ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ-୨ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଆଜି ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଶରୀରରେ ଖୁବ କମ ଲକ୍ଷଣ ଦେଖାଯାଇଛି। କେବଳ ସେ ସାଧାରଣ ଥଣ୍ଡା ଭଳି ଅନୁଭବ କରୁଥିବା ଜଣାପଡ଼ିଛି।
୯୫ ବର୍ଷୀୟ ରାଣୀ ଏଲିଜାବେଥ-୨ ରବିବାର ହାଲୁକା ଫୁଲକା କାମ ମଧ୍ୟ କରିଛନ୍ତି। ତେଣୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କେହି ବ୍ୟସ୍ତ ନ ହେବାକୁ ରାଜପ୍ରାସାଦ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀ ଏଲିଜାବେଥ-୨ କରୋନାର ଟିକାର ୩ଟି ଯାକ ଡୋଜ୍ ନେଇଛନ୍ତି। ବ୍ରିଟେନ ନିୟମ ଅନୁଯାୟୀ ସେ ପ୍ରଥମେ କରୋନା ଟିକାର ଦୁଇଟି ଡୋଜ୍ ନେଇଥିଲେ। ଏହାପରେ ତାଙ୍କୁ ଟିକାର ବୁଷ୍ଟର ଡୋଜ୍ ମଧ୍ୟ ଦିଆଯାଇଛି। ନିକଟରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ଓ ବୋହୂ କାମିଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ୧୦ ଦିନ ତଳେ ଉଭୟ ରାଣୀ ଏଲିଜାବେଥ-୨ଙ୍କୁ ଦେଖିବାକୁ ଯାଇଥିଲେ। ସମ୍ଭବତଃ ଏହି ସମୟା ରାଣୀ ଏଲିଜାବେଥ-୨ କରୋନା ଭାଇରସ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।
ରାଣୀ ଏଲିଜାବେଥ-୨ ଏବେ ବି ରାଜପ୍ରାସାଦ ମଧ୍ୟରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଥିବା ଜଣାପଡ଼ିଛି। ସେହିପରି ତାଙ୍କର ସେବା କରୁଥିବା କର୍ମକର୍ତ୍ତାଙ୍କ ମଧ୍ୟ କରୋନା ଟେଷ୍ଟ କରାଯାଇଛି। ହେଲେ ସେମାନଙ୍କ ରିପୋର୍ଟ କ’ଣ ଆସିଛି, ସେକଥା ଜଣାପଡ଼ିନି।