କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଦେବଗଞ୍ଜର ଗାଁରେ ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ ଲେଖାଏଁ ହୋଇଥିବା ବେଳେ ଜଣଙ୍କୁ ୯ ବର୍ଷ ହୋଇଥିଲା।
ଗତକାଲି ଅପରାହ୍ନରେ ପିଜୁଳି ଖାଇବାକୁ କହି ଘରୁ ବାହାରି ଯାଇଥିଲେ ଏହି ତିନି ସାଙ୍ଗ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କୌଣସି ପତ୍ତା ନ ପାଇବାରୁ ନନ୍ଦପୁର ଥାନାରେ ଏତଲା ଦେଇଥିଲେ।
ଆଜି ଘରଠାରୁ ୧ କିମି ଦୂର ଏକ ପୋଖରୀରେ ଚପଲ ଭାସୁଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।