ରୁଷ-ୟୁକ୍ରେନ ଯୁଦ୍ଧ: ସାମ୍ନାକୁ ଆସିଲା ହୃଦୟ ତରଳି ଯିବା ଭଳି ଭିଡିଓ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ରୁଷ ତା’ର ଆକ୍ରମଣ ଶୈଳୀକୁ ଜୋରଦାର କରିବାରୁ ଏବେ ୟୁକ୍ରେନବାସୀ ଛାନିଆ ହୋଇଛନ୍ତି। ଆକ୍ରମଣରୁ ନିଜ ଜୀବନକୁ ରକ୍ଷା କରିବା ପାଇଁ ଏବେ ସେମାନେ ପଡ଼ୋଶୀ ହଙ୍ଗେରୀ ଓ ପୋଲାଣ୍ଡ ଭଳି ଦେଶକୁ ଚାଲି ଯାଉଛନ୍ତି। କିଏ କାର୍‌ ଯୋଗେ ଯାଉଥିବା ବେଳେ ଆଉ କେହି କେହି ଚାଲି ଚାଲି କିମ୍ବା ଟ୍ରେନରେ ଯାଉଛନ୍ତି। ସମସ୍ତଙ୍କ […]

war3

Hemant Lenka
  • Published: Friday, 25 February 2022
  • , Updated: 25 February 2022, 12:15 PM IST

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ରୁଷ ତା’ର ଆକ୍ରମଣ ଶୈଳୀକୁ ଜୋରଦାର କରିବାରୁ ଏବେ ୟୁକ୍ରେନବାସୀ ଛାନିଆ ହୋଇଛନ୍ତି। ଆକ୍ରମଣରୁ ନିଜ ଜୀବନକୁ ରକ୍ଷା କରିବା ପାଇଁ ଏବେ ସେମାନେ ପଡ଼ୋଶୀ ହଙ୍ଗେରୀ ଓ ପୋଲାଣ୍ଡ ଭଳି ଦେଶକୁ ଚାଲି ଯାଉଛନ୍ତି।

କିଏ କାର୍‌ ଯୋଗେ ଯାଉଥିବା ବେଳେ ଆଉ କେହି କେହି ଚାଲି ଚାଲି କିମ୍ବା ଟ୍ରେନରେ ଯାଉଛନ୍ତି। ସମସ୍ତଙ୍କ ମଧ୍ୟରେ ଜୀବନ ବଞ୍ଚାଇବାକୁ ଲାଗିଛି ପ୍ରତିଯୋଗିତା। ଏଥିପାଇଁ ରାସ୍ତା ଓ ରେଳ ଷ୍ଟେନରେ ପ୍ରବଳ ଭିଡ଼ ଜମିଛି।

ଏସବୁ ଭିତରେ ସମସ୍ତଙ୍କୁ ବିଚଳିତ କରିବା ଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନିଜ ଛୋଟ ଝିଅର ଜୀବନ ବଞ୍ଚାଇବା ପାଇଁ ଜଣେ ଅସହାୟ ବାପା କାନ୍ଦୁଥିବାର ଦୃଶ୍ୟ ରହିଛି। ସେହିପରି ଆଉ ଗୋଟିଏ ଭିଡିଓରେ ରୁଷ ସହ ଲଢ଼େଇ କରୁଥିବା ଜଣେ ୟୁକ୍ରେନ ଯବାନ ପରିବାର ପ୍ରତି ନିଜର ଭଲ ପାଇବା ପ୍ରକାଶ କରୁଛନ୍ତି।


ୟୁକ୍ରେନର ରାଜଧାନୀ କିଭରୁ ଆସିଥିବା ଭିଡିଓରେ ଜଣେ ବାପା ତାଙ୍କ ଛୋଟ ଝିଅକୁ ବସ୍‌ରେ ସୁରକ୍ଷିତ ସ୍ଥାନକୁ ପଠାଉଥିବା ଦେଖିବାକୁ ମିଳିଛି। ହେଲେ ସେ ଝିଅକୁ ବିଦାୟ ଦେବା ବେଳେ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ଯୁଦ୍ଧ ଚାଲିଥିବାରୁ କାଲି କ’ଣ ହେବ, ସେକଥା କେହି ଜାଣି ନାହାନ୍ତି। ତେଣୁ ଝିଅକୁ କିଭ୍‌ରୁ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛନ୍ତି।

ହେଲେ ଝିଅକୁ ଅଲଗା ହେବା କୋହ ତାଙ୍କ ଆଖିରେ ଦେଖାଯାଇଛି। ବ୍ୟକ୍ତି ଜଣଙ୍କ ଲୁହ ଭିଜା ଆଖିରେ ଝିଅକୁ ବିଦାୟ ଦେବା ସହ ଗେଲ କରିଥିଲେ। ଝିଅଟି ମଧ୍ୟ ପରିସ୍ଥିତର ଦାସ ଭଳି କାନ୍ଦିକାନ୍ଦି ବାପାଙ୍କୁ ବିଦାୟ ଦେଇଛି। ଝିଅର କାନ୍ଦ ଦେଖି ବ୍ୟକ୍ତି ଜଣଙ୍କ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। କିଛି ସମୟ ପାଇଁ ସେ ଝିଅକୁ କୁଣ୍ଢାଇ ଧରି କାନ୍ଦିବା ସହ ବସ୍‌ ଭିତରକୁ ଛାଡ଼ିଥିଲେ।

ବ୍ୟକ୍ତି ଜଣଙ୍କ ଏବେ କିଭରେ ରହି ରୁଷ ସୈନ୍ୟଙ୍କ ସହ ଲଢ଼େଇ କରିବେ। ୟୁକ୍ରେନ ସରକାରର ମଧ୍ୟ ୧୮ରୁ ୬୦ ବର୍ଷ ବର୍ଗର ଲୋକଙ୍କୁ ଦେଶ ଛାଡ଼ିବାକୁ ବାରଣ କରିଛନ୍ତି। ତେଣୁ ସେ ଅସ୍ତ୍ର ଧରି ଯୁଦ୍ଧ ମୈଦାନକୁ ଓହ୍ଲାଇବେ।

ଅନ୍ୟଏକ ଭିଡିଓରେ ୟୁକ୍ରେନ ସେନାର ଜଣେ ଯବାନ ତାଙ୍କ ବାପା ମା’ଙ୍କ ଉଦ୍ଦେଶ୍ୟରେ ଭିଡିଓ ପୋଷ୍ଟ କରିଛନ୍ତି। ସେନା ପୋଷାକରେ ଥିବା ଏହି ଯୁବକ ଜଣଙ୍କ ରୁଷ ବୋମା ବର୍ଷଣ କରୁଥିବା ସ୍ଥାନରେ ଛିଡ଼ା ହୋଇଛନ୍ତି। ସେ ଭିଡିଓରେ “ବାପା ମା’ ମୁଁ ତୁମମାନଙ୍କୁ ବହୁତ ଭଲ ପାଏ” ବୋଲି କହୁଛନ୍ତି। ରୁଷ ବୋମା ବର୍ଷଣ କରୁଥିବାରୁ କେତେବେଳେ କ’ଣ ହେବ ଓ ସେ ପରିବାର ଲୋକଙ୍କ ପାଖକୁ ଫେରିପାରିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁ ସେ ଏପରି ଭିଡିଓ ଜାରି କରିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନର ବିଭିନ୍ନ ମେଟ୍ରୋ ଷ୍ଟେସନରେ ଶତାଧିକ ଲୋକ ଏୟାର ଷ୍ଟ୍ରାଇକରୁ ବଞ୍ଚିବା ପାଇଁ ରାତି କାଟିଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Related story