କଂଗ୍ରେସ ନେତାଙ୍କ ଚେତାବନୀ, ରାଜ୍ୟପାଳ ନିର୍ଦ୍ଦେଶ ଫେରାଇ ନନେଲେ ବାଂଲାଦେଶ ଭଳି ସ୍ଥିତି ହେବ

ଇଭାନ ଡି’ସୌଜାଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି।

Ivan D'Souza

ଇଭାନ ଡି’ସୌଜା

Jitendra Garnayak
  • Published: Monday, 19 August 2024
  • , Updated: 19 August 2024, 07:37 PM IST

ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ପ୍ରତ୍ୟାହାର ନକଲେ ବାଂଲାଦେଶ ଭଳି ସ୍ଥିତି ଉତ୍ପନ୍ନ ହେବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ତଥା ବିଧାନ ପରିଷଦ ସଦସ୍ୟ ଇଭାନ ଡି’ସୌଜା।  

ରାଜ୍ୟପାଳ ତାଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବି କରି କର୍ଣ୍ଣାଟକାର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ, ଧାରଣା, ଶୋଭାଯାତ୍ରା ଆଦି କରୁଛନ୍ତି। ମେଙ୍ଗାଲୁରୁରେ ଏଭଳି ଏକ ବିକ୍ଷୋଭ ସଭାରେ ଇଭାନ ଡି’ସୌଜା କହିଥିଲେ ଯେ ଯଦି ରାଜ୍ୟପାଳ ତାଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର ନ କରନ୍ତି ଅବା ରାଷ୍ଟ୍ରପତି ତାଙ୍କୁ ଏଭଳି କହିବାକୁ ନିର୍ଦ୍ଦେଶ ନଦିଅନ୍ତି, ତା’ହେଲେ ତାଙ୍କ (ରାଜ୍ୟପାଳଙ୍କ) ଅବସ୍ଥା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭଳି ହେବ। ଶେଖ ହସିନାଙ୍କୁ ଯେପରି ଦେଶଛାଡ଼ି ପଳାୟନ କରିବାକୁ ପଡ଼ିଲା, ଏଠାରେ ରାଜ୍ୟପାଳଙ୍କୁ ମଧ୍ୟ ରାଜ୍ୟ ଛାଡ଼ି ପଳାୟନ କରିବାକୁ ପଡ଼ିବ।

ଇଭାନ ଡି’ସୌଜାଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖି ବିଜେପି ବିଧାୟକ ଭରତ ଶେଟ୍ଟୀ କହିଛନ୍ତି ଯେ ସେ ରାଜ୍ୟପାଳଙ୍କ ବିରୋଧରେ ଅତ୍ୟନ୍ତ ଘୃଣ୍ୟ ଓ ଉତ୍ତଜେନା ସୃଷ୍ଟି କଲା ଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କ କହିବା କଥା ରାଜ୍ୟପାଳଙ୍କୁ ଯଦି ସେଠାରୁ ଫେରାଇ ନନିଆଯିବ, ତା’ହେଲେ ବାଂଲାଦେଶ ଭଳି ସ୍ଥିତି ସୃଷ୍ଟି ହେବ। ତାଙ୍କର ଏଭଳି ମନ୍ତବ୍ୟରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ସଂସ୍କୃତି ପ୍ରତିଫଳିତ ହୋଇଛି। ସେମାନେ ଭାରତକୁ ପାକିସ୍ତାନ ବା ବାଂଲାଦେଶ କରି ଦେବାକୁ ଚାହୁଁଛନ୍ତି। ରାଜ୍ୟପାଳ ଦଳିତ ବର୍ଗରୁ ଆସିଥିବା ବେଳେ ଦୁର୍ନୀତିଗ୍ରସ୍ତ ସିଦ୍ଦରମୈୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିବାରୁ ଇଭାନ ତାଙ୍କ ସହ୍ୟ କରିପାରୁ ନାହାନ୍ତି।     

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ଦ୍ୱାରା ଆବଣ୍ଟନ କରାଯାଇଥିବା ବିକଳ୍ପ ଜମି ଦୁର୍ନୀତି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ତଦନ୍ତ କରିବାକୁ ରାଜ୍ୟପାଳ ଇଭାନ ଡି’ସୌଜା ନିର୍ଦ୍ଦେଶ ଦେବା ପରଠାରୁ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ନଦେବାକୁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  

ସୂଚନାଯୋଗ୍ୟ, ସଂରକ୍ଷଣ ବିରୋଧୀ ଆନ୍ଦୋଳନ ବାଂଲାଦେଶରେ ବ୍ୟାପକ ହେବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ଥିଲେ। ସେ ଏବେ ଭାରତରେ ଅଛନ୍ତି।     

 

Related story