ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇଲେ, ପ୍ରତିମୂର୍ତ୍ତି ଭାଙ୍ଗିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଅସଲ ଚେହେରା ଧୀରେଧୀରେ ପଦାକୁ ଆସିବାରେ ଲାଗିଛି। ଗୋଟିଏ ପଟେ ସଂଗଠନର ମୁଖପାତ୍ର ସାରା ବିଶ୍ୱକୁ ଶାନ୍ତିର ଓକିଲାତି ପାଠ ପଢ଼ାଉଥିବା ବେଳେ ଅନ୍ୟପଟେ ତାଲିବାନୀମାନେ ନିଜର ବର୍ବରତା ଦେଖାଇଛନ୍ତି। ଆଜି ତାଲିବାନ ସଂଗଠନର ସଦସ୍ୟମାନେ ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଆଖି ବୁଜା ଗୁଳିମାଡ଼ କରିଛନ୍ତି। ସେହିପରି ଶିହେଟ ମିଲିସିଆ ନେତା ଅବଦୁଲ ଅଲୀ ମଜାରୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି […]

Taliban

Hemant Lenka
  • Published: Wednesday, 18 August 2021
  • , Updated: 18 August 2021, 03:04 PM IST

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଅସଲ ଚେହେରା ଧୀରେଧୀରେ ପଦାକୁ ଆସିବାରେ ଲାଗିଛି। ଗୋଟିଏ ପଟେ ସଂଗଠନର ମୁଖପାତ୍ର ସାରା ବିଶ୍ୱକୁ ଶାନ୍ତିର ଓକିଲାତି ପାଠ ପଢ଼ାଉଥିବା ବେଳେ ଅନ୍ୟପଟେ ତାଲିବାନୀମାନେ ନିଜର ବର୍ବରତା ଦେଖାଇଛନ୍ତି।

ଆଜି ତାଲିବାନ ସଂଗଠନର ସଦସ୍ୟମାନେ ସରକାରୀ ଅଫିସରେ ଦେଶର ଜାତୀୟ ପତାକା ଲଗାଇବା ଦାବିରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ଆଖି ବୁଜା ଗୁଳିମାଡ଼ କରିଛନ୍ତି। ସେହିପରି ଶିହେଟ ମିଲିସିଆ ନେତା ଅବଦୁଲ ଅଲୀ ମଜାରୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି।

ମଜାରୀ ୧୯୯୦ରୁ ତାଲିବାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। କିନ୍ତୁ ୧୯୯୬ରେ ତାଲିବାନୀମାନେ ଆଫଗାନରେ କ୍ଷମତା ଦଖଲ କରିବା ପରେ ତାଙ୍କୁ ଅପହରଣ କରି ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଥିଲେ। ହାଜାରା ସଂଖ୍ୟାଲଘୁ ସଂପ୍ରଦାୟର ମଜାରୀଙ୍କୁ ହତ୍ୟା କରିବା ପରେ ତାଲିବାନୀମାନେ ହେଲିକପ୍ଟରରୁ ତଳକୁ ଫୋପାଡ଼ି ଦେଇଥିଲେ।

କିନ୍ତୁ ତାଲିବାନ ଶାସନର ଅନ୍ତ ପରେ ତାଙ୍କ ପ୍ରତିମୂର୍ତ୍ତି ବାମୟାନ ପ୍ରଦେଶରେ ତିଆରି କରାଯାଇଥିଲା। ଏବେ ଉକ୍ତ ଅଞ୍ଚଳକୁ ତାଲିବାନ ଦଖଲ କରି ନେଇଛି। ଏହି କାରଣରୁ ସେଠାରେ ଥିବା ମଜାରୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି।


ଅନ୍ୟପକ୍ଷରେ ଆଜି ଜଲାଲବାଦ ସହରରେ ଅନେକ ଲୋକ ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଦେଶ ଜାତୀୟ ପତାକା ସରକାରୀ ଅଫିସଗୁଡ଼ିକରେ ଲଗାଇବା ପାଇଁ ଦାବି କରିଥିଲେ। ତେବେ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସେହିପରି ବିକ୍ଷୋଭକୁ ନିଜ କ୍ୟାମେରାରେ କଏଦ କରୁଥିବା କିଛି ସାମ୍ବାଦିକମାନଙ୍କୁ ବି ତାଲିବାନୀ ମାଡ଼ ମାରିବାକୁ ପଛାଇ ନାହାନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଆଫଗାନ ପତାକା ଧରି ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ହଠାତ୍‌ ଭିଡ଼ ଉପରକୁ ଗୁଳିମାଡ଼ କରାଯାଉଛି। ତେବେ ଗୁଳିମାଡ଼ରେ କେହି ମୃତାହତ ହୋଇଛନ୍ତି କି ସେକଥା ଜଣାପଡ଼ିନି।


ଏହାପୂର୍ବରୁ କିଛି ମହିଳା ନିଜର ଅଧିକାର ପାଇଁ ମଧ୍ୟ ବିକ୍ଷୋଭ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଆଫଗାନ ସରକାର ଭୁଶୁଡ଼ି ପଡ଼ିଥିଲା। ତାଲିବାନର ଆଫଗାନ ଦଖଲ ପରେ ପ୍ରଥମଥର ପାଇଁ ମହିଳା ଓ ସାଧାରଣ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Related story