ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

ମେଲବର୍ଣ୍ଣ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ନିୟମ ଆହୁରି କଡ଼ା କରି ଅଷ୍ଟ୍ରେଲିଆ। ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ସରକାର ନିଜ ଦେଶର ଲୋକଙ୍କ ଘର ବାହୁଡ଼ା ଉପରେ ରୋକ ଲଗାଇଛି। ଯଦି କୌଣସି ଅଷ୍ଟ୍ରେଲୀୟ ଭାରତରେ ଅତିକମରେ ୧୪ ଦିନ ରହି ସ୍ୱଦେଶ ଫେରିବେ, ତା’ହେଲେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ ନାହିଁ। ନିୟମକୁ ଯଦି କେହି ଉଲ୍ଲଙ୍ଘନ କରିବେ, ତା’ହେଲେ ତାଙ୍କୁ ଜେଲଦଣ୍ଡ କିମ୍ବା ବିପୁଳ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। […]

AUS

Hemant Lenka
  • Published: Friday, 30 April 2021
  • , Updated: 30 April 2021, 06:49 PM IST

ମେଲବର୍ଣ୍ଣ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ନିୟମ ଆହୁରି କଡ଼ା କରି ଅଷ୍ଟ୍ରେଲିଆ। ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ସରକାର ନିଜ ଦେଶର ଲୋକଙ୍କ ଘର ବାହୁଡ଼ା ଉପରେ ରୋକ ଲଗାଇଛି। ଯଦି କୌଣସି ଅଷ୍ଟ୍ରେଲୀୟ ଭାରତରେ ଅତିକମରେ ୧୪ ଦିନ ରହି ସ୍ୱଦେଶ ଫେରିବେ, ତା’ହେଲେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ ନାହିଁ। ନିୟମକୁ ଯଦି କେହି ଉଲ୍ଲଙ୍ଘନ କରିବେ, ତା’ହେଲେ ତାଙ୍କୁ ଜେଲଦଣ୍ଡ କିମ୍ବା ବିପୁଳ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ।

ଅଷ୍ଟ୍ରେଲିଆର ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି, କୌଣସି ଅଷ୍ଟ୍ରେଲୀୟ ଭାରତରୁ କୌଣସି ଗଳାବାଟ ଦେଇ ଘରକୁ ଫେରିପାରିବେ ନାହିଁ। ଯଦି କେହି ଏପରି କରିବେ, ତା’ହେଲେ ତାଙ୍କୁ ୫ ବର୍ଷ ଜେଲଦଣ୍ଡ କିମ୍ବା ୬୬,୦୦୦ ଡଲାର ଅର୍ଥ ରାଶିରେ ଦଣ୍ଡିତ କରାଯିବ। ଶନିବାର ଠାରୁ ଏହି ନିୟମ ଲାଗୁ ହେବ।

ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆ ସରକାର ବାଓସିକ୍ୟୁରିଟି ଆକ୍ଟ ଅଧୀନରେ ଗୋଟିଏ ନିୟମ ପ୍ରଣୟନ କରିବେ। ଏହାପରେ ୧୪ରୁ ଅଧିକ ଦିନ ଭାରତରେ ବିତାଇଥିବା ଲୋକଙ୍କ ଅଷ୍ଟ୍ରେଲିଆ ଆସିବା ଉପରେ ବ୍ୟାନ ଲଗାଯିବ।

ଅଷ୍ଟ୍ରେଲିଆ ପୂର୍ବରୁ ଭାରତ ସହ ବିମାନ ସମ୍ପର୍କଚ୍ଛିନ୍ନ କରିଛି। ଏହି ନିଷ୍ପତ୍ତି ୩ ସପ୍ତାହ ତଳେ ନିଆଯାଇଥିଲା। ଭାରତରେ ଠାବ ହୋଇଥିବା ନୂଆ କରୋନା ଭୂତାଣକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅଷ୍ଟ୍ରେଲିଆ ସରକାର ଭାରତ ସହ ବିମାନ ସମ୍ପର୍କଚ୍ଛିନ୍ନ କରିଥିଲେ ହେଁ ସ୍ୱତନ୍ତ୍ର ବିମାନରେ ଅନ୍ୟ ଦେଶ ଦେଇ ଅଷ୍ଟ୍ରେଲୀୟ ନାଗରିକ ଭାରତରୁ ସ୍ୱଦେଶ ଫେରୁଛନ୍ତି। ଏହିକ୍ରମରେ କ୍ରିକେଟର ଆଡାମ ଜାମ୍ପା ଓ କେନ୍‌ ରିଚାର୍ଡସନ ଆଇପିଏଲ ଅଧାରୁ ଛାଡ଼ି ଅଷ୍ଟ୍ରେଲିଆ ଫେରିଛନ୍ତି। ଏମାନେ ଦୋହା ଦେଇ ଅଷ୍ଟ୍ରେଲିଆରେ ପ୍ରବେଶ କରିଥିବାରୁ ସରକାର ନୂଆ ନିୟମ ପ୍ରଣୟନ କରି ଏପରି ଗଳାବାଟ ଯାତାୟାତ ବନ୍ଦ କରିବାକୁ ଚାହୁଁଛନ୍ତି।

ଅଷ୍ଟ୍ରେଲିଆ ସରକାରଙ୍କ ତଥ୍ୟ ଅନୁସାରେ, ଭାରତରେ ଏବେ ପ୍ରାୟ ୯ ହଜାର ଅଷ୍ଟ୍ରେଲୀୟ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୬୦୦ ଜଣ କରୋନା ସଂକ୍ରମଣ ହେବାର ଆଶଙ୍କା ଥିବା ଅଞ୍ଚଳରେ ରହୁଛନ୍ତି। ଭାରତରେ ଚାଲିଥିବା ଆଇପିଏଲରେ ଅଷ୍ଟ୍ରେଲୀୟ କ୍ରିକେଟର ଓ ସର୍ପୋଟ ଷ୍ଟାଫ ମଧ୍ୟ ରହିଛନ୍ତି।

ଅଷ୍ଟ୍ରେଲିଆ ସରକାର ଭାରତ ଓ ଅନ୍ୟ ଦେଶରେ ଫସି ରହିଥିବା ଲୋକଙ୍କୁ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଆଣିବେ ବୋଲି ମଧ୍ୟ ଯୋଜନା କରୁଥିବା ଜଣାପଡ଼ିଛି।

Related story