Advertisment

ଚାଲିଗଲେ ବିଶିଷ୍ଟ କୃଷି ବିଜ୍ଞାନୀ ଏମଏସ ସ୍ୱାମୀନାଥନ

ମୃତ୍ୟୁ ବେଳକୁ ତାଙ୍କୁ 98 ବର୍ଷ ବୟସ ହୋଇଥିଲା। ଭାରତର ସବୁଜ ବିପ୍ଳବର ଜନକ ଭାବେ ଥିଲେ ପରିଚିତ।

author-image
Debibandita Barick
ଅଦ୍ୟତନ ହୋଇଛି
MS Swaminathan File Photo

MS Swaminathan File Photo

ବିଶିଷ୍ଟ କୃଷି ବିଜ୍ଞାନୀ ଏମଏସ ସ୍ୱାମୀନାଥନଙ୍କ ପରଲୋକ। ଚେନ୍ନାଇରେ ପୂର୍ବାହ୍ନ 11.20ରେ ସ୍ୱାମୀନାଥନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 98 ବର୍ଷ ବୟସ ହୋଇଥିଲା। ଦେଶରୁ ଖାଦ୍ୟ ସଂକଟ ଦୂର କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ସ୍ୱାମୀନାଥନ। ଭାରତର ସବୁଜ ବିପ୍ଳବର ଜନକ ଭାବେ ଥିଲେ ଖ୍ୟାତ। 

Advertisment

ଦେଶର ଜଣେ ବିଶିଷ୍ଟ କୃଷି ବିଜ୍ଞାନୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ୱାମୀନାଥନ। 1972ରୁ 1979 ପର୍ଯ୍ୟନ୍ତ 'ଭାରତୀୟ ପରିଷଦ କୃଷି ଅନୁସନ୍ଧାନ'ର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣରେ ବିଭୂଷିତ କରିଥିଲେ। ସେ ବିଭିନ୍ନ ପ୍ରକାରର ଧାନ ବିକଶିତ କରିଥିଲେ, ଯାହା ଭାରତର ସ୍ୱଳ୍ପ ଆୟକାରୀ କୃଷକମାନଙ୍କୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ କରାଇଥିଲା।

ସ୍ୱାମୀନାଥନ 7 ଅଗଷ୍ଟ 1925ରେ ତାମିଲନାଡୁର କୁମ୍ଭୋକୋଣମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଏମ.କେ ସମ୍ବାସିବନ ଜଣେ ସର୍ଜନ ଥିଲେ। କୁମ୍ଭୋକୋଣମରେ ହିଁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ ସ୍ୱାମୀନାଥନ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ପିତା ଅଂଶଗ୍ରହଣ କରିବା ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଭାବରେ ପ୍ରଭାବିତ ହୋଇ ସେ କୃଷି ପ୍ରତି ଆଗ୍ରହୀ ହୋଇଥିଲେ। 

Advertisment

ଏଥିପାଇଁ ସେ କୃଷି କ୍ଷେତ୍ରରେ ଉଚ୍ଚଶିକ୍ଷା ହାସଲ କରିଥିଲେ। ଯଦି ସେ କୃଷି ବିଜ୍ଞାନୀ ହୋଇନଥାନ୍ତେ, ତେବେ ଜଣେ ପୁଲିସ ଅଧିକାରୀ ହୋଇଥାନ୍ତେ ବୋଲି କହିଥିଲେ। 1940ରେ ମଧ୍ୟ ସେ ଜଣେ ପୁଲିସ୍ ଅଧିକାରୀ ହେବା ପାଇଁ ପରୀକ୍ଷା ଦେଇଥିଲେ। କିନ୍ତୁ ପରେ ସେ କୃଷି କ୍ଷେତ୍ରରେ ଦୁଇଟି ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଭାରତର 'ସବୁଜ ବିପ୍ଳବ' କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇଥିଲେ ସ୍ୱାମୀନାଥନ। ରାସାୟନିକ-ଜୈବ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସେ ଗହମ ଏବଂ ଚାଉଳର ଉତ୍ପାଦନ ବୃଦ୍ଧି କରାଇଥିଲେ। ସବୁଜ ବିପ୍ଳବ ପାଇଁ ହିଁ ଭାରତ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପଥରେ ଆଗକୁ ବଢିବାକୁ ସକ୍ଷମ ହୋଇଥିଲା। ସବୁଜ ବିପ୍ଳବ ଯୋଗୁଁ ଭାରତର ଚିତ୍ର ବଦଳିଥିଲା। ଜୀବନ କାଳ ମଧ୍ୟରେ ସ୍ୱାମୀନାଥନଙ୍କୁ ତିନୋଟି ପଦ୍ମ ସମ୍ମାନ ବ୍ୟତୀତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। 

ରାଷ୍ଟ୍ରର ଏପରି ଜଣେ କିମ୍ୱଦନ୍ତୀ ପୁରୁଷଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତା ପଣ୍ଡା ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିଛନ୍ତି।