ୱାଶିଂଟନ: ଦେବାଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା । ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ । ସମସ୍ତେ ନିଜ ମନରେ ଭଗବାନ୍ଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ପୂଜା କରୁଥିବା ଭଗବାନ୍ଙ୍କ ଫଟୋ ଟଏଲେଟ୍ ଏବଂ ବାଥ୍ରୁମ୍ରେ ପାଇବେ ଆପଣଙ୍କୁ କେମିତି ଲାଗିବ? ଏମିତି କିଛି ଘଟିଛି ଆମେରିକାରେ।
ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ ଥିବା ଆସନ ବିକ୍ରି କରୁଛି। ଏହି ଆସନ ଗୁଡିକ ଟଏଲେଟ୍ ଏବଂ ଗାଧୋଇବା ଘରେ ବ୍ୟବହାର କରାଯାଉଛି। ଯାହାକୁ ନେଇ ବିବାଦ ଉଙ୍କି ମାରିଛି।
ଭଗବାନ୍ ଶିବଙ୍କର ତିନି ଆଖି ବିଶିଷ୍ଟ ଫଟୋକୁ ସ୍ନାନ ଆସନ ଭାବରେ ବିକ୍ରି କରାଯାଉଛି। ସେହିପରି ଗଣେଶଙ୍କ ଫଟୋ ମଧ୍ୟ ବେଧଡକ୍ ବିକ୍ରି ଚାଲିଛି। ପ୍ରତ୍ୟେକ ଫଟୋକୁ ୩୮ ଡଲାରରେ ବିକ୍ରି କରାଯାଉଛି। ଏହାକୁ ନେଇ ହିନ୍ଦୁ ଧର୍ମାବଲମ୍ବୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।