କୁଆଲାଲୁମ୍ପୁର: ଚର୍ଚ୍ଚାରେ ମାଲେସିୟାର ଜଣେ ମହିଳା ମନ୍ତ୍ରୀ। ସେ ଗୋଟିଏ ଭିଡିଓ ଜାରି କରି ଲୋକମାନଙ୍କୁ ସେମାନଙ୍କ ଜିଦ୍ ଖୋର୍ ପତ୍ନୀଙ୍କୁ ଧୀରେ ବାଡ଼େଇବା ପାଇଁ ପରାମର୍ଶ ଦେଇଛନ୍ତି। ଜିଦ୍ ଖୋର ପତ୍ନୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ସ୍ୱାମୀ ଏପରି ନୀତି ଆପଣାଇବା ଦରକାର ବୋଲି ସେ କହିଛନ୍ତି।
ଏହାର ଭିଡିଓ ଭାଇରାଲ ହେବା ପରେ ଅନେକ ମନ୍ତ୍ରୀ ସିତି ଜୈଲା ମହମ୍ମଦ ୟୁସୋଫଙ୍କୁ ଟ୍ରୋଲ କରିଛନ୍ତି। ସିତି ଜୈଲା ମାଲେସିୟା ସରକାରଙ୍କ ମହିଳା, ପରିବାର ଓ କମ୍ୟୁନିଟି ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଇନଷ୍ଟାଗ୍ରାମରେ ଉଚିତ ବ୍ୟବହାର କରୁ ନଥିବା ମହିଳାଙ୍କୁ ଠିକ୍ ବାଟକୁ ଆଣିବା ପାଇଁ ଏପରି ଶାରିରୀକ ଦଣ୍ଡ ଦେବାକୁ ପରାମର୍ଶ ଦେଇଛନ୍ତି।
ସେ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରିଛନ୍ତି। ଏହାର ଟାଇଟଲ ରହିଛି ‘ମଦରସ ଟିପ-୪’। ଏଥରେ ମନ୍ତ୍ରୀ ସ୍ୱାମୀମାନଙ୍କୁ ସେମାନଙ୍କର ଜିଦଖୋର ପତ୍ନୀଙ୍କ ସହ ପ୍ରଥମେ କଥାବାର୍ତ୍ତା କରିବା ସହ ବୁଝାଇବାକୁ ପରାମର୍ଶ ଦେଇଛନ୍ତି। ଯଦି ପତ୍ନୀ ତଥାପି ସେମାନଙ୍କର ଆଚରଣରେ ପରିବର୍ତ୍ତନ ଆଣନ୍ତି ନାହିଁ, ତେବେ ସ୍ୱାମୀ ସେମାନଙ୍କ ସହିତ ତିନି ଦିନ ଏକାଠି ଶୋଇବା ବନ୍ଦ କରି ଦିଅନ୍ତୁ।
ଏହାପରେ ବି ଯଦି ପତ୍ନୀ ଜଣଙ୍କ ସ୍ୱାମୀଙ୍କ ପରାମର୍ଶକୁ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, ତା’ହେଲେ ସେମାନେ ନିଜର କଠୋରତା ଦେଖାଇବା ଉଚିତ୍। ଏଥିପାଇଁ ସ୍ୱାମୀମାନେ ସେମାନଙ୍କ ପତ୍ନୀମାନଙ୍କୁ ଧୀରେ ବାଡ଼େଇବା ଦରକାର। ଏହାଦ୍ୱାରା ସ୍ୱାମୀ ଜଣଙ୍କ କେତେ କଠୋର, ସେକଥା ପତ୍ନୀ ଜାଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ସିତି ଜୈଲାଙ୍କ ଏପରି ବୟାନ ଘରୋଇ ହିଂସା ମାମଲାକୁ ବୃଦ୍ଧି କରିବ ବୋଲି ଅନେକ ମତ ଦେଇଛନ୍ତି। ସେହିପରି ବିଭିନ୍ନ ସଂଗଠନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
View this post on Instagram