ମୁଁ ପାଠ ପଢ଼ିବି... ଦୁନିଆକୁ ଦେଖିବି...

ମୁଖ୍ୟମନ୍ତ୍ରୀ ସାର, ମୋର ଭୂମିଷ୍ଠ ପ୍ରଣାମ ନେବେ।… ମୁଁ ପାଠ ପଢିବି। ଶିକ୍ଷୟିତ୍ରୀ ହେବି। ଅନ୍ୟ ପିଲାଙ୍କୁ ପାଠ ପଢେଇବି। ହେଲେ ରୋଗୀଣା ପାଗଳ ମାଆକୁ ନେଇ ଆଉ ଲଢ଼ି ପାରୁନି ସାର୍‌। ମୁଁ ପାଠ ପଢ଼ିବି। ଦୁନିଆକୁ ଦେଖିବି। ମୁଁ ବଞ୍ଚିବାକୁ ଚାହେଁ ସାର୍‌… ଏମିତିକା ତେକେ କ’ଣ ମନ ଯନ୍ତ୍ରଣା ଓ କୋହ ଚିଠିରେ ଲେଖିଛନ୍ତି ସୁଭଦ୍ରା ପଣ୍ଡା। ବାଲେଶ୍ୱର ଜିଲ୍ଲା ରେମୁଣା ପାଟଣାରାଇପୁର ଗାଁର ଝିଅ ହେଉଛନ୍ତି ସୁଭଦ୍ରା ପଣ୍ଡା। ସେ ବାଲେଶ୍ୱର […]

cm

  • Published: Friday, 19 August 2022
  • , Updated: 19 August 2022, 08:16 PM IST

ମୁଖ୍ୟମନ୍ତ୍ରୀ ସାର,

ମୋର ଭୂମିଷ୍ଠ ପ୍ରଣାମ ନେବେ।... ମୁଁ ପାଠ ପଢିବି। ଶିକ୍ଷୟିତ୍ରୀ ହେବି। ଅନ୍ୟ ପିଲାଙ୍କୁ ପାଠ ପଢେଇବି। ହେଲେ ରୋଗୀଣା ପାଗଳ ମାଆକୁ ନେଇ ଆଉ ଲଢ଼ି ପାରୁନି ସାର୍‌। ମୁଁ ପାଠ ପଢ଼ିବି। ଦୁନିଆକୁ ଦେଖିବି। ମୁଁ ବଞ୍ଚିବାକୁ ଚାହେଁ ସାର୍‌...

ଏମିତିକା ତେକେ କ’ଣ ମନ ଯନ୍ତ୍ରଣା ଓ କୋହ ଚିଠିରେ ଲେଖିଛନ୍ତି ସୁଭଦ୍ରା ପଣ୍ଡା। ବାଲେଶ୍ୱର ଜିଲ୍ଲା ରେମୁଣା ପାଟଣାରାଇପୁର ଗାଁର ଝିଅ ହେଉଛନ୍ତି ସୁଭଦ୍ରା ପଣ୍ଡା। ସେ ବାଲେଶ୍ୱର ଜିଲ୍ଲା ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। କଅଁଳ ବୟସରେ ବାପା ଶ୍ରୀନିବାସ ପଣ୍ଡାଙ୍କୁ ହରାଇ ଥିଲେ। ବାପାଙ୍କ ମୃତ୍ୟୁ ପରେ ମାଆ ଅନ୍ନପୂର୍ଣ୍ଣା ପଣ୍ଡା ମାନସିକ ଭାରସାମ୍ୟ ହରାଇଲେ। ନିଜର ସମ୍ପର୍କୀୟ ମଧ୍ୟ ହାତ ଛାଡ଼ି ଦେଲେ। କୌଣସି ବୁଝାସୁଝା କଲେ ନାହିଁ। କିଛି ଉପାୟ ନପାଇ ସୁଭଦ୍ରା ଭଙ୍ଗା ଦଦରା ଆଜବେଷ୍ଟସ୍‌ ଘରେ ପାଗିଳି ମାଆଙ୍କ ସହିତ ରହୁଛନ୍ତି। ମଝିରେ ମଝିରେ ମାଆଙ୍କଠାରୁ ମାଡ଼ ଖାଉଛନ୍ତି। ସବୁ ସହି ଏବେ ପଥର ପାଲଟି ଗଲେଣି ସୁଭଦ୍ରା। ଯେଉଁ ମାଆ କୋଳରେ ଶୁଆଇ ଲୋରୀ ଶୁଣାଉଥିଲା, ଆଜି ପାଗିଳି ହୋଇଛି ବୋଲି ମାଡ଼ ମାରୁଛି। ଘରର ବାସନ କୁଶନ ଫିଙ୍ଗୁଛି, ସାହି ଲୋକଙ୍କୁ ଗାଳି ଦେଉଛି।

ମାଆଙ୍କଠାରୁ ମାଡ଼ ଖାଉଥିଲେ ମଧ୍ୟ ପାଠ ପଢ଼ା ଛାଡ଼ି ନାହାନ୍ତି ସୁଭଦ୍ରା। ଟ୍ୟୁସନ୍‌ ସାର୍‌.... ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପ୍ରଥମରୁ ଆଜି ପର୍ଯ୍ୟନ୍ତ ପାଠ ପଢ଼ୁଛନ୍ତି। ଏବେ ସୁଭଦ୍ରା, ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ହେଲେ ଏ ବୟସରେ ଏକସଙ୍ଗେ ପାଠ ପଢିବା ଓ ମାଆଙ୍କ ସେବା କରିବା ତାଙ୍କ ପକ୍ଷେ କଷ୍ଟ ହୋଇପଡୁଛି। ତେଣୁ ମାଆଙ୍କ ଚିକିତ୍ସା ଓ ପାଠ ପଢ଼ିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆକୁଳ ନିବେଦନ କରିଛନ୍ତି।

ସୁଭଦ୍ରାଙ୍କ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଶୋସାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଖବର ପାଇ ଗୁରୁବାର ତାଙ୍କୁ ଫୋନ୍‌ କରିଥିଲେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ। ଆଜି ସେ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଦ୍ୱାରସ୍ଥ ହୋଇଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଭାଗିରଥୀ ବାରିକ ସବୁ ଶୁଣିବା ପରେ ସୁଭଦ୍ରାଙ୍କୁ ସବୁ ପ୍ରକାର ସରକାରୀ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ

Related story