ରୁଷର ନାଲିଆଖିକୁ ବେଖାତିର, ନାଟୋରେ ସାମିଲ ହେବାକୁ ଆବେଦନ କଲେ ଫିନଲ୍ୟାଣ୍ଡ ଓ ସ୍ୱିଡେନ

ମସ୍କୋ: ସାମାରିକ ମେଣ୍ଟ ନାଟୋରେ ସାମିଲ ହେବାକୁ ଶେଷରେ ଆବେଦନ କରିଛନ୍ତି ଫିନଲ୍ୟାଣ୍ଡ ଓ ସ୍ୱିଡେନ। ଉଭୟ ଦେଶର ପ୍ରତିନିଧି ଆଜି ନାଟୋର ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସଦସ୍ୟତା ଗ୍ରହଣ କରିବାକୁ ଦରଖାସ୍ତ ଦେଇଛନ୍ତି। ଏବେ ନାଟୋର ସଦସ୍ୟମାନେ ଏହା ଉପରେ ଆଲୋଚନା କରି ଫିନଲ୍ୟାଣ୍ଡ ଓ ସ୍ୱିଡେନ ମେଣ୍ଟରେ ସାମିଲ ହେବେ କି ନାହିଁ, ତା’ର ନିଷ୍ପତ୍ତି ନେବେ। ଏହାପୂର୍ବରୁ ରୁଷ ଉଭୟ ଦେଶକୁ ନାଟୋରେ ସାମିଲ ନ ହେବା ପାଇଁ ତାଗିଦ କରିଥିଲା। […]

Nato

Hemant Lenka
  • Published: Wednesday, 18 May 2022
  • , Updated: 18 May 2022, 03:57 PM IST

ମସ୍କୋ: ସାମାରିକ ମେଣ୍ଟ ନାଟୋରେ ସାମିଲ ହେବାକୁ ଶେଷରେ ଆବେଦନ କରିଛନ୍ତି ଫିନଲ୍ୟାଣ୍ଡ ଓ ସ୍ୱିଡେନ। ଉଭୟ ଦେଶର ପ୍ରତିନିଧି ଆଜି ନାଟୋର ମୁଖ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସଦସ୍ୟତା ଗ୍ରହଣ କରିବାକୁ ଦରଖାସ୍ତ ଦେଇଛନ୍ତି। ଏବେ ନାଟୋର ସଦସ୍ୟମାନେ ଏହା ଉପରେ ଆଲୋଚନା କରି ଫିନଲ୍ୟାଣ୍ଡ ଓ ସ୍ୱିଡେନ ମେଣ୍ଟରେ ସାମିଲ ହେବେ କି ନାହିଁ, ତା’ର ନିଷ୍ପତ୍ତି ନେବେ।

ଏହାପୂର୍ବରୁ ରୁଷ ଉଭୟ ଦେଶକୁ ନାଟୋରେ ସାମିଲ ନ ହେବା ପାଇଁ ତାଗିଦ କରିଥିଲା। ୟୁକ୍ରେନ ନାଟୋରେ ସାମିଲ ହେବାକୁ ଉଦ୍ୟମ କରିବାରୁ ରୁଷ ସେନା କିଭ୍‌ ଉପରେ ହମଲା କରିଛି। ସମାନ ପଦକ୍ଷେପ ଫିନଲ୍ୟାଣ୍ଡ ଓ ସ୍ୱିଡେନ ବିରୋଧରେ ମଧ୍ୟ ରୁଷ ନେବ ବୋଲି ଚେତାବନୀ ଦେଇଥିଲା। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ଆଜି ନାଟୋରେ ସାମିଲ ହେବାକୁ ଆବେଦନ କରିଛନ୍ତି।

ଆଜି ନାଟୋ ମୁଖ୍ୟାଳୟରେ ସ୍ୱିଡେନ ଓ ଫିନଲ୍ୟାଣ୍ଡର ରାଷ୍ଟ୍ରଦୂତ ପହଞ୍ଚିଥିଲେ। ଏହାପରେ ସେମାନେ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗଙ୍କୁ ସଦସ୍ୟତା ଗ୍ରହଣ କରିବାକୁ ଆବଶ୍ୟକ ଆବେଦନ ପତ୍ର ହସ୍ତାନ୍ତର କରିଥିଲେ। ଏହାପରେ ଷ୍ଟୋଲେନବର୍ଗ କହିଥିଲେ ଯେ “ଏହା ଏକ ଐତିହାସିକ ମୁହୂର୍ତ୍ତ। ଆମକୁ ଏହାକୁ କଏଦ କରିବାକୁ ପଡ଼ିବ। ନାଟୋରେ ସାମିଲ ହେବାକୁ ଫିନଲ୍ୟାଣ୍ଡ ଓ ସ୍ୱିଡେନର ଆବେଦନକୁ ମୁଁ ସ୍ୱାଗତ କରୁଛି। ଆପଣମାନେ ଆମର ଘନିଷ୍ଠ ସହଯୋଗୀ। ନାଟୋରେ ଆପଣମାନଙ୍କ ଯୋଗଦାନ ଆମ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।”

ଅନ୍ୟପକ୍ଷରେ ନାଟୋରେ ସଦସ୍ୟ ଥିବା ତୁର୍କୀ ଏପରି ଆବେଦନକୁ ନାପସନ୍ଦ କରିଛି। ଫିନଲ୍ୟାଣ୍ଡ ଓ ସ୍ୱିଡେନର ସଦସ୍ୟତାକୁ ତୁର୍କୀ ଭିଟୋ ପ୍ରୟୋଗ କରି ବିରୋଧ କରିବ ବୋଲି ଜଣାପଡ଼ିଛି। ଉଭୟ ଦେଶ କୁର୍ଦ୍ଦିଶ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଉଥିବା ତୁର୍କୀ ଅଭିଯୋଗ କରିଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ଉଭୟ ଦେଶର ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ତୁର୍କୀ ସେମାନଙ୍କର ନାଟୋ ସଦସ୍ୟତାକୁ ବିରୋଧ କରୁଛି।  ଏପରି ସ୍ଥିତିରେ ନାଟୋର ଅନ୍ୟ ସଦସ୍ୟମାନେ କେମିତି ଏହାର ମୁକାବିଲା କରିବେ, ତା’ ଉପରେ ସମସ୍ତଙ୍କ ନଜର।

ଯଦି ଫିନଲ୍ୟାଣ୍ଡ ଓ ସ୍ୱିଡେନ ନାଟୋରେ ସାମିଲ ହୁଅନ୍ତି, ତା’ହେଲେ ୟୁରୋପର ସୁରକ୍ଷା ଚିତ୍ରରେ ଅନେକ ପରିବର୍ତ୍ତନ ହେବ। ୨୦୦ରୁ ଅଧିକ ବର୍ଷ ହେଲାଣି ସ୍ୱିଡେନ କୌଣସି ପ୍ରକାରର ସାମରିକ ମେଣ୍ଟରେ ନିଜକୁ ସାମିଲ କରୁ ନଥିଲା। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସୋଭିଏତ ସଂଘ ନିକଟରୁ ହାରିବା ପରେ ଫିନଲ୍ୟାଣ୍ଡ ସବୁବେଳେ ନିରପେକ୍ଷ ନୀତି ଅବଲମ୍ବନ କରି ଚାଲିଥିଲା।

କିନ୍ତୁ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାରୁ ଉଭୟ ଦେଶର ଲୋକମାନେ ଆତଙ୍କିତ ହୋଇଛନ୍ତି। ଏଥିପାଇଁ ସେମାନେ ନାଟୋରେ ସାମିଲ ହେବାକୁ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶର ନେତୃବୃନ୍ଦ ନାଟୋ ଆଡ଼କୁ ଢଳିଛନ୍ତି।

Related story