୍ଲୀ: ଭାଜପା ସାଂସଦମାନଙ୍କ କର୍ମଶାଳାରେ ଯୋଗ ଦେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ତାଙ୍କ ସରକାର ମୁକେଶ ଅମ୍ବାନୀଙ୍କ ପାଇଁ ଜମି ସଂଗ୍ରହ କରିବା ପାଇଁ ଜମି ଅଧିଗ୍ରହଣ ବିଲ୍ ଆଣିନାହାନ୍ତି। ଏହା ସଂପୂର୍ଣ୍ଣ ଭାବେ କୃଷକଙ୍କ ଫାଇଦାକୁ ଦେଖି ଅଣାଯାଇଛି। ଅନ୍ୟପକ୍ଷରେ ପ୍ରାୟ ଦୁଇ ମାସର ଅଜ୍ଞାତବାସ ପରେ ନୂଆଦିଲ୍ଲୀ ଫେରିଆସିଥିବା କଂଗ୍ରେସ ଉପ-ସଭାପତି କହିଛନ୍ତି ଯେ ବ୍ୟବସାୟୀଙ୍କ ଋଣ ଶୁଝିବା ପାଇଁ ମୋଦି ସରକାର ଜମି ଅଧିଗ୍ରହଣ ବିଲ୍ ଆଣିଛନ୍ତି। ନୂଆଦିଲ୍ଲୀର ରାମଲୀଳା ମଇଦାନରେ କିଷାନ କ୍ଷେତ ମଜଦୂରର ମହାରାଲିରେ ଯୋଗ ଦେଇ ସେ କହିଥିଲେ ଏ କଥା। ଅଜ୍ଞାତବାସରୁ ଫେରିବା ପରେ ଏହା ତାଙ୍କର ପ୍ରଥମ ସାଧାରଣ ସଭା ହୋଇଥିବା ବେଳେ ସେ ଏଥିରେ ପୂରା ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ।

ରାହୁଲ କହିଥିଲେ, ଦେଶର କୃଷକ ଓ ଶ୍ରମିକମାନଙ୍କ ଭିତରେ ଭାଳେଣି ପଡ଼ିଯାଇଛି। ସେମାନେ ଡରି ଯାଇଛନ୍ତି। କାରଣ ସେମାନଙ୍କୁ ଘାରିଛି ନିଜ ଜମି ଚିନ୍ତା। କେନ୍ଦ୍ର ସରକାର ଯେଉଁ ନୀତି ଧରିଲେଣି ସେଥିରେ କେତେ ବେଳେ ଯେ ସେମାନଙ୍କର ଜମି ଚାଲିଯିବ ତାହା ଜଣାନାହିଁ। ସରକାରଙ୍କ ନୀତି ଅନୁଯାୟୀ ଆଉ କୌଣସି ଚାଷୀ ଅବା ଶ୍ରମିକର ନିଜ ଜମି ଉପରେ ଆଉ ହକ୍ ରହିବ ନାହିଁ। ତେବେ କୃଷକ ଓ ଶ୍ରମିକମାନେ ସେମାନଙ୍କର ହକ୍ ପାଇଁ ଯେଉଁ ଲଢ଼େଇ ଆରମ୍ଭ କରିଛନ୍ତି ସେଥିରେ କଂଗ୍ରେସର ପୂରା ସମର୍ଥନ ରହିବ। କଂଗ୍ରେସ ସେମାନଙ୍କ ସହିତ ମିଶି ଏ ଲଢ଼େଇ ଲଢ଼ିବ। ସବୁବେଳେ ସେମାନଙ୍କ ସହିତ ରହିବ। ସେ ନିଜେ ଏହି ଲଢ଼େଇ ଲଢ଼ିବେ।

ସେ କହିଥିଲେ, କୃଷକମାନେ ହେଉଛନ୍ତି ଦେଶର ଶକ୍ତି। ଯେତେବେଳେ ବି ତାଙ୍କୁ କୃଷକମାନଙ୍କୁ ସହଯୋଗ କରିବାକୁ ମଉକା ମିଳିବ ସେତେବେଳେ ସେ ନିଶ୍ଚିତ ଏହି କାମ ପୂରା ମନଧ୍ୟାନ ଦେଇ କରିବେ। ସେ ବୁନେ୍ଦଲଖଣ୍ଡରେ ଚାଷୀମାନଙ୍କୁ ସହଯୋଗ କରିଥିଲେ। ଓଡ଼ିଶାର ନିୟମଗିରି ପ୍ରସଙ୍ଗରେ ଆଦିବାସୀଙ୍କ ଦାବିକୁ ସମର୍ଥନ କରିଥିଲେ। ତେଣୁ ଏ ଲଢ଼େଇ ବି ଲଢ଼ିବେ।

ଭାଜପା ସାଂସଦକଙ୍କ କର୍ମଶାଳାରେ ଆଜି ମୋଦି କହିଥିଲେ ଯେ ତାଙ୍କ ସରକାର ହେଉଛି ଗରିବଙ୍କ ସରକାର। ଗରିବଙ୍କ ଉନ୍ନତି ପାଇଁ ତାଙ୍କ ସରକାର ଚିନ୍ତା କରିବ। କିନ୍ତୁ ରାମଲୀଳା ମଇଦାନରେ ରାହୁଲ କହିଥିଲେ ଯେ ମୋଦି ସରକାର ଚାଷୀ ବିରୋଧୀ ସରକାର। ଗରିବଙ୍କ ବିରୁଦ୍ଧରେ କାମ କରୁଛି ଏହି ସରକାର। ଚାଷୀମାନେ ଏ ଦେଶର ମୂଳଦୁଆ ହୋଇଥିବା ବେଳେ ସରକାର ସେହି ମୂଳଦୁଆର ହିଁ ମୂଳ ଉପାଡ଼ି ଦେବା ଲାଗି ବସିଛନ୍ତି। କଂଗ୍ରେସ ଚାଷୀମାନଙ୍କୁ ସାହୁକାରଙ୍କ କବଳରୁ ଉଦ୍ଧାର କରିଥିଲା। କିନ୍ତୁ ଏବର ମୋଦି ସରକାର ଚାଷୀଙ୍କ ଜମିକୁ ଉଦ୍ୟୋଗପତିମାନଙ୍କୁ ଦେବା ପାଇଁ ଚକ୍ରାନ୍ତ କରୁଛନ୍ତି।

ସେହିପରି ମୋଦିଙ୍କ ମେକ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ମଧ୍ୟ ସମାଲୋଚନା କରିଥିଲେ ରାହୁଲ। ସେ କହିଥିଲେ, ଏହା ହେଉଛି ଏକ ବିଫଳ କାର୍ଯ୍ୟକ୍ରମ। ଏହା ଫେଲ୍ ମାରିବ ଓ ଧୂଳିଚାଟିବ। ମେକ୍ ଇଣ୍ଡିଆ ନାଁରେ ମୋଦି ବିଦେଶରେ ମିଛ ତଥ୍ୟ ଦେଉଛନ୍ତି।
ଏହି ମହାରାଲିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଯୋଗ ଦେଇ କହିଲେ, ଦେଶର କୃଷକସମାଜ ମୋଦିଙ୍କ ଚାଲ ବୁଝିସାରିଲେଣି। ତାଙ୍କ ସରକାର କୃଷକମାନଙ୍କ ଦେଉଥିବା କ୍ଷତିପୂରଣ କେବଳ ନାମମାତ୍ର। ଏ ସରକାର ଯେଉଁ ଜମି ଅଧିଗ୍ରହଣ ବିଲ୍ ଆଣି ନୀତି ବଦଳାଇବା ପାଇଁ ଚାହୁଁଛନ୍ତି ତାହା ସଂପୂର୍ଣ୍ଣ ଭାବେ କୃଷକ ବିରୋଧୀ। ଏହି ବିଲ୍ ଆଇନରେ ପରିଣତ ହୋଇଗଲେ କୃଷକ, ଶ୍ରମିକ ଓ ଆଦିବାସୀ ଲୋକେ ବହୁତ ହଇରାଣ ହେବେ। ତେବେ ଏଥିରେ କେବଳ ଫାଇଦା ପାଇବେ କଂପାନୀମାନ । ତେବେ କୃଷକ ଓ ଶ୍ରମିକମାନଙ୍କର ସ୍ୱରକୁ କେହି ଦବାଇ ପାରିନି କି ଆଗକୁ ବି ଦବାଇ ପାରିବେ ନାହିଁ। ସମସ୍ତଙ୍କ ହିତ ପାଇଁ କଂଗ୍ରେସ ସଂଘର୍ଷ ଜାରି ରଖିବ।ବରିଷ୍ଠ ନେତା ଦିଗବିଜୟ ସିଂହ ସଭା ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥିରେ ଉପସ୍ଥିତ ଥିଲେ। ସେ କହିଥିଲେ, ମୋଦି ସରକାର ଚାଷୀମାନଙ୍କ କଥା ଚିନ୍ତା କରୁନାହାନ୍ତି । କଂଗ୍ରେସ ଚାଷୀଙ୍କ ପାଇଁ ସଂଘର୍ଷ କରିଛି ଓ ଏବେ ବି କରିବ।

ଏହି ମହାରାଲିରେ ଦେଶର ବିଭିନ୍ନ ସ୍ଥାନରୁ କୃଷକମାନେ ଯୋଗ ଦେଇଥିଲେ। ଜମି ଅଧିଗ୍ରହଣ ବିଲ୍ ବିରୋଧରେ ଏହି ମହାରାଲି ହୋଇଥିବା କୁହାଯାଉଥିବା ବେଳେ ଲୋକସଭା ଓ ପରେ ପରେ ଲଗାତାର କିଛି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଧରାଶାୟୀ ହୋଇପଡ଼ିଥିବା କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଏହି ରାଲି କରିଥିଲା ବୋଲି କୁହାଯାଉଛି।

Related story