ଇସଲାମାବାଦରେ ଚାଇନା ନାଗରିକ ଅସୁରକ୍ଷିତ, ପୁଲିସ୍‌କୁ ନ ଜଣାଇ କୁଆଡ଼େ ଯାଇ ପାରିବେନି

ଇସଲାମାବାଦ: ପାକିସ୍ତାନର ଇସଲାମାବାଦରେ ରହୁଥିବା ଚାଇନିଜ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ଏବେ ନୂଆ ନିୟମ ଲାଗୁ କରିଛି ପାକିସ୍ତାନ ପୁଲିସ। ଇସଲାମାବାଦରେ ରହୁଥିବା ୧୦୦୦ରୁ ଅଧିକ ଚାଇନିଜ ନାଗରିକ ପୁଲିସ୍‌କୁ ପୂର୍ବରୁ ସୂଚନା ନ ଦେଇ କୁଆଡ଼େ ବି ଯିବା ଆସିବା କରିପାରିବେ ନାହିଁ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ପାକିସ୍ତାନ ପୁଲିସ ଏପରି ନିୟମ ଲାଗୁ କରିଛି।  ମିଡିଆ ରିପୋର୍ଟ ଅନୁଯାୟୀ, ଇସଲାମାବାଦ ପୁଲିସ୍‌ […]

China

Hemant Lenka
  • Published: Thursday, 16 June 2022
  • , Updated: 17 June 2022, 12:36 PM IST

ଇସଲାମାବାଦ: ପାକିସ୍ତାନର ଇସଲାମାବାଦରେ ରହୁଥିବା ଚାଇନିଜ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ଏବେ ନୂଆ ନିୟମ ଲାଗୁ କରିଛି ପାକିସ୍ତାନ ପୁଲିସ। ଇସଲାମାବାଦରେ ରହୁଥିବା ୧୦୦୦ରୁ ଅଧିକ ଚାଇନିଜ ନାଗରିକ ପୁଲିସ୍‌କୁ ପୂର୍ବରୁ ସୂଚନା ନ ଦେଇ କୁଆଡ଼େ ବି ଯିବା ଆସିବା କରିପାରିବେ ନାହିଁ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ପାକିସ୍ତାନ ପୁଲିସ ଏପରି ନିୟମ ଲାଗୁ କରିଛି। 

ମିଡିଆ ରିପୋର୍ଟ ଅନୁଯାୟୀ, ଇସଲାମାବାଦ ପୁଲିସ୍‌ ନୂଆ କରି ଗଠନ କରିଥିବା ଜିଲ୍ଲା ବିଦେଶୀ ସୁରକ୍ଷା ସେଲ କେମିତି କାମ କରୁଛି, ତା’ର ସମୀକ୍ଷା କରିବାକୁ ଗୋଟିଏ ବୈଠକ ବସିଥିଲା। ବିଦେଶୀ ନାଗରିକ ବିଶେଷ କରି ଚାଇନିଜମାନଙ୍କ ସୁରକ୍ଷା ପାଇଁ ଏହି ସେଲ ଗଠନ କରାଯାଇଛି। ସୀମାକ୍ଷା ବେଳେ ଚାଇନିଜ ନାଗରିକଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ସୁରକ୍ଷା ଦୃଷ୍ଟିରୁ ଇସଲାମାବାଦରେ ରହୁଥିବା ୧୦୦୦ରୁ ଅଧିକ ଚାଇନିଜ ନାଗରିକ ପ୍ରଥମେ ପୁଲିସ୍‌କୁ ସୂଚନା ଦେବା ପରେ ହିଁ ଯିବା ଆସିବା କରିବେ ବୋଲି ନିଷ୍ପତ୍ତି ହୋଇଛି। ବୈଠକ ବେଳେ ଇସଲାମାବାଦରେ ରହୁଥିବା ଚାଇନିଜ ନାଗରିକଙ୍କ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା।

ଏଥିରୁ ଜଣାପଡ଼ିଛି ଯେ ଇସଲାମାବାଦରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ, କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ୧୦୦୦ରୁ ଅଧିକ ଚାଇନିଜ ନାଗରିକ ନିୟୋଜିତ ଅଛନ୍ତି। ଏଥିସହ ମଲ୍ଟି ମିଲିୟନ ଡଲାର ପ୍ରକଳ୍ପ ଚାଇନା-ପାକିସ୍ତାନ ଇକୋନୋମିକ କରିଡରରେ ମଧ୍ୟ ଶତାଧିକ ଚାଇନିଜ ନାଗରିକ କାମ କରୁଛନ୍ତି। ସେମାନଙ୍କୁ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ବୈଠକରେ ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବୈଠକରେ ନିଷ୍ପତ୍ତି ହୋଇଛି ଯେ ଇସଲାମାବାଦରେ ରହୁଥିବା ଚାଇନିଜ ନାଗରିକଙ୍କୁ ପୁଲିସ୍‌ ଷ୍ଟେସନର ଏସଏଚ୍‌ଓ, ସିକ୍ୟୁରିଟି ଡିଭିଜନ କିମ୍ବା ପାଟ୍ରୋଲିଂ ୟୁନିଟ ସୁରକ୍ଷା ଯୋଗାଇବେ। ସେମାନେ ଯିବା ଆସିବା କରିବା ବେଳେ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କ ଆଖପାଖରେ ରହିବେ। ଏସଏଚ୍‌ଓମାନେ ଚାଇନିଜ ନାଗରିକଙ୍କ ଘର ପାଖରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବେ। ସେହିପରି ସେମାନଙ୍କ ସୁରକ୍ଷାରେ ନିୟୋଜିତ କର୍ମଚାରୀଙ୍କ ବିସ୍ତୃତ ତଥ୍ୟ ନିଜ ପାଖରେ ରଖିବେ।

ଚାଇନିଜ ନାଗରିକଙ୍କ ଘର ଚାରିପାଖରେ ଓ ଘରକୁ ସଂଯୋଗ କରୁଥିବା ରାସ୍ତାରେ ସିସିଟିଭି ଲାଗିବ। ଗୋଟିଏ ସ୍ୱତନ୍ତ୍ର ଡେସ୍କ ଖୋଲି ଚାଇନିଜ ନାଗରିକଙ୍କ ସୁରକ୍ଷା କାର୍ଯ୍ୟକୁ ନିୟମିତ ସମୀକ୍ଷା କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଉଛି।

Related story