କଟକ(ଓଡ଼ିଶା ରିପୋର୍ଟର) ମୃତ୍ୟୁର ୧୧ ବର୍ଷ ପରେ ମିଳିଲା ନ୍ୟାୟ। ଦୀର୍ଘ ବର୍ଷ ପରେ ଅବସରକାଳଳୀନ ପ୍ରାପ୍ୟ ପାଇବା ପାଇଁ ଜଣେ ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଛି ନ୍ୟାୟ । ଟାଇମ ବାଉଣ୍ଡ ଆଡଭାନ୍ସମେଣ୍ଟ ସ୍କେଲ ହାରରେ ଦରମା ପାଇବା ଲାଗି ୧୯୯୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଲେପୁର ଅଞ୍ଚଳର ଶିକ୍ଷକ ପ୍ରଫୁଲ ଚନ୍ଦ୍ର ମହାନ୍ତି । ୨୦୦୪ରେ ପ୍ରଫୁଲଙ୍କ ଆବେଦନର ରାୟ ପ୍ରକାଶ କରିଥିଲେ କୋର୍ଟ ଚାକିରି ଜୀବନର ୧୫ ବର୍ଷ ପୂରଣ ହୋଇଥିବାରୁ ତାଙ୍କର ଦରମା ଧାର୍ଯ୍ୟ ସହ ପେନସନ ଓ ଅବସରକାରୀଳନ ପ୍ରାପ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏସଏଲପି ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
୨୦୧୮ରେ ରାଜ୍ୟ ସରକାରଙ୍କ ଏସଏଲପିକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ୨୦୧୦ରେ ପ୍ରଫୁଲଙ୍କ ଦେହାନ୍ତ ହୋଇଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ନ ହେବାରୁ ପ୍ରଫୁଲଙ୍କ ୮୩ ବର୍ଷୀୟ ପତ୍ନୀ ମୀନଲତା ମହାନ୍ତି ପୁର୍ନଃବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଶୁଣାଣି ସମୟରେ ବିଳମ୍ବିତ ପକ୍ରିୟାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ଆବେଦନକାରିଣୀଙ୍କୁ ଏକ ମାସ ମଧ୍ୟରେ ଅବସରକାଳୀନ ସମସ୍ତ ପ୍ରାପ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତାସହ ୨୦୦୪ରେ ହାଇକୋର୍ଟ ଦେଇଥିବା ଆବେଦନ ପର୍ଯ୍ୟନ୍ତ ଯେତିକି ପ୍ରାପ୍ୟ ମିଳିବ ତାହା ଉପରେ ୫ ପ୍ରତିଶତ ଏବଂ ହାଇକୋର୍ଟଙ୍କ ରାୟଠାରୁ ସୁପ୍ରିମକୋର୍ଟରେ ମାମଲା ଖାରଜ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୬ ପ୍ରତିଶତ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟରେ ମାମଲା ଖାରଜ ହେବାଠାରୁ ଏ ପର୍ଯ୍ୟନ୍ତ ପ୍ରାପ୍ୟ ଉପରେ ୧୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।