ୱାଶିଂଟନ: ବରଫ ଝଡ଼ ଯୋଗୁ ପୂର୍ବ ଆମେରିକାରେ ସ୍ଥିତି ସଂଗୀନ ହୋଇଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ଘରର ଛାତ ଉପରେ ବରଫର ମୋଟା ଆସ୍ତରଣ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରଶାସନ ପକ୍ଷରୁ ରାସ୍ତାଘାଟରୁ ବରଫକୁ ହଟାଇବାକୁ ଚେଷ୍ଟା କରାଯାଉଥିଲେ ହେଁ ଏଯାଏ କୌଣସି ଲାଭ ମିଳିନି।
ଏବେ ବି ପୂରା ପୂର୍ବ ଆମେରିକାରେ ବରଫ ଝଡ଼ ଲାଗି ରହିଛି। ଆଗକୁ ବରଫପାତ ଆହୁରି ବଢ଼ିବ ବୋଲି ଜାତୀୟ ପାଣିପାଗ ସେବା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥିତକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟ ପକ୍ଷରୁ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି। ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।
ବରଫ ପାତ ହେଉଥିବାରୁ ଜାତୀୟ ପାଣିପାଗ ସେବା ଶନିବାର 'ବୋମା ସାଇକ୍ଲୋନନ୍'ର ସତର୍କ ସୂଚନା ଜାରି କରିଛି। ବୋମା ସାଇକ୍ଲୋନନ ଅର୍ଥ ପ୍ରବଳ ବେଗରେ ବରଫ ପାତ ହେବ। ସେହିପି ବଡ଼ ବଡ଼ ବରଫ ଖଣ୍ଡ ସହରରେ ପଡ଼ିବ। ପାଣିପାଗ ସେବା ପକ୍ଷରୁ କୁହାଯାଇଛି ଆଜି ଦିନ ତମାମ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼କରେ ଗୋଟେ ଫୁଟରୁ ଅଧିକ ବରଫ ପାତ ହେବ।
ପ୍ରଶାସନ ପକ୍ଷରୁ ସ୍ଥିତିକୁ ଦେଖି ନ୍ୟୁୟର୍କ, ନ୍ୟୁ ଜର୍ସି ଓ ବୋଷ୍ଟନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି। ଫ୍ଲୋରିଡାର ଦକ୍ଷିଣ ପ୍ରାନ୍ତରେ ମଧ୍ୟ ପ୍ରବଳ ଥଣ୍ଡା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ଲୋକଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବା ସହ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଛି।
ଲଙ୍ଗ ଆଇସଲ୍ୟାଣ୍ଡରେ ଉଦ୍ଧାରକାରୀ ଦଳ ବରଫ ଚାଦର ତଳୁ ଜଣେ ମହିଳାଙ୍କ ମୃତଦେହ ଠାବ କରିଛନ୍ତି। ଉକ୍ତ ମହିଳା ଜଣଙ୍କ କାର୍ ଭିତରେ ରହିବା ଅବସ୍ଥାରେ ଅତ୍ୟନ୍ତ ବରଫପାତ ଯୋଗୁ ପ୍ରାଣ ହରାଛନ୍ତି।