କୋଲକାତା:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ଦେଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର। ତେବେ ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଯୋଗୀ। ସେ କହିଛନ୍ତି, ମୋତେ ଶୋଭାଯାତ୍ରାରେ ଯୋଗଦେବାରୁ ରୋକିପାରିବେ କିନ୍ତୁ ମୋ ସ୍ୱର ଦବାଇ ପାରିବେନି। ମମତା ବାନାର୍ଜୀଙ୍କ ସରକାରର ପତନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି।
ପଶ୍ଚିମବଙ୍ଗର ବାଲୁରଘାଟରେ ‘ଗଣତନ୍ତ୍ର ବଞ୍ଚାଅ’ ଶୋଭାଯାତ୍ରାରେ ଉଦ୍ବୋଧନ ଦେବାକୁ ଥିବା ଯୋଗୀ ଆଦିତ୍ୟନାଥ ମମତା ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ପଶ୍ଚିମବଙ୍ଗ ଆସିପାରିନାହାନ୍ତି। କିନ୍ତୁ ଏଥିରେ ଥମିନଥିଲା ଯୋଗୀ ଜୋଶ୍। ସେ ଏହି ଶୋଭାଯାତ୍ରାକୁ ସେ ଲକ୍ଷ୍ନୌରୁ ଫୋନ୍ ଜରିଆରେ ଉଦ୍ବୋଧନ ଦେଇଥିଲେ।
ମମତାଙ୍କ ଜାନୁଆରୀ ୧୯ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନେତାଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ସେମାନେ ଥରେ ନିଜକୁ ପଚାରନ୍ତୁ ପଶ୍ଚିମବଙ୍ଗ ସରକାର କିଭଳି ଭାବରେ ଗଣତନ୍ତ୍ରକୁ ଦଳି ଚକଟି ଖିନ୍ଭିନ୍ କରୁଛନ୍ତି।
ମମତା ବାନାର୍ଜୀଙ୍କ ଏକଚ୍ଛତ୍ରବାଦ ନୀତିକୁ ସମାଲୋଚନା କରି ସେ କହିଛନ୍ତି, “ମମତା ବାନାର୍ଜୀ ମନେ ରଖିବା ଦରକାର ସେ ସରକାର ଏବଂ ସରକାରୀ ସଂସ୍ଥାର କ୍ଷମତାର ଅପବ୍ୟବହାର କରିପାରିବେନି। ସବୁଠାରୁ ଲଜ୍ଜାଜନକ କଥା ହେଉଛି, ସରକାରୀ କର୍ମଚାରୀମାନେ ଟିଏମ୍ସି କର୍ମୀ ଭଳି ବ୍ୟବହାର କରିପାରୁଛନ୍ତି।”
ସେ ଆହୁରି ମଧ୍ୟ କହିଥିଲେ, ଟିଏମ୍ସି ସରକାର ମୋତେ ପଶ୍ଚିମବଙ୍ଗ ଆସିବାକୁ ଦେଲେନି ଏବଂ ଆପଣମାନଙ୍କୁ ଭେଟିବାରୁ ରୋକିଲେ। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆର ସହାୟତା ନେଲି। ତୃଣମୂଳ କଂଗ୍ରେସର ସରକାର ଜନବିରୋଧୀ, ଗଣତନ୍ତ୍ର ବିରୋଧୀ ଏବଂ ଜାତୀୟ ସୁରକ୍ଷାର ଅପମାନ କରିଛନ୍ତି। ଏହି ସରକାର ବିଜେପିକୁ ଭୟ କରୁଛି ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।