ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜେବି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଛାତ୍ରମାନେ ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ର। ତେବେ ଏହି ଘଟଣାରେ ଅଟକ ଥିବା ଜଣେ ନାବାଳକକୁ ସୁଧାର ଗୃହକୁ ପଠାଇଛି ପୁଲିସ।
ଗତକାଲି କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ମାଡ଼ ମାରିଥିଲେ। କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବାର ଭିଡିଓ ଭାଇରାଲ ହୋଇଥିଲା । । ଭିଡ଼ିଓରେ କିଛି ଛାତ୍ର ୟୁନିଫର୍ମରେ ଥିବା ବେଳେ କିଛି ବିନା ୟୁନିଫର୍ମରେ ଥିଲେ। ଏହି ମାମଲାରେ ଯୁକ୍ତ ୨ କଳା ବିଭାଗର ଦ୍ୱିତୀୟ ବର୍ଷର ୪ ଛାତ୍ରଙ୍କୁ ବଡ଼ଗଡ଼ ଥାନାରେ ପୁଲିସ ଅଟକ ରଖିଥିଲା। ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରାଯାଇଥିଲା ବେଳେ ଆଉ ଜଣେ ଛାତ୍ରଙ୍କୁ ସୁଧାର ଗୃହକୁ ପଠାଯାଇଛି।
ଏନେଇ କଲେଜ ଅଧ୍ୟକ୍ଷ କହିଥିଲେ, ପିଲାମାନଙ୍କୁ ବୁଝାଯାଇଛି। ଆଗକୁ ଏଭଳି ଘଟଣା ଯେଭଳି ନଘଟିବ, ସେନେଇ ସେମାନଙ୍କଠାରୁ ଅଣ୍ଡରଟେକିଂ ନିଆଯିବ।