ଖୋଲିଲା ପୋଲ୍‌: ଗୋଟିଏ ପଲସରରେ ବଲାଙ୍ଗିର ବୁଲିବାକୁ ଯାଇଥିଲେ ୨୫ ଚାଷୀ

କୃଷ୍ଣପ୍ରସାଦ (ଶକ୍ତିପ୍ରସାଦ ମହାପାତ୍ର): ଗୋଟିଏ ପଲସ୍‌ରରେ କେତେ ଜଣ ବସି ଯାଇ ପାରିବେ? ଅତି ବେଶୀରେ ଦୁଇ ଜଣ ବସି ପାରିବେ। ହେଲେ ଆମ ସରକାରୀ ବ୍ୟବସ୍ଥା କିନ୍ତୁ ଗୋଟିଏ ବାଇକ୍‌ରେ ୨୫ ଜଣ ଚାଷୀଙ୍କୁ ବସାଇ ୧୨୫୦ କିଲୋମିଟର ବାଟ ବୁଲାଇ ପାରିଛି। ପଲ୍‌ସରକୁ ବସ୍‌ ଦର୍ଶାଇ ଚାଷୀଙ୍କ ନାଁରେ ଏପରି ହରିଲୁଟ୍‌ ହୋଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ। ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ) ବଳରେ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। […]

Khurda

  • Published: Thursday, 20 October 2022
  • , Updated: 20 October 2022, 09:37 PM IST

କୃଷ୍ଣପ୍ରସାଦ (ଶକ୍ତିପ୍ରସାଦ ମହାପାତ୍ର): ଗୋଟିଏ ପଲସ୍‌ରରେ କେତେ ଜଣ ବସି ଯାଇ ପାରିବେ? ଅତି ବେଶୀରେ ଦୁଇ ଜଣ ବସି ପାରିବେ। ହେଲେ ଆମ ସରକାରୀ ବ୍ୟବସ୍ଥା କିନ୍ତୁ ଗୋଟିଏ ବାଇକ୍‌ରେ ୨୫ ଜଣ ଚାଷୀଙ୍କୁ ବସାଇ ୧୨୫୦ କିଲୋମିଟର ବାଟ ବୁଲାଇ ପାରିଛି। ପଲ୍‌ସରକୁ ବସ୍‌ ଦର୍ଶାଇ ଚାଷୀଙ୍କ ନାଁରେ ଏପରି ହରିଲୁଟ୍‌ ହୋଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ। ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ) ବଳରେ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ନେଇ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।

ଆର୍‌ଟିଆଇ ତଥ୍ୟ ଅନୁଯାୟୀ, ୨୦୧୭ ଆର୍ଥକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲା ‘ଆତ୍ମା’ ପକ୍ଷରୁ ବାଣପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସିଥିଲା ଲକ୍ଷେ ୩୦ ହଜାର ଟଙ୍କା। ସେଥିରୁ ୩୦ ହଜାର ଟଙ୍କାରେ ୧୦୦ ଜଣ ଚାଷୀ ରାଜ୍ୟସ୍ତରୀୟ କୃଷିମେଳା ପରିଦର୍ଶନ କରିବା ପାଇଁ ଯାଇଥିଲେ। ୫୦ ହଜାର ଟଙ୍କାରେ ବଲାଙ୍ଗିର ବୁଲିଗଲେ ୨୫ ଚାଷୀ। ବାକି ୫୦ ହଜାର ଟଙ୍କାରେ ଅନୁଗୋଳ, ଢେଙ୍କାନାଳ ଓ ଫୁଲବାଣୀ ଗଲେ ଆଉ ୨୫ ଚାଷୀ।

ସେପ୍ଟେମ୍ବର ୭ରୁ ୧୧ ତାରିଖରେ ବଲାଙ୍ଗିର ବୁଲିବାକୁ ଯାଇଥିବା ୨୫ ଚାଷୀମାନେ OD02J 7415  ନାମକ ବସ୍‌ରେ ଯାଇଥିଲେ। ସେଥିପାଇଁ କିଲୋମିଟର ପିଛା ୨୮ ଟଙ୍କା ହିସାବରେ ୧୨୫୦ କିଲୋମିଟରକୁ ବାଲୁଗାଁ ଗୋପୀନାଥପୁର ଛକରେ ଥିବା ବୁବୁ ଟ୍ରାଭେଲ ଆଣ୍ଡ କମ୍ୟୁନିକେସନକୁ ୩୫ ହଜାର ଟଙ୍କାର ବସ୍‌ ଭଡ଼ା ଦିଆଯାଇଛି। ହେଲେ କୌତୁହଳର କଥା ହେଉଛି ବସ୍‌ରେ ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍‌। ଆଉ ଯେଉଁ ଟ୍ରାଭେଲ୍ସ ନାଁରେ ବିଲ୍‌ ହୋଇଛି, ତା’ର ମଧ୍ୟ ଖଣ୍ଡମଣ୍ଡଳରେ ଅସ୍ତିତ୍ୱ ନାହିଁ ବୋଲି ଆର୍‌ଟିଆଇ କର୍ମୀ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି।

ଏହା ପୂର୍ବରୁ ଅର୍ଥାତ ୨୦୧୬ ଆର୍ଥକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଆସିଥିଲା ୩୦ ହଜାର ଟଙ୍କା। ଯେଉଁ ଟଙ୍କାରେ ୧୦୦ ଚାଷୀ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷିମେଳା ବୁଲିବାକୁ ଯାଇଥିଲେ। ସେ ଭିତରେ ଲିଷ୍ଟରେ ରହିଛନ୍ତି ନନ୍ଦପୁର ପଞ୍ଚାୟତ ନନ୍ଦପୁର ଗାଁର ରମେଶ ଚନ୍ଦ୍ର  ପଣ୍ଡା। ତାଙ୍କ ପିତା ହେଉଛନ୍ତି ଭାଗିରଥୀ ପଣ୍ଡା। ହେଲେ ସେ କହିଛନ୍ତି, “ମୁଁ ସବୁବେଳେ ଚାଷରେ ଲିପ୍ତ ରହେ। ଆତ୍ମା ସହଯୋଗରେ ସାମୁହିକ ଭାବେ କେବେ ବୁଲିବାକୁ ଯାଇନାହିଁ।”

ରମେଶ ଜିଲ୍ଲାସ୍ତରୀୟ କୃଷିମେଳା ବୁଲିବାକୁ ନଯାଇ ତାଲିକାରେ ତାଙ୍କ ନାଁ ରହିଛି। ରମେଶଙ୍କ ପରି ସେହି ତାଲିକାରେ ଥିବା ଆଉ କିଛି ନାଁ ଦେଖିଲେ ମୁଣ୍ଡ ଘୁରେଇ ଦେବ। ବୁଲିବାକୁ ଯାଇଥିବା ଚାଷୀଙ୍କ ଭିତରୁ ୧୧ ଜଣଙ୍କ ବାପା ଜଣିଏ। ସେ ହେଉଛନ୍ତି ଭାଗିରଥୀ ପଣ୍ଡା। ହେଲେ ରମେଶଙ୍କର ବାକି ୧୦ ଭାଇ ଭିତରୁ କାହାର ଟାଇଟେଲ୍‌ ଜାନୀ, ଭୋଇ, ନାୟକ, ଷଡ଼ଙ୍ଗୀ ଏମିତି କେତେ କ’ଣ ଲେଖାଯାଇଛି।

ବାଣପୁର ବ୍ଲକ୍‌ରେ ଏସବୁ ଭୂତ ଭ୍ରମଣ ହୋଇଛି, ସେତେବଳର ସହକାରୀ କୃଷି ଅଧିକାରୀ ମୋନାଲିସା ମିଶ୍ରଙ୍କ ଅମଳରେ। ହେଲେ ତାଙ୍କ ସମୟର ଏ ଆଖିବୁଜା ଦୁର୍ନୀତି ନେଇ ମୋନାଲିସାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବର୍ତ୍ତମାନର କୃଷି ଅଧିକାରୀ ଡ. ଅଜୟ କୁମାର କର। ସେ କହିଛନ୍ତି ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯିବ।

Related story