ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ଯୋଗୁ ଭାରତର ଏକ ମିସାଇଲ୍ ପାକିସ୍ତାନରେ ପଡ଼ିବା ଘଟଣାରେ ରବିବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କହିଛନ୍ତି, ଭାରତୀୟ ମିସାଇଲ ମିଆଁ ଚନ୍ନୁରେ ପଡ଼ିବା ପରେ ଆମେ ମଧ୍ୟ ଜବାବ ଦେଇପାରିଥା’ନ୍ତୁ। କିନ୍ତୁ ଆମେ ନିଜକୁ ନିୟନ୍ତ୍ରଣରେ ରଖିଲୁ।
ପାକିସ୍ତାନର ପଞ୍ଜାବ ପ୍ରଦେଶର ହଫିଜାବାଦ ଜିଲ୍ଲାରେ ଏକ ରାଲିରେ ଯୋଗ ଦେବା ଅବସରରେ ଇମ୍ରାନ ଖାନ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ସହିତ ପାକିସ୍ତାନ ପ୍ରତିରକ୍ଷା ବିଭାଗକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ ବୋଲି ସେ କହିଥିଲେ।
ପାକିସ୍ତାନରେ ମିସାଇଲ ପଡ଼ିବା ଘଟଣାରେ ଭାରତ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା। ଏହା ଭୁଲ୍ ବଶତଃ ଘଟିଥିଲା ବୋଲି କୁହାଯାଇଥିଲା। ଏହା ସହିତ ପ୍ରତିରକ୍ଷା ମନ୍ତ୍ରାଳୟ ଘଟଣା ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି। ସୌଭାଗ୍ୟବଶତଃ ମିସାଇଲ ପଡ଼ିବା ପରେ କେହି ମୃତାହତ ହୋଇ ନଥିଲେ।
ଅନ୍ୟପକ୍ଷରେ ବୈଷୟିକ ତ୍ରୁଟି ଯୋଗୁ ଏହି ଘଟଣା ଘଟିଥିବା ନେଇ ଭାରତ ପକ୍ଷରୁ ଦିଆଯାଇଥିବା ଜବାବକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରିନି। ସେଥିପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏହି ଘଟଣାର ଯୁଗ୍ମ ତଦନ୍ତ ପ୍ରସ୍ତାବ ଦେଇଛି। ଉଭୟ ଦେଶର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପାକିସ୍ତାନ କହିଛି। ଏହା ସହିତ ମିସାଇଲ ପଡ଼ିବା ନେଇ କାହିଁକି ତାଙ୍କ ସରକାରକୁ ସଙ୍ଗେ ସଙ୍ଗେ ଭାରତ ସରକାର ଅବଗତ କରାଇଲେ ନାହିଁ ବୋଲି ପାକିସ୍ତାନ ପ୍ରଶ୍ନ କରିଛି।