ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ଲାଗି ରହିଛି। ଯେଉଁଥିପାଇଁ ରେଳ ଚଳାଚଳରେ ବ୍ୟାଘାତ ଘଟୁଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନେ ବିକ୍ଷୋଭ କରୁଛନ୍ତି। ସେଥିପାଇଁ ଓଡ଼ିଶାକୁ ଓ ଓଡ଼ିଶା ମଧ୍ୟଦେଇ ଯିବାଆସିବା କରୁଥିବା ଟ୍ରେନ୍ ଗୁଡ଼ିକ ପ୍ରଭାବିତ ହୋଇଛି। ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନ୍ ଗତକାଲି ବାତିଲ ହୋଇଥିଲା।
ଆସନ୍ତାକାଲି କୋଲକାତାରୁ ଆସୁଥିବା ସାଲଦା-ପୁରୀ ଏକ୍ସପ୍ରେସକୁ ବାତିଲ କରାଯାଇଛି। ପୁରୀରୁ କୋଲକାତା ଯାଉଥିବା ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ-ସନ୍ତ୍ରାଗାଚ୍ଛି ପାସେଞ୍ଜର ଓ ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜରକୁ ମଧ୍ୟ ବାତିଲ କରାଯାଇଛି। ସେହିପରି ଆଜି ତିରୁପତିରୁ ଆସିବାକୁ ଥିବା ତିରୁପତି-ହାଓ୍ୱଡା ଏକ୍ସପ୍ରେସ୍, ୧୭ ତାରିଖରେ ଏର୍ଣ୍ଣାକୁଲମରୁ କୋଲକାତା ଆସିବାକୁ ଥିବା ଏର୍ଣ୍ଣାକୁଲମ- ହାଓ୍ୱଡା ଏକ୍ସପ୍ରେସକୁ ବାତିଲ କରାଯାଇଛି। ଚେନ୍ନାଇ-ହାଓ୍ୱଡା କରମଣ୍ଡଳ ଏକ୍ସପ୍ରେସ, ଦିଘାରୁ ଆସୁଥିବା ଦିଘା-ପୁରୀ ଏକ୍ସପ୍ରେସ୍, ଯଶୋବନ୍ତପୁର- ହାଓ୍ୱଡା ଏକ୍ସପ୍ରେସ, ହାଇଦ୍ରାବାଦରୁ କୋଲକାତା ଆସୁଥିବା ହାଇଦ୍ରାବାଦ-ହାଓ୍ୱଡା ଏକ୍ସପ୍ରେସ ବାତିଲ ହୋଇଛି। ଏହାସହ ଚେନ୍ନାଇରୁ ଆସୁଥିବା ଚେନ୍ନାଇ-ପୁରୀ ଏକ୍ସପ୍ରେସ ମଧ୍ୟ ବାତିଲ କରାଯାଇଛି। ଏହାସହ କିଛି ଟ୍ରେନ୍କୁ ଆଂଶିକ ଭାବେ ବାତିଲ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।