ଭୋପାଲ: ବଡ଼ ଭାଉଜ ସହ ସ୍ୱାମୀର ଅନୈତିକ ସମ୍ପର୍କ ରହିବା ନେଇ ଜଣାପଡ଼ିବା ପରେ ସ୍ତ୍ରୀ ତା’ର ସ୍ୱାମୀକୁ ହତ୍ୟା କରିଛି। ଏହି ହତ୍ୟାରେ ବଡ଼ ଭାଉଜର ସ୍ୱାମୀ ତଥା ଦେଢ଼ଶୂର ମଧ୍ୟ ସହଯୋଗ କରିଛନ୍ତି। ମଧ୍ୟ ପ୍ରଦେଶର ଅନୁପ୍ପୁର ଜିଲ୍ଲାର ଏହି ହତ୍ୟା ଘଟଣା ଏବେ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅଭିଯୁକ୍ତ ମହିଳା ପ୍ରତିମା ବନଓ୍ୱାଲ ଏବେ ଗିରଫ ହେବା ପରେ ପୁଲିସ ଆଗରେ ସମସ୍ତ ସତ କଥା କହିଛନ୍ତି।
ସୂଚନାଯୋଗ୍ୟ, ମୋହିତ ବନଓ୍ୱାଲ ଏବଂ ତାଙ୍କ ବଡ଼ ଭାଇ ଗଣରାମ ବନଓ୍ୱାଲ ଛତିଶଗଡ଼ ସୀମାକୁ ଲାଗିଥିବା ମଧ୍ୟପ୍ରଦେଶର ଅନୁପ୍ପୁର ଜିଲ୍ଲାର କୋରଡ଼ା ତୋଳ ଗାଁରେ ପିଲା ଛୁଆଙ୍କୁ ଧରି ଏକା ସାଙ୍ଗରେ ରହୁଥିଲେ। ୪୦ ବର୍ଷୀୟ ମୋହିତ ରାଜେନ୍ଦ୍ରଗ୍ରାମ କୋର୍ଟରେ ଆଇନଜୀବୀ ଥିଲେ। ମୋହିତ ତାଙ୍କ ବଡ଼ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ରଖିବା ନେଇ ତାଙ୍କ ସ୍ତ୍ରୀ ପ୍ରତିମା ଜାଣିବାକୁ ପାଇଥିଲେ। ଏହାପରେ ପ୍ରତିମା ଦେଢ଼ଶୂର ଗଣରାମଙ୍କୁ ସମସ୍ତ କଥା କହିଥିଲେ। ଉଭୟ ମିଶି ମୋହିତଙ୍କୁ ମାରିବ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ଯୋଜନା ଅନୁଯାୟୀ ମୋହିତଙ୍କ ଖାଇବାରେ ପ୍ରତିମା କିଛି ଔଷଧ ମିଶାଇଥିଲେ। ମୋହିତ ଅସୁସ୍ଥ ଅନୁଭବ କରିବା ପରେ ଚେତାଶୂନ୍ୟ ଭଳି ହୋଇପଡ଼ିଥିଲେ। ଏହାପରେ ପ୍ରତିମା ଦେଢଶୂର ଗଣରାମଙ୍କୁ କହିଥିଲେ। ପୂର୍ବ ଯୋଜନା ମୁତାବକ ଗଣରାମ ଏକ ତାର ଆଣି ମୋହିତଙ୍କ ବେକରେ ଲଗାଇ ତାଙ୍କର ତଣ୍ଟିକୁ ଚିପି ଦେଇଥିଲେ। ଫଳରେ ମୋହିତଙ୍କ ମୃତ୍ୟୁ ହୋଇଥିଲା।
ହତ୍ୟା କରାଯାଇଥିବା ସ୍ଥାନପ୍ରମାଣ ଲୁଚାଇବାକୁ ଯାଇ ପ୍ରତିମା ରୋଷେଇ ଘରେ ଏକ ନୂଆ ମାଟି ଚୁଲି ତିଆରି କରିଥିଲେ। ଏହାରି ତଳେ ମୋହିତଙ୍କୁ ପୋତି ଦେଇଥିଲେ। ମୋହିତଙ୍କୁ ଗାଁ ଲୋକେ ନଦେଖିବା ପରେ ନିଖୋଜ ହୋଇଯାଇଥିବା ନେଇ ନଭେମ୍ୱର ୧୧ରେ ରିପୋର୍ଟ ଆସିଥିଲା। ହେଲେ ଏହାରି ଭିତରେ ଗାଁ ଲୋକେ ମୋହିତଙ୍କ ବାବଦରେ ସନ୍ଦେହ ପ୍ରକାଶ କରି ଘର ଭିତରକୁ ପ୍ରବେଶ କରିଥିଲେ।
ଗାଁ ଲୋକେ ଚଳିତ ସପ୍ତାହର ଗୁରୁବାର ଦିନ ରୋଷେଇ ଘର ଭିତରକୁ ପଶିବାକୁ ଉଦ୍ୟମ କରିବା ବେଳେ ପ୍ରତିମା ଛାଡ଼ି ନଥିଲେ। ଗାଁ ଲୋକମାନେ ନୂଆ ଚୁଲି ଓ ମାଟିକୁ ଦେଖିବା ପରେ ସନ୍ଦେହ ପ୍ରକାଶ କରିଥିଲେ। ଏହାପରେ ଏକ ରଡ଼୍ ସାହାଯ୍ୟରେ ଚୁଲିକୁ ଖୋଳିବା ପାଇଁ ଚେଷ୍ଟା କରିଥିଲେ। ଚୁଲିଟି ଭାଙ୍ଗିବା ପରେ ମୋହିତଙ୍କ ମୃତ ଶରୀରର ଗନ୍ଧ ବାହାରିଥିଲା। ଏହାପରେ ଗାଁ ଲୋକମାନେ ପୁଲିସକୁ ଖବର ଦେବା ପରେ ପ୍ରତିମା ଗିରଫ ହୋଇଛନ୍ତି।
[caption id="attachment_463731" align="aligncenter" width="750"]
ମୃତ ଶରୀର ଶବ ବ୍ୟବଚ୍ଛେଦ ପରେ ମୋହିତଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ମୋହିତଙ୍କୁ ହତ୍ୟା କରିବାରେ ବ୍ୟବହାର ହୋଇଥିବା ସମସ୍ତ ଅସ୍ତ୍ର ମଧ୍ୟ ଜବତ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି। ତେବେ ଅଧିକ ତଦନ୍ତ ପରେ ଗୁଣରାମଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।
[caption id="attachment_463730" align="aligncenter" width="750"]