ରୁଷର ତେଲ ଓ ଗ୍ୟାସ ଉପରେ ଲାଗିଲା ବ୍ୟାନ, ବାଇଡେନ କଲେ ଘୋଷଣା

ୱାଶିଂଟନ: ରୁଷ ବିରୋଧରେ ସବୁଠାରୁ ବଡ଼ କଟକଣା ଲଗାଇଛି ଆମେରିକା। ରୁଷରୁ ଆମାଦାନୀ ହେଉଥିବା ସମସ୍ତ ପ୍ରକାରର ତୈଳ ଓ ଗ୍ୟାସ ଉପରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୋକ ଲଗାଇ ଦେଇଛନ୍ତି। ଫଳରେ ଆର୍ଥିକ ସ୍ତରରେ ରୁଷ ଆହରୁ ଦୁର୍ବଳ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦୀର୍ଘ ୧୩ ଦିନ ହେଲା ୟୁକ୍ରେନ ଉପରେ ରୁଷ ହମଲା ଜାରି ରଖିଛି। ବିଭିନ୍ନ ପ୍ରକାରର କଟକଣା ସତ୍ତ୍ୱେ ରୁଷ ତା’ର ଆଭିମୁଖ୍ୟ ବଦଳାଇ ନଥିଲା। […]

Biden

Hemant Lenka
  • Published: Tuesday, 08 March 2022
  • , Updated: 08 March 2022, 10:37 PM IST

ୱାଶିଂଟନ: ରୁଷ ବିରୋଧରେ ସବୁଠାରୁ ବଡ଼ କଟକଣା ଲଗାଇଛି ଆମେରିକା। ରୁଷରୁ ଆମାଦାନୀ ହେଉଥିବା ସମସ୍ତ ପ୍ରକାରର ତୈଳ ଓ ଗ୍ୟାସ ଉପରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୋକ ଲଗାଇ ଦେଇଛନ୍ତି। ଫଳରେ ଆର୍ଥିକ ସ୍ତରରେ ରୁଷ ଆହରୁ ଦୁର୍ବଳ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଦୀର୍ଘ ୧୩ ଦିନ ହେଲା ୟୁକ୍ରେନ ଉପରେ ରୁଷ ହମଲା ଜାରି ରଖିଛି। ବିଭିନ୍ନ ପ୍ରକାରର କଟକଣା ସତ୍ତ୍ୱେ ରୁଷ ତା’ର ଆଭିମୁଖ୍ୟ ବଦଳାଇ ନଥିଲା। ଫଳରେ ଆଜି ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନ କରି ଆମେରିକା ଆଉ ରୁଷର ତୈଳ, ଗ୍ୟାସ ଓ କୋଇଲା ଆମଦାନୀ କରିବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ରୁଷରୁ ଆମଦାନୀ ହେଉଥିବା ତୈଳ, ଗ୍ୟାସ ଓ ଏନର୍ଜି ଉପରେ ରୋକ ଲଗାଉଛୁ। ଏହାର ଅର୍ଥ ଆମେରିକା ପୋର୍ଟଗୁଡ଼କରେ ରୁଷିଆନ ତେଲକୁ ଆଉ ଗ୍ରହଣ କରାଯିବନି। ଏପରି କରି ଭ୍ଲାଦିମିର ପୁଟିନଙ୍କୁ ଆମେରିକା ପକ୍ଷରୁ ଆଉ ଏବ ବଡ଼ ଝଟକା ଦିଆଯାଇଛି।”

ପୂର୍ବରୁ ତୈଳ ସପ୍ଲାଏ ଉପରେ ରୋକ ନ ଲଗାଇବାକୁ ରୁଷ ପଶ୍ଚିମ ଦେଶଗୁଡ଼ିକୁ ଧମକ ଦେଇଥିଲା। ଏପରି ହେଲେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩୦୦ ଡଲାର ପହଞ୍ଚିବ ବୋଲି ରୁଷ କହିଥିଲା। ହେଲେ ଏହି ଧମକକୁ ବେଖାତିର କରି ବାଇଡେନ ରୁଷ ଉପରେ ସବୁଠାରୁ ବଡ଼ କଟକଣା ଲାଗୁ କରିଛନ୍ତି।

ବାଇଡେନ କହିଛନ୍ତି, ରୁଷରୁ ଆମଦାନୀ ହେଉଥିବା ତେଲ, ଗ୍ୟାସ ଓ କୋଇଲା ଉପରେ ସଂପୂର୍ଣ୍ଣ ଭାବେ ରୋକ ଲଗା ଯାଉଛି। ଏହାଦ୍ୱାରା ରୁଷ ଆହୁରି ଆର୍ଥିକ ସ୍ତରରେ ଦୁର୍ବଳ ହେବ। କଟକଣା ଦ୍ୱାରା ଆମେରିକା ମଧ୍ୟ ପ୍ରଭାବିତ ହେବ। ହେଲେ ଏହାର ମୁକାବିଲା କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆମଦାନୀ ବନ୍ଦ ଯୋଗୁ ଆମେରିକାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। କିନ୍ତୁ ରୁଷ ଉପରେ କଟକଣା ଲଗାଇବା ପାଇଁ ସମସ୍ତ ସାଂସଦ ଏକଠି ସ୍ୱର ଉଠାଇଛନ୍ତି। ମୁଁ ଆରମ୍ଭରୁ ଆମେରିକୀୟ ଲୋକଙ୍କ ସହ ଥିଲି ଓ ରହିବି। ଯେତେବେଳେ ପ୍ରଥମେ ଏହି ପ୍ରସଙ୍ଗ ଉଠିଥିଲା ସେତେବେଳେ ମୁଁ ସ୍ୱାଧୀନତାର ଲଢ଼େଇ ମହଙ୍ଗା ମଧ୍ୟ ପଡ଼ିପାରେ ବୋଲି କହିଥିଲି।

ଆମେରିକା ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟିକର ଲୋକମାନେ ଭଲ ଭାବେ ବୁଝିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ସେମାନେ ରୁଷ ଉପରେ କଟକଣା ଲଗାଇବା ଉଚିତ ବୋଲି କହିଥିଲେ। ତେଣୁ ଆମେରିକାକୁ ରୁଷରୁ ଆମଦାନୀ ହେଉଥିବା ତେଲ, ଗ୍ୟାସ ଓ କୋଇଲା ଉପରେ ରୋକ ଲଗାଯାଉଥିବା ସେ କହିଛନ୍ତି।

ଏଥିସହ ସେ ରୁଷର ମୁକାବିଲା କରୁଥିବା ୟୁକ୍ରେନ ସେନା ଓ ଲୋକଙ୍କ ସାହାସକୁ ପ୍ରଶଂସା କରିଛନ୍ତି। ଆମେରିକା ସବୁବେଳେ ୟୁକ୍ରେନ ସହ ରହିଛି ଓ ଆଗକୁ ସମସ୍ତ ପ୍ରକାରର ସାମରିକ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ବାଇଡେନ କହିଛନ୍ତି।

ସୂଚନାଯୋଗ୍ୟ, ଯଦି ଆମେରିକା ପରେ ସବୁ ପଶ୍ଚିମ ଦେଶଗୁଡ଼ିକ ରୁଷର ତୈଳ ସପ୍ଲାଏ ଚେନ ଉପରେ ବ୍ୟାନ ଲଗାଇ ଦେବେ, ତା’ହେଲେ ମସ୍କୋ ବଡ଼ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହେବ।

ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ଆବଶ୍ୟକର ଅଧିକାଂଶ ଭାଗ ତେଲ ରୁଷରୁ ଆମଦାନୀ କରନ୍ତି। ରୁଷ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତେଲ ଉତ୍ପାଦନକାରୀ ଦେଶ। ରୁଷରେ ପ୍ରତିଦିନ ପ୍ରାୟ ୧୧ ମିଲିୟନ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ। ଏହାର ଅଧା ଭାଗ ରପ୍ତାନୀ କରାଯାଏ।

ୟୁରୋପୀୟ ଦେଶଗୁଡ଼ିକ ରୁଷ ଠାରୁ ପ୍ରତିଦିନ ୨.୫ରୁ ୩ ମିଲିୟନ ବ୍ୟାରେଲ ତୈଳ ଆମଦାନୀ କରନ୍ତି। ତେଲ ବ୍ୟତୀତ ରୁଷ ୟୁରୋପୀୟ ଦେଶଗୁଡ଼ିକୁ ପ୍ରାୟ ୪୦% ଗ୍ୟାସ ସପ୍ଲାଏ କରିଥାଏ। ତେଣୁ ଏନର୍ଜି ସପ୍ଲାଏ ଉପରେ ରୋକ ଲଗାଇ ରୁଷକୁ ପଶ୍ଚିମ ଦେଶଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଚାହୁଁଛନ୍ତି।

Related story