ୱାଶିଂଟନ୍: ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ୟୁକ୍ରେନର ପରିସ୍ଥିତି ସମ୍ପର୍କରେ ଶୁକ୍ରବାର ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ବିପଦ ଜନକ ଭାବେ ନିଜର କାୟା ବିସ୍ତାର କରୁଥିବା ଓ ଇରାନ୍ ପରମାଣୁ ସମ୍ପର୍କିତ ବାର୍ତ୍ତା ଉପରେ ଆଲୋଚନା କରିଛନ୍ତି।
ହ୍ୱାଇଟ୍ ହାଉସ ତରଫରୁ କୁହାଯାଇଛି, ଓବାମା ଓ ପୁତିନ୍ ଇସଲାମିକ୍ ଷ୍ଟେଟର ବଢୁଥିବା ଆତଙ୍କୀ ରାଜ୍ ଓ ୟୁକ୍ରେନରେ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମଧ୍ୟ ଓ ପୂର୍ବ ୟୁରୋପରେ ସୁରକ୍ଷାକର୍ମୀ ଓ ଅସ୍ତ୍ରଶସ୍ତ୍ର ମୁତୟନ କରିବ ବୋଲି ଆମେରିକା କହିଛି। ସେହିପରି ନାଟୋ ପୂର୍ବ ୟୁରୋପରେ ଅଧିକ ସଂଖ୍ୟକ ସୈନିକଙ୍କୁ ମୁତୟନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ହ୍ୱାଇଟ୍ ହାଉସ୍ ତରଫରୁ ଜଣାପଡିଛି ଓବାମା ୟୁକ୍ରେନ୍ ମାଟିରୁ ରୁଷ ତା’ର ସୁରକ୍ଷା ବାହିନୀ ଓ ଉପକରଣ ହଟାଇବା ସହ ମିସ୍କ ଚୁକ୍ତି ଅନୁଯାୟୀ ରୁଷ ଆଉ ଥରେ ସବୁ ପ୍ରତିଶ୍ରୁତି ପାଳନ କରିବା ଉଚିତ ବୋଲି କହିଛନ୍ତି। ସରିଆରେ ଜଟିଳ ହେଉଥିବା ପରିସ୍ଥିତି ସମ୍ପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି। ଏହାସହ ଇରାନର ପରମାଣୁ ବୋମା ହାସଲରୁ ଅଟକାଇବାକୁ ଜାରି ହୋଇଥିବା ବାର୍ତ୍ତାରେ ପି-୫ ପ୍ଲସ୍ ୧(ଆମେରିକା, ଚୀନ, ଫ୍ରାନ୍ସ, ରୁଷ୍ ବ୍ରିଟେନ୍ ଓ ଜର୍ମାନ୍)ର ନେତାମାନଙ୍କ ମଧ୍ୟରେ ଏକତା ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି।