ୟୁକ୍ରେନ ଉପରୁ ଟଳିବ ରୁଷ ବିପଦ, ପୁଟିନ ଓ ବାଇଡେନ କରିବେ ବୈଠକ!

ପ୍ୟାରିସ: ୟୁକ୍ରେନ ଉପରେ ରହିଥିବା ରୁଷର ଆକ୍ରମଣ ଭୟ ଟଳିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ୟୁକ୍ରେନ ବିବାଦ ସମାଧାନ କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ହୋଇଥିବା ଜଣାପଡ଼ିଛି। ସେମାନେ ଇଷ୍ଟର୍ଣ୍ଣ ୟୁକ୍ରେନରେ ଯୁଦ୍ଧ ବିରତି ଲାଗୁ କରିବାକୁ ସହମତ ହୋଇଛନ୍ତି। ଏ ସମ୍ପର୍କରେ ମାର୍କନ ଅଫିସ ପକ୍ଷରୁ ସୂଚନା ମିଳିଛି। ଖାଲି ଏତିକି ନୁହେଁ, ସମ୍ଭାବ୍ୟ ଯୁଦ୍ଧ ବିପଦ ଟାଳିବା ପାଇଁ ଆମେରିକା ରାଷ୍ଟ୍ରପତି […]

Putin

Hemant Lenka
  • Published: Sunday, 20 February 2022
  • , Updated: 20 February 2022, 09:49 PM IST

ପ୍ୟାରିସ: ୟୁକ୍ରେନ ଉପରେ ରହିଥିବା ରୁଷର ଆକ୍ରମଣ ଭୟ ଟଳିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ୟୁକ୍ରେନ ବିବାଦ ସମାଧାନ କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ହୋଇଥିବା ଜଣାପଡ଼ିଛି। ସେମାନେ ଇଷ୍ଟର୍ଣ୍ଣ ୟୁକ୍ରେନରେ ଯୁଦ୍ଧ ବିରତି ଲାଗୁ କରିବାକୁ ସହମତ ହୋଇଛନ୍ତି। ଏ ସମ୍ପର୍କରେ ମାର୍କନ ଅଫିସ ପକ୍ଷରୁ ସୂଚନା ମିଳିଛି।

ଖାଲି ଏତିକି ନୁହେଁ, ସମ୍ଭାବ୍ୟ ଯୁଦ୍ଧ ବିପଦ ଟାଳିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପୁଟିନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଦିନକୁ ଦିନ ୟୁକ୍ରେନ ଉପରେ ରୁଷର ଭୟ ମାଡ଼ି ବସୁଥିବାରୁ ସାରା ବିଶ୍ୱରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଭଳି ଦେଶ ରୁଷକୁ ବାରମ୍ବାର ଶାନ୍ତି ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ଏସବୁ ଭିତରେ ମାର୍କନ ଓ ପୁଟିନ ଆଜି ଦୀର୍ଘ ୧୦୫ ମିନିଟ୍‌ ଧରି ଫୋନ ଯୋଗେ ୟୁକ୍ରେନ ବିବାଦ ସମ୍ପର୍କରେ ଆଲୋଚନା କରିଛନ୍ତି।

ଉଭୟ ବିବାଦର ସମାଧାନ କୂଟନୀତିକ ସ୍ତରରେ କରିବାକୁ ରାଜି ହୋଇଛନ୍ତି। ଏଥିସହ ଶାନ୍ତି ପ୍ରତିଷ୍ଠା ଦିଗରେ ସବୁ ପ୍ରକାରର ପଦକ୍ଷେପ ନେବାକୁ ଉଭୟ ନେତା ଏକମତ ହୋଇଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜେନ ୟଭେସ ଡ୍ରିଆନ ଓ ତାଙ୍କ ରୁଷ ପ୍ରତିପକ୍ଷ ସେରଗେଇ ଲାଭରୋଭ ଆଗାମୀ ଦିନର ପରସ୍ପରକୁ ଭେଟିବେ।

ସେହିପରି ଯୁଦ୍ଧ ବିରତି ଲାଗୁ କରିବା ପାଇଁ ରୁଷ ଓ ଫ୍ରାନ୍ସ Trilateral Contact Groupକୁ ଅନୁମତି ଦେବେ। ଏହି ଗ୍ରୁପ୍‌ରେ ରୁଷ, ୟୁକ୍ରେନ ଓ ଓଏସ୍‌ସିଇ ବା Organization for Security and Co-operation in Europe ରହିଛନ୍ତି। ଏମାନେ ଖୁବଶୀଘ୍ର ବୈଠକ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ଏହି ସମୟରେ ସମସ୍ତେ ନିଜ ନିଜର ପକ୍ଷ ରଖିବେ।

ଇଷ୍ଟର୍ଣ୍ଣ ୟୁକ୍ରେନରେ ବର୍ତ୍ତମାନ ସ୍ଥିତି ସଂଗୀନ ରହିଛି। ଏଠାରେ ୟୁକ୍ରେନ ସୈନ୍ୟ ଓ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଏଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଟିନ ଓ ମାର୍କନ ରାଜି ହୋଇଛନ୍ତି। ସେହିପରି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୀମାରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବାକୁ ମଧ୍ୟ କହିଛନ୍ତି।

ରୁଷ, ୟୁକ୍ରେନ, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ମିନସ୍କ ପ୍ରୋଟକଲ ଲାଗୁ କରିବା ଉପରେ ଆଲୋଚନା କରିବା ବୋଲି ପୁଟିନ ଓ ମାର୍କନ ରାଜି ହୋଇଛନ୍ତି। ୨୦୧୪ରେ ଏହି ପ୍ରୋଟକଲ ଅନୁଯାୟୀ, ସମସ୍ତେ ଇଷ୍ଟର୍ଣ୍ଣ ୟୁକ୍ରେନରେ ଯୁଦ୍ଧ ବିରତି ଲାଗୁ କରିବାକୁ ମତ ରଖିଥିଲେ। ହେଲେ ଏବେ ବିବାଦ ସୃଷ୍ଟି ହୋଇଥିବାରୁ ପୁଣିଥରେ ୪ ଦେଶ ପ୍ରୋଟକଲ ଲାଗୁ କରିବା ଉପରେ କାର୍ଯ୍ୟ କରିବେ।

ଅନ୍ୟପକ୍ଷରେ ୟୁକ୍ରେନରୁ ଯୁଦ୍ଧ ବିପଦ ଟାଳିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯେକୌଣସି ମୁହୂର୍ତ୍ତରେ ପୁଟିନଙ୍କୁ ଭେଟିବାକୁ ଆଗ୍ରହୀ ରହିଛନ୍ତି। ରୁଷ ପକ୍ଷରୁ ମଧ୍ୟରେ ଏହି ଆଗ୍ରହକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥିବା ଖବର ମିଳିଛି। ତେଣୁ ଖୁବଶୀଘ୍ର ବାଇଡେନ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

ସୂଚନାଯୋଗ୍ୟ, ୟୁକ୍ରେନ ସୀମାନ୍ତରେ ରୁଷ ଆଣିବକ ସମରାଭ୍ୟାସ ସହ ସୈନ୍ୟ ସଂଖ୍ୟା ବଢ଼ାଉଛି। ସେହିପରି ଏକାଧିକ ମିଜାଇଲ ମଧ୍ୟ ପରୀକ୍ଷା କରୁଛି ମସ୍କୋ। ଖାଲି ସେତିକି ନୁହେଁ, ୟୁକ୍ରେନ ବିଚ୍ଛିନ୍ନତାବାଦୀଙ୍କୁ ମଧ୍ୟ ରୁଷ ସମର୍ଥନ ଘୋଷଣା କରିଛି। ଏସବୁ ଦେଖିଲେ ରୁଷ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ହମଲା କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି।

ୟୁକ୍ରେନ ସୀମାରୁ ରୁଷ ନିଜ ସେନାକୁ ପ୍ରତ୍ୟାହାର କରିନେଇଥିବା କଥା କହୁଥିଲେ ମଧ୍ୟ ଏଥିରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି। ଗୋଟିଏ ପଟେ ଉତ୍ତେଜନା ହ୍ରାସ ସପକ୍ଷରେ ଥିବା ରୁଷ ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି।

Related story