ନୂଆଦିଲ୍ଲୀ: ଥମୁନି ଚାଇନା-ତାଇଓ୍ୱାନ୍ ତାତି । ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଥିବା ଚୀନ୍- ତାଇଓ୍ୱାନ୍-ଆମେରିକା ବିବାଦ ଶାନ୍ତ ପଡ଼ିବାର ନାଁ ଧରୁନି । ଚୀନ୍ ତାଇଓ୍ୱାନ୍ ଚାରିପଟେ ଆରମ୍ଭ କରିଥିବା ବିଶାଳ ସମରାଭ୍ୟାସ ସରିଥିବା ବେଳେ, ଏହାକୁ ଆକ୍ରମଣର ରିହର୍ସାଲ୍ ବୋଲି କହିଛି ତାଇଓ୍ୱାନ୍ । ତେବେ ଚୀନ୍ ଚୁପ୍ ନବସି, ତାଇଓ୍ୱାନକୁ ଡରାଇବା ପାଇଁ କରିଛି ଆଉ ଏକ ଫନ୍ଦି । ବେଜିଂ ପକ୍ଷରୁ ସମରାଭ୍ୟାସକୁ ନେଇ ହୋଇଛି ନୂଆ ଘୋଷଣା। ଚୀନ୍ ସେନା ମିଡିଆନ୍ ଲାଇନର ପୂର୍ବ ପଟେ ନିୟମିତ ସମରାଭ୍ୟାସ କରିବ। ଅର୍ଥାତ୍ ତାଇଓ୍ୱାନ୍ ଷ୍ଟ୍ରେଟ୍ ଉପରେ ନିଜ ଦାଦାଗିରି ଦେଖାଇ ଚୀନ୍।
ତାସହ ତାଇଓ୍ୱାନ୍ ଉପରେ କାହାର ଦବଦବା, ତାହା ଆମେରିକାକୁ ଦେଖାଇବାକୁ ଚାହୁଁଛି ଚୀନ୍। ତେଣେ ଏହି ମିଡିଆନ୍ ଲାଇନର ୨ ପଟେ ଉଭୟ ଦେଶର ପ୍ରାୟ ୧୦ଟି ଯୁଦ୍ଧପୋତ ସାମ୍ନାସାମ୍ନି ହୋଇ ଅଟକି ରହିଥିବା ସୂଚନା ମିଳିଛି। ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇଓ୍ୱାନ୍ ଚାରିପଟେ ୬ଟି ସ୍ଥାନରେ ଚଳାଇଥିବା ବିଶାଳ ସମରାଭ୍ୟାସ ଶେଷ ହୋଇଛି । ତେବେ ଏହି ସମୟରେ ତାଇଓ୍ୱାନ୍ ଉପର ଦେଇ ଲଢ଼ୁଆ ବିମାନ, ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଅତିକ୍ରମ କରିବାକୁ ସହଜରେ ଗ୍ରହଣ କରିବା ମୁଡ୍ରେ ନାହିଁ ତାଇପେ । ଚୀନ୍ ପିଏଲ୍ଏର ଏହି ସମରାଭ୍ୟାସକୁ ଦ୍ୱୀପ ଉପରେ ଆକ୍ରମଣର ରିହର୍ସାଲ୍ ବୋଲି ତାଇଓ୍ୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି ।
ଏଭଳି ସ୍ଥିତିରେ ଆଞ୍ଚଳିକ ସୁରକ୍ଷା ବଜାୟ ରଖିବା ପାଇଁ ତାଇଓ୍ୱାନକୁ ସହଯୋଗ କରିବା ଲାଗି ବିଶ୍ୱ ସମୁଦାୟକୁ ଅପିଲ୍ କରିଛନ୍ତି ରାଷ୍ଟ୍ରପତି ସାଇ ଇଙ୍ଗ୍ ୱେନ । ସେପଟେ ଆମେରିକା ମଧ୍ୟ ଚୀନ୍ ଏଭଳି ଉତ୍ତେଜନା ଉଦ୍ରେକକାରୀ କାର୍ଯ୍ୟକୁ ନିନ୍ଦା କରିବା ସହିତ ଏହାକୁ ଦାୟିତ୍ୱହୀନତା ବୋଲି କହିଛି। ଅନ୍ୟପକ୍ଷରେ ତାଇଓ୍ୱାନକୁ ନେଇ ବଡ଼ ସଂକଟ ସୃଷ୍ଟିରୁ ବିରତ ରହିବାକୁ, ଆମେରିକାକୁ ଚେତାବନୀ ଦେଇଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।