Advertisment

ଇତିହାସ ରଚିଲା ଇସ୍ରୋ, ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ

ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସଫଳ

author-image
Debibandita Barick
ଅଦ୍ୟତନ ହୋଇଛି
SRO launches Chandrayaan-3 Moon mission

SRO launches Chandrayaan-3 Moon mission

ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-3। ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ 2ଟା 35ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-3।

Advertisment

ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର 16 ମିନିଟ ପରେ 180 କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି। ଆସନ୍ତା ଅଗଷ୍ଟ 23 କିମ୍ବା 24ରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ଯାଣ୍ଡିଂ ହେବ, ଯାହା ଉପରେ ପୁରା ବିଶ୍ୱର ନଜର। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ। ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ।

Advertisment

ଏଥିସହ ପରୀକ୍ଷଣ ସଫଳ ହେଲେ ଭାରତକୁ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବ ସତ୍ତା ଜାଣିବା ସହଜ ହୋଇଯିବ। LVM3-M4 ରକେଟ୍ ଯୋଗେ ଚନ୍ଦ୍ରପୃଷ୍ଠକୁ ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପ୍ରେରଣ କରାଯାଇଛି । ବିକ୍ରମ ଲ୍ୟାଣ୍ଡରରେ ଥିବା ଚାରୋଟି ପେ-ଲୋଡ୍ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ, ଚନ୍ଦ୍ରପୃଷ୍ଠ କିପରି ଉତ୍ତାପକୁ ପ୍ରବାହିତ କରେ ସେ ବାବଦରେ ସୂଚନା ଦେବ। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନ ବାବଦରେ ତଥ୍ୟ ପଠାଇବ।

ଚନ୍ଦ୍ରଯାନ ର ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଅନ୍ତରୀକ୍ଷ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, "ଏହା ବାସ୍ତବରେ ଭାରତ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ। ଭାରତକୁ ଗର୍ବିତ କରିଥିବାରୁ ଇସ୍ରୋ ଟିମକୁ ଧନ୍ୟବାଦ।"

Chandrayaan-3 SRO