କଂଗ୍ରେସ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଦେଶର ୧୩୪ ବର୍ଷ ପୁରୁଣା କଂଗ୍ରେସ ଦଳର ସଭାପତି ହୋଇଛନ୍ତି ୭୨ ବର୍ଷୀୟ ସୋନିଆ ଗାନ୍ଧି। ୨୦ ମାସ ପୂର୍ବରୁ ସୋନିଆ ଗାନ୍ଧି ଦଳର ଦାୟିତ୍ୱ ରାହୁଲଙ୍କୁ ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଦଳ ପୁଣି ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଏକ ଗୁରୁ ଦାୟିତ୍ୱ ଦେଇଛି। ଏହି ପଦବୀ ତାଙ୍କ ପାଇଁ ନୁଆ ନୁହେଁ, କିନ୍ତୁ କାହିଁକି ପୁଣି ଥରେ ତାଙ୍କୁ ଦଳ ଏହି ଦାୟିତ୍ୱ […]

SONIA GANDHI

Subhransu Sekhar
  • Published: Monday, 12 August 2019
  • , Updated: 12 August 2019, 12:04 PM IST

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଦେଶର ୧୩୪ ବର୍ଷ ପୁରୁଣା କଂଗ୍ରେସ ଦଳର ସଭାପତି ହୋଇଛନ୍ତି ୭୨ ବର୍ଷୀୟ ସୋନିଆ ଗାନ୍ଧି। ୨୦ ମାସ ପୂର୍ବରୁ ସୋନିଆ ଗାନ୍ଧି ଦଳର ଦାୟିତ୍ୱ ରାହୁଲଙ୍କୁ ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଦଳ ପୁଣି ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଏକ ଗୁରୁ ଦାୟିତ୍ୱ ଦେଇଛି। ଏହି ପଦବୀ ତାଙ୍କ ପାଇଁ ନୁଆ ନୁହେଁ, କିନ୍ତୁ କାହିଁକି ପୁଣି ଥରେ ତାଙ୍କୁ ଦଳ ଏହି ଦାୟିତ୍ୱ ଦେଇଛି ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳ ବାହାର ଲୋକଙ୍କ ଯୁକ୍ତି ରହିଛି ଯେ କଂଗ୍ରେସ ଗାନ୍ଧି ପରିବାର ଦ୍ୱାରା ପରିଚାଳିତ। ତେଣୁ ତାଙ୍କ ପରିବାରର  ସଦସ୍ୟ ବ୍ୟତୀତ ଅନ୍ୟ ନେତାଙ୍କୁ ଦଳ ସଭାପତି କରିବ ନାହିଁ। ଅନ୍ୟପଟେ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ପରେ ସୋନିଆ ଗାନ୍ଧି ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କଂଗ୍ରେସକୁ ବିଭିନ୍ନ ସମୟରେ ସଙ୍କଟରୁ ମୁକୁଳାଇଛନ୍ତି।

ଇଟାଲୀର ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ସୋନିଆ ଗାନ୍ଧି ରାଜୀବ ଗାନ୍ଧିଙ୍କୁ ବିବାହ କରିବା ପରେ ଭାରତର ସବୁଠାରୁ କ୍ଷମତାଶାଳୀ ପରିବାରର ସଦସ୍ୟ ହୋଇଥିଲେ। ଗାନ୍ଧି ପରିବାର ସହ ଯୋଡ଼ି ହେବା ପରେ ତିନି ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିନଥିଲେ ମଧ୍ୟ ସେ ଦଳର ନେତୃତ୍ୱ ନେଇ ଦଳକୁ କମ୍ ସମୟରେ ଅନେକ ସଫଳତା ଆଣି ଦେଇଛନ୍ତି। ଆଉ ଏହି ସଫଳତା ପଛର କାରଣ ହେଉଛି ତାଙ୍କର ଧୈର୍ଯ୍ୟ ଓ ନୀରବତା।

ସୋନିଆ ଗାନ୍ଧି ୧୯୯୭ରେ ସକ୍ରିୟ ରାଜନୀତିରେ ସାମିଲ୍ ହୋଇଥିଲେ। କିନ୍ତୁ ୧୯୯୧ରୁ କଂଗ୍ରେସର ଆଗାମୀ ଭବିଷ୍ୟତ ସୋନିଆ ବୋଲି ଦଳର ଏକ ଗୋଷ୍ଠୀ କହି ଆସୁଥିଲା। ଏହି ସମୟରେ ସେ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ନିଜକୁ ଦୂରେଇ ରଖିଥିଲେ। ୧୯୯୮ରେ ସୋନିଆ ଦଳର ସଭାପତି ହେବା ପରେ ସକ୍ରିୟ ରାଜନୀତିରେ ସାମିଲ୍ ହୋଇଥିଲେ। ଏହି ସମୟରେ ଦଳର ସ୍ଥିତି ବହୁତ ଖରାପ ଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରଭାବ ସାରା ଦେଶରେ ବଢ଼ୁଥିଲା। ଏହି ସମୟରେ ମୁଖ୍ୟତଃ ଅଣ କଂଗ୍ରେସ ଏବଂ ଅଣ ବିଜେପି ଦଳ ଦେଶର ରାଜନୀତିରେ ଅଧିକ ସକ୍ରିୟ ରହୁଥିଲେ। କଂଗ୍ରେସ ୧୯୯୮ରେ କେନ୍ଦ୍ରରେ ଶାସନ କରୁଥିଲେ ମଧ୍ୟ ମାତ୍ର ୪ଟି ରାଜ୍ୟରେ ଶାସନ କରୁଥୁଲା।

୧୯୯୯ ମସିହାରେ ହୋଇଥିବା ଲୋକସଭା ନିର୍ବାଚନରେ ସୋନିଆ ଗାନ୍ଧି ଆମେଠିରୁ ସାଂସଦ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ସରକାର ଗଠନ କରିଥିଲା ବିଜେପି। ଏହି ସମୟରେ ତାଙ୍କର ପ୍ରଭାବ ଭାରତୀୟ ରାଜନୀତିରେ ବଢ଼ିଥିଲା। ୫ ବର୍ଷ ମଧ୍ୟରେ ସେ ଦଳର ରଣନୀତି ଏପରି ପ୍ରସ୍ତୁତ କଲେ ଯେ ୨୦୦୪ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ କ୍ଷମତାଚ୍ୟୁତ କରିଥିଲେ। ୨୦୦୪ରେ କିନ୍ତୁ ସେ ରାହୁଲ ଗାନ୍ଧିଙ୍କୁ ଆମେଠି ଆସନ ଛାଡ଼ି ଦେଇ ରାଏବରେଲିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯, ୧୩ ଏବଂ ୧୯ରୁ ଲଗାତର ରାଏବରେଲିରୁ ସାଂସଦ ଭାବରେ ସୋନିଆ ନିର୍ବାଚିତ ହୋଇ ଆସୁଛନ୍ତି।

୨୦୦୪ ଓ ୨୦୦୯ରେ ମନମୋହନ ସିଂହଙ୍କୁ କରାଇଲେ ପ୍ରଧାନମନ୍ତ୍ରୀ

୨୦୦୪ରେ ଦେଶର ଜନତା କଂଗ୍ରେସକୁ ଜନମତ ଦେଇଥିଲେ। ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଅଧିକ ଥିଲା। ହେଲେ ବିରୋଧୀ ଦଳ ସୋନିଆ ଇଟାଲୀରେ ଜନ୍ମିତ ବ୍ୟକ୍ତି ହୋଇଥିବାରୁ ତାଙ୍କର ପ୍ରଧାନମନ୍ତ୍ରୀ ହେବାକୁ ଜୋରଦାର ବିରୋଧ କରିଥିଲେ। ଏହାପରେ ନିଜେ କ୍ଷମତାରେ ନ ରହି ପୂର୍ବତନ ଆରବିଆଇ ଗଭର୍ଣ୍ଣର ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇଥିଲେ। ଉଭୟ ଦଳ ଏବଂ ସରକାରକୁ ସୋନିଆ ହିଁ ପଛପଟୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା। ୨୦୦୪ ପରେ ମଧ୍ୟ ୨୦୦୯ରେ ପୁଣି ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇଥିଲେ ସୋନିଆ। ଏହି ସମୟରେ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାରରେ ରହିଥିଲା।

୨୦୦୪ ନିର୍ବାଚନ ବେଳେ ବାଜପେୟୀ ସରକାରଙ୍କ ଚମକ ସାରା ଦେଶରେ ରହିଥିଲା। ହେଲେ ସମସ୍ତ ବିରୋଧୀଙ୍କୁ ସୋନିଆ ଗାନ୍ଧି କଂଗ୍ରେସ ନେତୃତ୍ୱାଧୀନ ୟୁପିଏରେ ସାମିଲ କରି ବାଜପେୟୀଙ୍କୁ ଚକମା ଦେଇଥିଲେ। ଏମିତିକି ୧୯୯୧ ପରେ ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୯ରେ ଏକାକୀ ୨୦୬ ଆସନ ଜିତିଥିଲା। ଯାହାକି ୧୯୯୧ ପରେ ସର୍ବାଧିକ ଆସନ ଥିଲା।

ସେ ହେଉଛନ୍ତି କଂଗ୍ରେସର ପ୍ରଥମ ବ୍ୟକ୍ତି ଯିଏ କି ଦୀର୍ଘ ୧୫ ବର୍ଷ ହେବ ଲଗାତାର ଦଳର ସଭାପତି ଥିଲେ। ୨୦୧୩ ପରଠୁ ସେ ଅସୁସ୍ଥ ରହୁଥିବାରୁ ସକ୍ରିୟ ରାଜନୀତିରେ  ତାଙ୍କୁ ଏତେଟା ଦେଖିବାକୁ ମିଳୁନଥିଲା।

ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି କଂଗ୍ରେସକୁ ଏକ ପ୍ରକାର ସୁପ୍ତ ଅବସ୍ଥାକୁ ଠେଲି ଦେଇଛି। ଏହାର କାରଣ କଂଗ୍ରେସ ଦଳ ମଧ୍ୟରେ ମତ ପାର୍ଥକ୍ୟ ଏବଂ ବିରୋଧୀଙ୍କୁ ଗୋଟିଏ ଛାତ ତଳକୁ ଆଣିବାରେ ବିଫଳତା ବୋଲି କୁହାଯାଉଛି। ତେଣୁ କଂଗ୍ରେସ ଦଳର ସଫଳ ନେତ୍ରୀଙ୍କୁ ପୁଣି କ୍ୟାପଟେନ କରାଇ ତାଙ୍କ ନେତୃତ୍ଵରେ ବିରୋଧୀଙ୍କୁ ଏକତ୍ରିତ କରି ମୋଦି ସରକାରକୁ ମାତ୍ ଦେଇପାରିବ ବୋଲି କଂଗ୍ରେସ ଚିନ୍ତା କରିଛି।

Related story