ମମତାଙ୍କୁ ‘ଜୟ ଶ୍ରୀରାମ’ ପୋଷ୍ଟକାର୍ଡ, ଫାଇଦାରେ ଡାକ ବିଭାଗ

କୋଲକାତା: ଆପଣ ଶେଷ ଥର ପାଇଁ କେବେ ପୋଷ୍ଟକାର୍ଡର ନାଁ ଶୁଣିଥିଲେ? ମନେ ପକାନ୍ତୁ ତ, ସ୍ୱଚକ୍ଷୁରେ କେବେ ଦେଖିଥିଲେ? ସେକଥା ଛାଡ଼ନ୍ତୁ ଶେଷ ଥର ପାଇଁ କେବେ ପୋଷ୍ଟକାର୍ଡ ପଠାଇଥିଲେ କିମ୍ବା ଡାକବାଲାଠାରୁ ପୋଷ୍ଟକାର୍ଡଟିଏ ଆପଣଙ୍କ ଠିକଣାରେ ଆସିଥିଲା? ନା ବୋଧେ, କାରଣ ବହୁଦିନରୁ ପୋଷ୍ଟକାର୍ଡର ସ୍ଥାନ ନେଇ ସାରିଛି ଏସ୍‌ଏମ୍‌ଏସ୍‌ ଏବଂ ହ୍ୱାଟ୍ସଆପ୍‌ ମେସେଜ୍‌। କିନ୍ତୁ ଗତ ସପ୍ତାହରେ କିଛି ନିଆରା ଘଟଣା ଘଟିଥିଲା। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୧୦ ଲକ୍ଷ […]

postcard

Subrat Kumar Nayak
  • Published: Tuesday, 04 June 2019
  • , Updated: 04 June 2019, 08:52 PM IST

କୋଲକାତା: ଆପଣ ଶେଷ ଥର ପାଇଁ କେବେ ପୋଷ୍ଟକାର୍ଡର ନାଁ ଶୁଣିଥିଲେ? ମନେ ପକାନ୍ତୁ ତ, ସ୍ୱଚକ୍ଷୁରେ କେବେ ଦେଖିଥିଲେ? ସେକଥା ଛାଡ଼ନ୍ତୁ ଶେଷ ଥର ପାଇଁ କେବେ ପୋଷ୍ଟକାର୍ଡ ପଠାଇଥିଲେ କିମ୍ବା ଡାକବାଲାଠାରୁ ପୋଷ୍ଟକାର୍ଡଟିଏ ଆପଣଙ୍କ ଠିକଣାରେ ଆସିଥିଲା? ନା ବୋଧେ, କାରଣ ବହୁଦିନରୁ ପୋଷ୍ଟକାର୍ଡର ସ୍ଥାନ ନେଇ ସାରିଛି ଏସ୍‌ଏମ୍‌ଏସ୍‌ ଏବଂ ହ୍ୱାଟ୍ସଆପ୍‌ ମେସେଜ୍‌।

କିନ୍ତୁ ଗତ ସପ୍ତାହରେ କିଛି ନିଆରା ଘଟଣା ଘଟିଥିଲା। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଯାଇଥିବା ଖବର ଆସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜୟ ଶ୍ରୀରାମ’ ନାରା ଶୁଣି ଫିଡ଼କିଯିବା ପରେ ବିଜେପି ପକ୍ଷରୁ ‘ଜୟ ଶ୍ରୀରାମ’ ଲେଖାଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଯିବ ବୋଲି କୁହାଯାଇଥିଲା।

ମୁମ୍ବାଇରୁ କିଛି ଯୁବକ ମଧ୍ୟ ଏପରି କାର୍ଡ ମମତାଙ୍କୁ ପଠାଇବେ ବୋଲି ଘୋଷଣା କରିବା ପରେ ଏହି ସଂଖ୍ୟା ନିଶ୍ଚୟ ବଢ଼ିଯାଇଛି। ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗ ବିଜେପିର ଚର୍ଚ୍ଚିତ ଚେହେରା ତଥା କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ମଧ୍ୟ ‘ଗେଟ୍‌ ୱେଲ ସୁନ୍‌’ ଲେଖା ପୋଷ୍ଟକାର୍ଡ ପଠାଇବେ ବୋଲି ଘୋଷଣା କରିଛନ୍ତି। ଯଦିଓ ସେ କେତୋଟି ପୋଷ୍ଟକାର୍ଡ ପଠାଇବେ କହିନାହାନ୍ତି , ତଥାପି ଏହା ଉଲ୍ଲେଖନୀୟ ନିଶ୍ଚୟ।

କିନ୍ତୁ ଏଥିରେ ଡାକ ବିଭାଗ ଖୁସି ହେବାର କାରଣ ମଧ୍ୟ ଅଛି। ପୋଷ୍ଟକାର୍ଡ ତିଆରିରେ ଯେତିକି ଖର୍ଚ୍ଚ ହୁଏ ଆୟ ସେତିକି ହୁଏ ନାହିଁ। ଏହାର ଉତ୍ପାଦନ ଖର୍ଚ୍ଚ ତୁଳନାରେ ଆୟର ପରିମାଣ ଅତି ସାମାନ୍ୟ। ବର୍ତ୍ତମାନ ଗୋଟିଏ କାର୍ଡ ପିଛା ଉତ୍ପାଦନ ଖର୍ଚ୍ଚ ୧୨.୧୫ ଟଙ୍କାରେ ପହଞ୍ଚିସାରିଲାଣି। କିନ୍ତୁ ମିଳୁଛି ମାତ୍ର ୫୦ ପଇସା। ତେଣୁ ବିଜେପି-ଟିଏମ୍‌ସି ଲଢ଼େଇରେ ପୋଷ୍ଟକାର୍ଡ ବିକ୍ରି ବଢ଼ିବାରୁ ଡାକ ବିଭାଗ ନିଶ୍ଚୟ ଖୁସି ମନାଇବ।

ଲାଭ ହେଉ କି ନହେଉ, ଉତ୍ପାଦନ ଖର୍ଚ୍ଚର କିଛି ପରିମାଣ ଏଥିରୁ ଉଠିଯାଇପାରିବ। ସୂଚନାଯୋଗ୍ୟ, ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ମଧ୍ୟରେ ଡାକ ବିଭାଗ ସବୁଠାରୁ ଅଧିକ କ୍ଷତିରେ ଚାଲିଛି। ଏହା ବିଏସ୍‌ଏନ୍‌ଏଲ୍‌ ଏବଂ ଏୟାର ଇଣ୍ଡିଆକୁ ମଧ୍ୟ ପଛରେ ପକାଇଦେଇଛି।

Related story