ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଗଣିତର ସମାଧାନ ଯେତେ ପାଖେଇ ଆସୁଛି ଶିବସେନାକୁ କଂଗ୍ରେସ-ଏନ୍ସିପି ସମର୍ଥନ ଦେବାର ଆଶା ସେତେ ମଉଳିବାରେ ଲାଗିଛି। ମହାରାଷ୍ଟ୍ର ବିଧାନସଭା ଭାଙ୍ଗିବାକୁ ଆଉ ୩ ଦିନ ବାକିଥିବାବେଳେ ମୁଖ୍ୟମନ୍ତ୍ରୀ ପଦରେ ସବୁକିଛି ଅଟକି ଯାଇଛି। ଶିବସେନା ଠାକ୍ରେ ପରିବାରର ପ୍ରଥମ ଜନପ୍ରତିନିଧି ଆଦିତ୍ୟ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ିବ ବସିଥିବାବେଳେ କିଛି ଆସନ ହ୍ରାସ ପାଇଥିଲେ ହେଁ ବିଜେପି ମଧ୍ୟ ପଦ ଛାଡ଼ିବାକୁ ରାଜି ହେଉନାହିଁ। ତେବେ ଏଭଳି ମୁହୂର୍ତ୍ତରେ ଶିବସେନା ଯେକୌଣସି ମତେ ସରକାର ଗଠନ ପାଇଁ ଆଗ୍ରହୀ ଥିବାରୁ ଏନ୍ସିପି ଏବଂ କଂଗ୍ରେସ ଉପରେ ସ୍ତମସ୍ତଙ୍କ ନଜର ରହିଛି।
ଗତ ନିର୍ବାଚନରେ କଂଗ୍ରେସ ଏବଂ ଏନ୍ସିପି ଏକାଠି ବିଜେପି-ଶିବସେନା ବିରୋଧରେ ଲଢ଼ିଥିଲେ। ତେବେ ବିଜେପି-ଶିବସେନା ଗଣିତ ନ ଛିଡ଼ିବାରୁ ଶିବସେନା ନେତା ସଞ୍ଜୟ ରାଉତ ଏନ୍ସିପି ମୁଖ୍ୟ ଶରଦଙ୍କ ପାଖକୁ ମଧ୍ୟ ଯାଇସାରିଛନ୍ତି। ଶରଦ କଂଗ୍ରେସ ମୁଖ୍ୟ ସୋନିଆଙ୍କୁ ମଧ୍ୟ ଭେଟିସାରିଛନ୍ତି। ଅନ୍ୟପକ୍ଷରେ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରେ ବିଜେପିଠାରୁ ଆଉ ଏକ ରାଜ୍ୟ ଛଡ଼ାଇବା ପାଇଁ କଂଗ୍ରେସ ପାଖରେ ସୁଯୋଗ ରହିଛି। ତେବେ କଂଗ୍ରେସ ଏବଂ ଏନ୍ସିପି କାହିଁକି ପଛଘୁଞ୍ଚା ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କଂଗ୍ରେସକୁ ସମ୍ଭବତଃ କର୍ଣ୍ଣାଟକା ଆଶଙ୍କା ଏପରି କରିବାକୁ ବାଧ୍ୟ କରୁଛି। କର୍ଣ୍ଣାଟକାରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହେବାରୁ ଜେଡିଏସ୍କୁ ସମର୍ଥନ ଦେଇ ଏଚ୍ଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ଏପରି କରି କଂଗ୍ରେସ ବିଜେପିକୁ କ୍ଷମତା ବାହାରେ ରଖିବାରେ ସଫଳ ହୋଇଥିଲା। ପରେ କିନ୍ତୁ କଂଗ୍ରେସ-ଜେଡିଏସ୍ ମେଣ୍ଟ ଭାଙ୍ଗିବା ସହ ମାତ୍ର ୧୩ ମାସରେ ପୁଣି ସରକାରକୁ ପଳାଇଆସିଛି। ବେଶ୍ କିଛି କଂଗ୍ରେସ ଏବଂ ଜେଡିଏସ୍ ନେତା ବିଦ୍ରୋହ କରିବା ସରକାରଙ୍କର ଚିନ୍ତା ବଢ଼ାଇଦେଇଥିଲା।
କର୍ଣ୍ଣାଟକା ସ୍ମୃତି ଏବେ ମଧ୍ୟ କଂଗ୍ରେସ ମନରୁ ଲିଭିନଥିବାବେଳେ ହରିଆଣାରେ ମଧ୍ୟ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଛି। ବିଜେପି ଦୁଷ୍ୟନ୍ତ ଚୋଟାଲାଙ୍କୁ ପକେଟ୍ସ୍ଥ କରିବାରେ ସଫଳ ହୋଇଛି। ଏହା କଂଗ୍ରେସର ଦୁର୍ବଳତାକୁ ସାମ୍ନାକୁ ଆଣିଛି। ଅନ୍ୟପକ୍ଷରେ ଏନ୍ସିପି-କଂଗ୍ରେସ ଶିବସେନାକୁ ଏଯାଏ ବିଶ୍ୱାସରେ ନଷିପାରୁନାହାନ୍ତି। କାରଣ ଏଯାଏ ଶିବସେନା ବିଜେପି ସହ ମେଣ୍ଟ ଭାଙ୍ଗିନାହିଁ। କୁହାଯାଉଛି ଶିବସେନା ଦେଣ ନେଣ ନିୟମରେ ବିଜେପି ସହ କ୍ଷମତା ଭାଗ ବାଣ୍ଟିବାକୁ ରାଜି ହେବ। ଏଥିପାଇଁ ଶିବସେନା ଶାହ ଗୋଷ୍ଠୀଙ୍କ ସହ ବିଚାର ନ କରି ବିଜେପି
ଅନ୍ୟ ପକ୍ଷରେ ଶିବସେନାର ବୈଚାରିକ ଆଦର୍ଶ ସହ ହିନ୍ଦୁତ୍ୱ ଯୋଡ଼ିହୋଇ ରହିଛି। ଏପରି ଦଳ ଭାବେ ଶିବେସେନା ବିଜେପିର ଏକ ମାତ୍ର ସହଯୋଗୀ। ଅନ୍ୟ ସହଯୋଗୀ ଯେପରିକି ଜେଡିୟୁ, ଏଲ୍ଜେପି ଏବଂ ଶିରୋମଣି ଅକାଳୀ ଦଳ ହିନ୍ଦୁତ୍ୱର ସମର୍ଥନ କରନ୍ତି ନାହିଁ। ବିଜେପିର ଉତ୍ଥାନ ପରେ କଂଗ୍ରେସ କେବଳ ହିନ୍ଦୁତ୍ୱକୁ ନେଇ ଟାର୍ଗେଟ୍ କରିଆସୁଛି। ତେଣୁ ଯଦି କଂଗ୍ରେସ ଶିବସେନାକୁ ସରକାର ଭିତରେ ଥାଇ ବା ବାହାରୁ ସମର୍ଥନ କରିବା ଖୋଦ୍ କଂଗ୍ରେସ ପାଇଁ ଆତ୍ମଘାତୀ ହେବ। ଅନ୍ୟପକ୍ଷରେ ଏପରି କଲେ କଂଗ୍ରେସର ବିଚାରକୁ ବିଜେପି ବହୁଦିନ ଧରି ‘ସ୍ୟୁଡୋ ସେକ୍ୟୁଲାରିଜିମ୍’ କହିଆସୁଥିବା ପ୍ରୟାସକୁ ଇନ୍ଧନ ଯୋଗାଇବ। ମୁସଲିମ୍ ଭୋଟ୍ କଂଗ୍ରେସର ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିବାବେଳେ ଏହି ନିଷ୍ପତ୍ତି କଂଗ୍ରେସକୁ ବେଶ୍ କିଛି ପାଦ ପଛକୁ ନେଇଯିବ। ସେହିଭଳି ଶରଦ ପାୱାର ମଧ୍ୟ କଂଗ୍ରେସ ବିନା ଏକ ପ୍ରକାର ଅଧୁରା ହୋଇଥିବାରୁ ସେ କଂଗ୍ରେସର ସ୍ୱୀକୃତି ବିନା ଶିବସେନାକୁ ସମର୍ଥନ କରିବେ କି ନା ଦ୍ୱନ୍ଦ୍ୱରେ ଅଛନ୍ତି।