ପଞ୍ଜଶିର ଦଖଲ ପାଇଁ ଆକ୍ରମଣକୁ ଜୋରଦାର କଲା ତାଲିବାନ

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ପଞ୍ଜଶିର ଦଖଲ ଅଭିଯାନ ଆରମ୍ଭ କରିଛି। ସୋମବାର ବିଳମ୍ବିତ ରାତିରେ ପଞ୍ଜଶିର ଦଖଲ ପାଇଁ ଉଦ୍ୟମ କରିଥିବା ତାଲିବାନକୁ ବିରୋଧୀ ଗୋଷ୍ଠୀ ଜୋରଦାର ଜବାବ ଦେଇଥିଲେ। ଏଥିରେ ୮ ଜଣ ତାଲିବାନୀ ମଧ୍ୟ ନିହତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ ତାଲିବାନ ପକ୍ଷରୁ ପଞ୍ଜଶିର ଦଖଲ କରିବାକୁ ଉଦ୍ୟମ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ପଞ୍ଜଶିର ପ୍ରବେଶ କୁହାଯାଉଥିବା ଗୋଲବାହାର ଅଞ୍ଚଳରେ ତାଲିବାନ ଓ ସ୍ଥାନୀୟ ବିରୋଧୀ […]

Taliban2

Hemant Lenka
  • Published: Tuesday, 31 August 2021
  • , Updated: 31 August 2021, 10:10 PM IST

କାବୁଲ: ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ପଞ୍ଜଶିର ଦଖଲ ଅଭିଯାନ ଆରମ୍ଭ କରିଛି। ସୋମବାର ବିଳମ୍ବିତ ରାତିରେ ପଞ୍ଜଶିର ଦଖଲ ପାଇଁ ଉଦ୍ୟମ କରିଥିବା ତାଲିବାନକୁ ବିରୋଧୀ ଗୋଷ୍ଠୀ ଜୋରଦାର ଜବାବ ଦେଇଥିଲେ। ଏଥିରେ ୮ ଜଣ ତାଲିବାନୀ ମଧ୍ୟ ନିହତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ ତାଲିବାନ ପକ୍ଷରୁ ପଞ୍ଜଶିର ଦଖଲ କରିବାକୁ ଉଦ୍ୟମ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି।

ପଞ୍ଜଶିର ପ୍ରବେଶ କୁହାଯାଉଥିବା ଗୋଲବାହାର ଅଞ୍ଚଳରେ ତାଲିବାନ ଓ ସ୍ଥାନୀୟ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର ଲଢ଼େଇ ଆରମ୍ଭ ହୋଇଛି। ତାଲିବାନୀମାନେ ଗୋଲବାହାର ଦେଇ ପଞ୍ଜଶିରରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ବିରୋଧୀ ଗୋଷ୍ଠୀ ଏଥିରେ ବାଧା ଦେଇଥିଲେ। ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଆକ୍ରମଣ ଓ ପ୍ରତି ଆକ୍ରମଣ ଦେଖିବାକୁ ମିଳିଛି।

ରକ୍ତମୁଖା ତାଲିବାନୀମାନେ ଲଢ଼େଇ ବେଳେ ପଞ୍ଜଶିରକୁ ସଂଯୋଗ କରୁଥିବା ଗୋଲବାହାରର ଗୋଟିଏ ବ୍ରିଜ୍‌କୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ତଥାପି ସ୍ଥାନୀୟ ତାଲିବାନୀ ବିରୋଧୀମାନେ ଲଢ଼େଇ ଜାରି ରଖିଛନ୍ତି। ଲଢ଼େଇ ଜାରି ରହିଥିବା ରିପୋର୍ଟ ମିଳିଥିଲେ ହେଁ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

ତାଲିବାନ ପଞ୍ଜଶିର ଦଖଲ କରିବାକୁ ଉଦ୍ୟମ କରୁଥିଲେ ହେଁ ଅହମଦ ମାସୁଦଙ୍କ ନର୍ଦ୍ଦନ ଆଲିୟାନ୍ସ ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହୋଇରହିଛି। ତାଲିବାନକୁ ପଞ୍ଜଶିରରେ ବିରୋଧ କରୁଥିବା ନ୍ୟାଶନାଲ ରିଜିଷ୍ଟାନ୍ସ ଫୋର୍ସ ମୁଖପାତ୍ର ଫହିମ ଦାଶିଟ ସୋମବାର ରାତିରେ ହୋଇଥିବା ଆକ୍ରମଣକୁ ସ୍ୱୀକାର କରିଥିଲେ। ହେଲେ ଗୋଲବାହାରରେ ଆଜି ସନ୍ଧ୍ୟାରେ ହୋଇଥିବା ଲଢ଼େଇ ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି। ସୋମବାର ରାତିରେ ପଞ୍ଜଶିର ଉପତ୍ୟକାର ୱେଷ୍ଟର୍ଣ୍ଣ ପ୍ରବେଶ ପଥରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଥିଲା।


ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ସହ ପୂରା ଆଫଗାନରେ ନିଜର ବିଜୟ ପତାକା ଉଡ଼ାଇଥିଲା। ତେବେ ସଂଗଠନ ଏଯାଏ ପଞ୍ଜଶିର ଉପରେ ନିଜର କବଜା କରିପାରିନାହିଁ। ଏଠାରେ ତାଲିବାନୀ ବିରୋଧୀ ନେତା ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିୟାନ୍ସ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ରହିଛି।

ତାଲିବାନ ପ୍ରଥମେ ଆଲୋଚନା ଦ୍ୱାରା ପଞ୍ଜଶିର ବିବାଦ ସମାଧାନ କରିବାକୁ ଲକ୍ଷ୍ୟ ରଖିଥିବା କହିଥିଲା। କିନ୍ତୁ ଏବେ ସଂଗଠନ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିଛି। ଏଠାରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ରହିଛନ୍ତି। ତାଙ୍କ ସହ ଏଯାଏ ତାଲିବାନ ନିକଟରେ ଆତ୍ମସମର୍ପଣ କରି ନଥିବା ଆଫଗାନ ସୈନ୍ୟମାନେ ପଞ୍ଜଶିରରେ ରହିଛନ୍ତି। ଏମାନେ ମାସୁଦଙ୍କ ସହ ମିଶି ତାଲିବାନ ସହ ଲଢ଼େଇ କରିବାକୁ ପଣ କରିଛନ୍ତି।

ଅନ୍ୟପକ୍ଷରେ ଆମେରିକା ସେନା ଆଫଗାନ ଛାଡ଼ିଥିବାରୁ ତାଲିବାନ ଏଠାରେ ସରକାର ଗଠନ ପ୍ରକିୟା ଆରମ୍ଭ କରିଛି। ଏପରି କି ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସଂଗଠନ ଦାବି କରିଛି। ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଥିବାରୁ କାନ୍ଦାହାରରେ ରହୁଥିବା ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ମଧ୍ୟ କାବୁଲ ଅଭିମୁଖେ ବାହାରିଛନ୍ତି। ତେଣୁ ଖୁବଶୀଘ୍ର ତାଲିବାନ ବଡ଼ ଘୋଷଣା କରିପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Related story