ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମେଡିକାଲ ଛକରୁ ପୁଲିସ୍ ପରିଚୟ ଦେଇ ଦୁଇ ଜଣ ଦୁର୍ବୃତ୍ତ ଜଣେ ନର୍ସଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଲୁଟ୍ର ଶିକାର ହୋଇଥିବା ନର୍ସ ଜଣଙ୍କ ହେଲେ ସବିତା ମଣି ଜେନା। ସେ ଭଦ୍ରକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରନ୍ତି। ଆଜି ସକାଳ ପ୍ରାୟ ୯ଟା ୩୦ରେ ଟ୍ରେଜେରୀ କଲୋନୀ ବାସଭବନରୁ ଚାଲି ଚାଲି ମେଡିକାଲ ଛକକୁ ଯାଉଥିଲେ। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବାଇକ୍ରେ ଆସି ନିଜକୁ ସୋର ଥାନାର ପୁଲିସ୍ ବୋଲି ପରିଚୟ ଦେଇଥିଲେ। ଏହାସହ ଏତେ ଟଙ୍କାର ଗହଣା କାହିଁକି ପିନ୍ଧିଛ, ବ୍ୟାଗରେ ରଖିଦିଅ ବୋଲି କହିଥିଲେ। ସେମାନଙ୍କ କଥା ଶୁଣିବା ପରେ ସବିତା ବେକରୁ ଚେନ୍ ବାହାର କରି ବ୍ୟାଗ୍ରେ ରଖିବା ସମୟରେ ସେମାନ ଝାମ୍ପି ଫେରାର ହୋଇଯାଇଥିଲେ।