ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ଏକଜିଟ୍ ପୋଲ୍ ଫଳାଫଳକୁ ନେଇ ରାଜନୀତି ସରଗରମ। ଗୁରୁବାର ଆସିଥିବା ବାହୁଡ଼ା ମତରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଚଳିତ ହୋଇପଡ଼ିଛନ୍ତି। କ୍ଷମତା ହାସଲ ପାଇଁ ସେ ସାମ୍ପ୍ରଦାୟିକ ପ୍ରସଙ୍ଗକୁ ଉଠେଇଛନ୍ତି । ଅଖିଳେଶ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ସାମ୍ପ୍ରଦାୟିକ ଶକ୍ତିକୁ ରୋକିବା ପାଇଁ ସବୁ ଧର୍ମନିରେପକ୍ଷ ଗୋଷ୍ଠୀ ଏକାଠି ହେବା ଆବଶ୍ୟକ। ଏପରିକି ସେ ନିଜର ରାଜନୈତିକ ବିରୋଧୀ ମାୟାବତୀଙ୍କ ସହଯୋଗ ଲୋଡ଼ିଛନ୍ତି। ତେବେ ମେଣ୍ଟରେ ସାମିଲ ହେବା ପାଇଁ ସେ ବିଏସପିର ନାଁ ସିଧାସଳଖ ନେଇ ନ ଥିବା ବେଳେ ପରୋକ୍ଷରେ ଇଶାରା କରିଛନ୍ତି। ପୂର୍ବରୁ ଅଖିଳଶଙ୍କ ଦଳ ଏସ୍ପି କଂଗ୍ରେସ ସହ ମେଣ୍ଟ କରିଥିବା ବେଳେ ଏବେ ସେ ବିଏସପିର ସହଯୋଗ ଲୋଡ଼ିଛନ୍ତି।
୧୯୯୩ରେ ବିଜେପିକୁ ରୋକିବାକୁ ଏକାଠି ହୋଇଥିଲେ ଏସ୍ପି ଓ ବିଏସ୍ପି। ସେତେବେଳେ ରାମ ଜନ୍ମଭୂମି ପ୍ରସଙ୍ଗ ଶୀର୍ଷରେ ଥିଲା। ବିଧାନସଭାରେ ବିଜେପିକୁ ବହୁମତ ହାସଲ ନ କରାଇ ଦେବାକୁ ଏହି ପରସ୍ପର ବିରୋଧୀ ଦଳ ଦ୍ୱୟ ଏକାଠି ହୋଇଥିଲେ। ଏସ୍ପି ଓ ବିଏସ୍ପି ମେଣ୍ଟରେ ମୁଲାୟମ ସିଂହ ଯାଦବ ହୋଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏହି ମେଣ୍ଟ ଅଧିକ ଦିନ ଚାଲି ନ ଥିଲା। ୧୯୯୫ରେ ଏସ୍ପିର ହାତ ଛାଡ଼ି ଦେଇଥିଲା ବିଏସ୍ପି ଓ ମୁଲାୟମଙ୍କ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଯାଇଥିଲା।
ରାଜନୀତିରେ କିଛି ଚିରସ୍ଥାୟୀ ନୁହେଁ। ବିହାରରେ ଯଦି ନୀତିଶ କୁମାର ତାଙ୍କର ଶତ୍ରୁ ଲାଲୁ ପ୍ରସାଦ ଯାଦବଙ୍କ ସହିତ ହାତ ମିଳାଇ ପାରିଲେ ତା’ହେଲେ ଏସ୍ପି ଓ ବିଏସ୍ପି କାହିଁକି ଏକାଠି ନ ହୋଇପାରିବେ। ହୁଏତ ଏସ୍ପିରୁ ମେଣ୍ଟ ନେଇ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଗଲେ ବିଜେପିକୁ ରୋକିବା ପାଇଁ ବିଏସ୍ପି ହଁ ଭରିପାରେ।
ଏକ୍ଜିଟ୍ ପୋଲ୍ରେ ଯାହା ରିପୋର୍ଟ ଆସିଛି ତାକୁ ମୋଟା ମୋଟି ମିଶାଇ ଦେଲେ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ବିଜେପି ୧୬୪ରୁ ୨୭୯ଟି ମଧ୍ୟରେ ଆସନ ପାଇବ। ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୨୦୨ଟି ଆସନ। ବିଜେପି ୨୦୨ ପାର ହୋଇଗଲେ କିଛି ଅସୁବିଧା ନାହିଁ! ତେବେ ଏକ୍ଜିଟ୍ ପୋଲ୍ରେ ଦର୍ଶାଯାଇଥିବା ସଂଖ୍ୟା ଭଳି ଯଦି ବିଜେପି ୧୬୪, ୧୭୬, ୧୮୫ ଓ ୧୯୦ ଭଳି ସଂଖ୍ୟାରେ ଅଟକି ଗଲେ ଏସ୍ପି ଓ କଂଗ୍ରେସ ମେଣ୍ଟ ବିଏସ୍ପିକୁ ନିଜ ଆଡ଼କୁ ଆଣିବାକୁ ଉଦ୍ୟମ ଆରମ୍ଭ କରି ଦେବେ ଏବଂ ବିଜେପିର ବାଟ ଓଗାଳିବାକୁ ଚେଷ୍ଟା କରିବେ। କାରଣ ଏକ୍ଜିଟ୍ ପୋଲ୍ ଅନୁଯାୟୀ ଏସ୍ପି ଓ କଂଗ୍ରେସ ଯେତିକି ସଂଖ୍ୟା ପାଉଛନ୍ତି ସେଥିରେ ସେମାନେ ସରକାର ଗଢ଼ି ପାରିବେ ନାହିଁ। ଏସ୍ପି ଓ କଂଗ୍ରେସ୍ ମେଣ୍ଟକୁ ୮୮ରୁ ୧୬୯ଟି ମଧ୍ୟରେ ଆସନ ମିଳିପାରେ। ବିଏସ୍ପିକୁ ୬୦ରୁ ୯୦ଟି ମଧ୍ୟରେ ଆସନ ମିଳିପାରେ। ଏକ୍ଜିଟ୍ ପୋଲ୍ରେ ଆସିଥିବା ଏହି ତିନି ପାର୍ଟିର ସର୍ବନିମ୍ନ ସଂଖ୍ୟାକୁ ମିଶାଇ ଦେଲେ ୧୪୮ଟି ଆସନ ହେଉଛି। ତେଣୁ ଏମିତି ହେଲେ ଏମାନଙ୍କ ପାଖରେ ସରକାର ଗଢ଼ିବାର ମୌକା ଉଠୁ ନାହିଁ। ଏକ୍ଜିଟ୍ ପୋଲ୍ରୁ ମିଳିଥିବା ସର୍ବାଧିକ ଆସନ ସଂଖ୍ୟାକୁ ମିଶାଇଲେ ହେଉଛି ୨୫୯। ଅର୍ଥାତ ସରକାର ଗଢ଼ିପାରିବେ। କିନ୍ତୁ ଇଣ୍ଡିଆ ଟୁଡ଼େ କରିଥିବା ଏକ୍ଜିଟ୍ ପୋଲ୍ରେ ବିଜେପି ୨୫୧ରୁ ୨୭୯ ମଧ୍ୟରେ ଆସନ ପାଇବ ବୋଲି କୁହାଯାଇଛି। ଯଦି ବିଜେପି ୨୭୯ ଆସନ ପାଇବ ତା’ହେଲେ ଏସ୍ପି ଓ କଂଗ୍ରେସ ମେଣ୍ଟ ନିଜ ସାଥୀରେ ବିଏସ୍ପିକୁ ମିଶାଇଲେ ବି ସରକାର ଗଢ଼ିପାରିବେ ନାହିଁ।
ବିଏସ୍ପିକୁ ମେଣ୍ଟକୁ ଆଣି ବିଜେପିର ରାସ୍ତାରୋକିବାକୁ ଏସ୍ପି ପ୍ରସ୍ତୁତ ହେଉଥିବା ବେଳେ ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଛି ଯେ ଏହା ୨୪୦ରୁ ଅଧିକ ଆସନ ପାଇ ବହୁମତ ହାସଲ କରିବ।
ତେବେ ଆସନ୍ତାକାଲି ଫଳାଫଳ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।