ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ବୀରକିଶୋରପୁରରେ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ଭଙ୍ଗାରୁଜା ସହ ପ୍ରିଜାଇ଼ଡିଂ ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଗଡ଼ିଶାଗୋଦା ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ପୁଲିସ୍ ଗୋଟିଏ ରିଭଲଭର ଓ ୬ ରାଉଣ୍ଡ ଗୁଳି ଜବତ କରିଛି। ଏହା ସହିତ ଏହି ଘଟଣାରେ ସତ୍ୟବାଦୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି।
ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କ ଆଦୌ ସଂପୃକ୍ତି ନାହାନ୍ତି ବୋଲି ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ଏନେଇ ପୁରୀ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି,“ବୁଥ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବା ଓ ଇଭିଏମ୍ ଭାଙ୍ଗିବା ଏକ ସଙ୍ଗିନ ଅପରାଧ। ଓମ୍ ପ୍ରକାଶ ମିଶ୍ରଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି। ଖୁବ୍ଶୀଘ୍ର ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛୁ। ଏଥିପାଇଁ ବିଭିନ୍ନ ସ୍ଥାନ ଚଢ଼ାଉ ଚାଲିଛି। ଆବଶ୍ୟକ ହେଲେ ଆମେ ତାଙ୍କୁ ପଳାତକ ଘୋଷଣା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”