ନୂଆଦିଲ୍ଲୀ: ଉପର ଫଟୋଟି ଆପଣ ହଲିଉଡ୍ ଫିଲ୍ମରେ ଦେଖିଥିବା ଭଳି କୌଣସି ମହାକାଶଯାନ ନୁହେଁ। ଏହା ଏକ ବିମାନବନ୍ଦର। ଚୀନର ରାଜଧାନୀ ବେଜିଂରେ ନିର୍ମାଣ ହେଉଛି ଏହି ବିମାନବନ୍ଦର। ଏହା ଦୁନିଆର ସବୁଠୁ ବଡ଼ ବିମାନ ବନ୍ଦର ବୋଲି କୁହାଯାଉଛି। ୨୦୧୯ ଅକ୍ଟୋବର ମାସରେ ଏଠାରୁ ପରୀକ୍ଷାମୂଳକ ଭାବେ ବିମାନ ଚଳାଚଳ କରିବ। ତେଣୁ ସେହି ବର୍ଷ ଜୁଲାଇ ମାସ ସୁଦ୍ଧା ଏହାର କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଗ୍ଲୋବାଲ୍ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ ମହାକାଶଯାନ ଭଳି ଦେଖାଯାଉଥିବା ଏହି ବିମାନବନ୍ଦର ୩,୧୩,୦୦୦ ବର୍ଗମିଟର ଅଞ୍ଚଳରେ ଅବସ୍ଥିତ। ଏଥିରେ ୬ଟି ଗ୍ୟାଲେରୀ ଅଛି। ଏଥିରେ ବଗିଚା ସହିତ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଟର୍ମିନାଲ ରହିଛି। ପ୍ରତି ବର୍ଷ ଏହି ବିମାନବନ୍ଦରରୁ ୧୦ କୋଟି ଯାତ୍ରୀ ଯାତ୍ରା କରିବେ। ଏହା ସହିତ ଏହି ବିମାନବନ୍ଦର ମାଧ୍ୟମରେ ପ୍ରତିବର୍ଷ ୪୦ ଲକ୍ଷ ଟନ୍ ସାମଗ୍ରୀ ମଧ୍ୟ ପରିବହନ କରାଯିବ।
ବେଜିଂ କ୍ୟାପିଟାଲ୍ ଇଣ୍ଟରନ୍ୟାସ୍ନାଲ୍ ଏୟାରପୋର୍ଟଠାରୁ ୬୭ କିଲୋମିଟର ଦୂରରେ ଲାଙ୍ଗଫାଙ୍ଗ ସୀମାରେ ଅବସ୍ଥିତ ଏହି ବିମାନବନ୍ଦରରେ ଚାରିଟି ରନ୍ୱେ ରହିବ। ବର୍ଷକୁ ଏଠାକୁ ୬ ଲକ୍ଷ ୨୦ ହଜାର ବିମାନ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।