ୱାଶିଂଟନ: ବଳପୂର୍ବକ ତାଲିବାନ ଆଫଗାନିସ୍ତାନ ଦଖଲ କରିଛି। ତାଲିବାନ ଧୀରେଧୀରେ ପୂରା ଦେଶକୁ ଦଖଲ କରିବାକୁ ଅଭିଯାନ ଆରମ୍ଭ କରିଥିଲେ ହେଁ ଏକଥା କେମିତି ଆଫଗାନ ରାଷ୍ଟ୍ରପତି ଅଶରଫ ଘନି ଓ ତାଙ୍କ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ ଜାଣିପାରିଲେ ନାହିଁ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏସବୁ ଭିତରେ ଘନି ଓ ବାଇଡେନ ତାଲିବାନର ଆଫଗାନ ଦଖଲ ପୂର୍ବରୁ ଶେଷଥର କ’ଣ ସବୁ କଥା ହୋଇଥିଲେ, ସେ ବିଷୟରେ ତଥ୍ୟ ମିଳିଛି।
ଉଭୟ ନେତା ପ୍ରତିରକ୍ଷା ସହାୟତା, ରାଜନୀତିକ ରଣନୀତି ଓ ମେସେଜିଂ ଶୈଳୀ ବିଷୟରେ କଥା ହୋଇଥିଲେ। ଏହି ସମୟରେ ବାଇଡେନ କିମ୍ବା ଘନି ତାଲିବାନର ଆଫଗାନ ଦଖଲ ରଣନୀତି ସମ୍ପର୍କରେ ଆଦୌ କଥା ହୋଇନଥିଲେ। ସମ୍ଭବତଃ ସେମାନେ ତାଲିବାନର ମସୁଧା ସମ୍ପର୍କରେ ଅବଗତ ନଥିଲେ ବୋଲି କୁହାଯାଉଛି।
ଉଭୟ ଜୁଲାଇ ୨୩ରେ ପ୍ରାୟ ୧୪ ମିନିଟ୍ ଧରି ଫୋନରେ କଥା ହୋଇଥିଲେ। ଅଗଷ୍ଟ ୧୫ରେ ଘନି ରାଷ୍ଟ୍ରପତି ଭବନ ଛାଡ଼ି ଫେରାର ହୋଇଯାଇଥିଲେ। ଏହି ସମୟରେ ତାଲିବାନ କାବୁଲରେ ପ୍ରବେଶ କରିଥିଲା। ବାଇଡେନ ଜୁଲାଇ ୨୩ ତାରିଖ ଫୋନରେ ଘନିଙ୍କୁ ସର୍ତ୍ତମୂଳକ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେ କହିଥିଲେ, “ଆମେ ଆପଣଙ୍କୁ ଆକାଶ ପଥରେ ସହଯୋଗ ଜାରି ରଖିବୁ। କିନ୍ତୁ ଆମେ ଆପଣଙ୍କ ଯୋଜନା ବିଷୟରେ ଜାଣିଲା ପରେ ସହାୟତା କରିବା କଥା ଚିନ୍ତା କରିବୁ।” ଏହି ଫୋନର କିଛି ଦିନ ପୂର୍ବରୁ ଆଫଗାନ ସୁରକ୍ଷାକର୍ମୀମାନେ ତାଲିବାନ ସହ ଲଢ଼େଇ କରୁଥିବାରୁ ସେମାନଙ୍କ ସମର୍ଥନରେ ଆମେରିକା ଏୟାରଷ୍ଟ୍ରାଇକ କରିଥିଲା। ତେବେ ଏହାକୁ ତାଲିବାନ କଡ଼ା ବିରୋଧ କରିବା ସହ ଦୋହା ଚୁକ୍ତିର ଏହା ଉଲ୍ଲଙ୍ଘନ ବୋଲି କହିଥିଲା।
ଆମେରିକା ରାଷ୍ଟ୍ରପତି ବାଇଡେନ ଫୋନରେ ଘନିକୁ ଆଗକୁ ଲଢ଼େଇ ପାଇଁ କ୍ଷମତା ରଖିଥିବା ଲୋକଙ୍କୁ ସେନାରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜଣେ ଯୋଦ୍ଧାଙ୍କୁ ନିଯୁକ୍ତି ଦେବାକୁ ପରାମର୍ଶ ଦେଇଥିଲେ। ବାଇଡେନ ଏହି ସମୟରେ ଆଫଗାନ ସୈନ୍ୟଙ୍କ ପରାକ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ।
ସେ କହିଥିଲେ, “ଆପଣଙ୍କ ପାଖରେ ଦୁନିଆର ଶ୍ରେଷ୍ଠ ସେନା ବାହିନୀ ରହିଛି। ଆପଣଙ୍କ ପାଖରେ ୩ ଲକ୍ଷରୁ ଅଧିକ ଅସ୍ତ୍ରଶସ୍ତ୍ର ଖଚିତ ଯବାନ ଥିବା ବେଳେ ତାଲିବାନ ପାଖରେ ସର୍ବାଧିକ ୭୦ରୁ ୮୦ ହଜାର ଲୋକ ରହିଛନ୍ତି। ତେଣୁ ଆଫଗାନ ସୈନ୍ୟମାନେ ଜୋରଦାର ଲଢ଼େଇ କରିବାକୁ ସକ୍ଷମ।”
ଟ୍ରମ୍ପଙ୍କ ଏହି ଦମ୍ଭୋକ୍ତି ସତ୍ତ୍ୱେ ତାଲିବାନ ଆକ୍ରମଣକୁ ଆଫଗାନ ସୈନ୍ୟ ସହ୍ୟ କରି ନ ପାରି ଗୋଟିଏ ପରେ ଗୋଟିଏ ପ୍ରଦେଶକୁ ତାଲିବାନ ହାତରେ ଟେକି ଦେଇଥିଲେ। ଏଥିସହ ସେ ଆଫଗାନର ସବୁ ରାଜନୀତିକ ଦଳର ନେତାଙ୍କୁ ଏକାଠି କରି ନୂଆ ପ୍ରତିରକ୍ଷା ରଣନୀତି ସମର୍ଥନରେ ସାମ୍ବାଦିକ ସମ୍ମିଳନୀ କରିବାକୁ କହିଥିଲେ।
ଏହାଦ୍ୱାରା ଆଫଗାନ ସୈନ୍ୟଙ୍କ କ୍ଷମତାକୁ ନେଇ ଉଠିଥିବା ପ୍ରଶ୍ନ ଓ ଚିନ୍ତାଧାରା ବଦଳି ପାରିବ। କୂଟନୀତିକ, ରାଜନୀତିକ ଓ ଆର୍ଥିକ ସ୍ତରରେ ଆମେ ଏକାଠି ଲଢ଼େଇ କରିବା। ଏହାଦ୍ୱାରା କେବଳ ଆପଣଙ୍କ ସରକାର ତିଷ୍ଠି ରହିବ ନାହିଁ ବରଂ ଆଗକୁ ମଧ୍ୟ ବଢ଼ିବ ବୋଲି ବାଇଡେନ କହିଥିଲେ।
ତାଲିବାନ ଆଫଗାନକୁ ସଂପୂର୍ଣ୍ଣ ଭାବେ ଦଖଲ କରିପାରିବ ବୋଲି କେବେ ହେଲେ ବାଇଡେନ ଆଶଙ୍କା କରି ନଥିବା, ତାଙ୍କ କଥାରୁ ଜଣାପଡ଼ୁଛି। କିନ୍ତୁ ଏହି ଫୋନ କଲ୍ର ୨୩ ଦିନ ପରେ ଆଫଗାନର ସରକାର ଭୁଶୁଡ଼ି ପଡ଼ିଥିଲା। ହ୍ୱାଇଟହାଉସ ମଧ୍ୟ ଏହି ଲିକ୍ ଫୋନ କଲ୍ ତଥ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।
ଅନ୍ୟପକ୍ଷରେ ଘନି ପାକିସ୍ତାନ କେମିତି ତାଲିବାନକୁ ସହାୟତା କରୁଛି, ସେକଥା ବାଇଡେନଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ “ପାକିସ୍ତାନ ସବୁ ପ୍ରକାରର ସହାୟତା ତାଲିବାନକୁ ଯୋଗାଇ ଦେଉଛି। ପାକିସ୍ତାନରୁ ୧୦ରୁ ୧୫ ହଜାର ଆତଙ୍କୀ ତାଲିବନ ସହ ମିଶି ଆଫଗାନରେ ହିଂସା ସୃଷ୍ଟି କରିବାରେ ଲାଗିଛନ୍ତି। ସେମାନେ ହିଁ ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।