ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତାରେ ଯାଉଥିବା ଜଣେ ମହିଳା ପୁଲିସ୍ ଏସଆଇଙ୍କ ଗାଡ଼ିକୁ ପିଛା କରି ଆକ୍ରମଣ କରିବାକୁ ଉଦ୍ୟମ କରିବା ଘଟଣାରେ ୩ ଜଣଙ୍କୁ ବାନ୍ଧିଛି ପୁଲିସ୍। ସେମାନେ ହେଲେ ଚକ, ଅରୁ ଓ ପଦିଆ। ପୁଲିସ୍ ଘଟଣା ଦିନ ବ୍ୟବହାର ହୋଇଥିବା ଇନୋଭା ଗାଡ଼ିକୁ ଜବତ କରିଥିବା ବେଳେ ସେମାନଙ୍କ ନିକଟରୁ କିନ୍ତୁ କୌଣସି ମାରଣାସ୍ତ୍ର ମିଳି ନ ଥିବା ଜଣାଯାଇଛି।
ଗିରଫ ୩ ଅଭିଯୁକ୍ତ ପେସାରେ ଡ୍ରାଇଭର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣକୁ ସାତପଡ଼ାରୁ, ଜଣଙ୍କୁ ଜଗତପୁର ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ୍। ଏନେଇ ମହିଳା ଏସ୍ଆଇ ଜଣକ ଅଭିଯୋଗ କରିବା ପରେ ପୁଲିସ୍ ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରିଥିଲା। ଏହି ଯାଞ୍ଚକୁ ଆଧାର କରି ପୁଲିସ୍ ଘଟଣା ଦିନ ରାତିରେ OD13C8787 ନଂ ବିଶିଷ୍ଟ ଗାଡ଼ି ସାଇନ୍ସ ପାର୍କ ଅଞ୍ଚଳରେ ଯାତାୟତ କରୁଥିବା ଜାଣିବାକୁ ପାଇଥିଲା।
[caption id="attachment_794681" align="aligncenter" width="650"] ମହିଳା ଏସ୍ଆଇଙ୍କ ଗାଡ଼ିକୁ ପିଛା କରୁଥିବା ଇନୋଭା ଗାଡ଼ି ।[/caption]
ତଦନ୍ତରୁ ଉକ୍ତ ଗାଡ଼ିଟି ଚକଙ୍କର ବୋଲି ଜଣାପଡ଼ିଥିବା ବେଳେ ସେ ସାଇନ୍ସ ପାର୍କ ପଛରେ ଥିବା ବସ୍ତିରେ ରହୁଥିବା ଜାଣିବାକୁ ପାଇଥିଲେ। ଏହାପରେ ପୁଲିସ୍ ତାଙ୍କର ୨ ସହଯୋଗୀ ଅରୁ ଓ ପଦିଆଙ୍କୁ ଗିରଫ କରିଛି। ସେମାନଙ୍କ ଘର ଶହୀଦ ନଗର ଥାନା ଅଧୀନ ଆନନ୍ଦ ବଜାର ବସ୍ତିରେ ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନୂଆ ବର୍ଷ ରାତିରେ ଏହି ୩ ଅଭିଯୁକ୍ତ ଏକ ପାର୍ଟିରେ ଯୋଗ ଦେଇ ଏକ ଇନୋଭା ଗାଡ଼ିରେ ଫେରୁଥିବା ବେଳେ ସାଇନ୍ସ ପାର୍କ ନିକଟରେ ମହିଳା ଏସ୍ଆଇ ଶୁଭଶ୍ରୀ ନାୟକଙ୍କ କାର୍ ସହ ସାମନାସାମନି ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ୩ ଅଭିଯୁକ୍ତ ଏସ୍ଆଇଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ିକୁ ପିଛା କରି ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।
ପ୍ରାଣ ବିକଳରେ ଏସ୍ଆଇ ଜଣକ ରିଜର୍ଭ ଗ୍ରାଉଣ୍ଡ ଭିତରେ ଗାଡ଼ିକୁ ପଶାଇ ଦେଇ ନିଜ ଜୀବନ ବଞ୍ଚାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗରେ ପୁଲିସ୍ ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଥିଲା। ଏହା ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଘଟଣା ସମୟରେ ଏହି ୩ ଅଭିଯୁକ୍ତ ନିଶାସକ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।
ତେବେ ବର୍ଦ୍ଦିରେ ଥିବା ଜଣେ ମହିଳା ପୁଲିସ୍ ରାଜଧାନୀ ରାଜରାସ୍ତାରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ବେଳେ ସାଧାରଣ ଲୋକେ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।