ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶ ତଥା ରାଜ୍ୟ ପାଇଁ କର୍ତ୍ତବ୍ୟ ସବୁବେଳେ ପ୍ରଥମ। ବ୍ୟକ୍ତିଗତ ସୁଖ, ସୁବିଧା ତଥା ପରିବାର ପରେ। ନିଜ ସ୍ୱାର୍ଥକୁ ପଛରେ ପକାଇ କର୍ତ୍ତବ୍ୟକୁ ପ୍ରଥମ ବୋଲି କହି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଜ୍ୟ ପୁଲିସର ୩ ଅଫିସର।
କରୋନା ପରି ମହାମାରୀ ସହ ମାନବ ଜାତିର ଚାଲିଥିବା ସଂଗ୍ରାମରେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୁଲିସ କର୍ମଚାରୀ । କେଉଁଠି ବାଡ଼ି ଦେଖାଇ ଆକଟ କରୁଛନ୍ତି ତ କେଉଁଠି ସଚେତନତା ମାଧ୍ୟମରେ ଲୋକଙ୍କୁ କରୋନା ପରି ମହାମାରୀର ଭୟାବହତା ସମ୍ପର୍କରେ ବୁଝାଉଛନ୍ତି ।ଏଥିଯୋଗୁ ସେମାନେ ନିଜ ପରିବାରକୁ ମଧ୍ୟ ସମୟ ଦେଇ ପାରୁନାହାନ୍ତି ।
କେଉଁଠି ନିଜ ଛୋଟ ଛୁଆକୁ ଛାଡ଼ି ମା କର୍ତ୍ତବ୍ୟକୁ ପ୍ରାଥମିକତା ଦେଉଛି ତ କେଉଁଠି ପୁଅ ନିଜ ବୁଢା ବାପାକୁ ଦେଖିବାକୁ ଯାଇପାରୁନି । ରାଜ୍ୟ ଉପରକୁ ଆସିଥିବା ଏପରି ଘଡିସନ୍ଧି ସମୟରେ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ନିଜ ବିବାହ ମଧ୍ୟ ଘୁଞ୍ଚାଇ ଦେଉଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସରେ କାର୍ଯ୍ୟରତ ଅନ୍ତର୍ଯ୍ୟାମି ବିଶ୍ୱାଳ କର୍ତ୍ତବ୍ୟକୁ ପ୍ରଥମ ଗୁରୁତ୍ୱ ଦେଇ ନିଜ ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଛନ୍ତି । ଚଳିତ ମାସ ୧୭ ତାରିଖରେ ତାଙ୍କର ବାହାଘର ହେବାର ଥିଲା ।
ତେବେ ବର୍ତ୍ତମାନ କରୋନା ଭଳି କଠିନ ସ୍ଥିତିରେ ରାଜ୍ୟବାସୀ ସଂଘର୍ଷ କରୁଥିବାବେଳେ ଲୋକଙ୍କ ସେବାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସାମାଜିକ ଦୂରତ୍ୱ ନିୟମକୁ ପାଳନ କରି ସେ ତାଙ୍କ ବିବାହ ଉତ୍ସବ ଘୁଞ୍ଚାଇ ଦେଇଛନ୍ତି ।
ସେହିପରି ରାୟଗଡ଼ା ଜିଲ୍ଲାର ମହିଳା ପୁଲିସ ଏସଆଇ ଜୟସ୍ମିତା ବେହେରାଙ୍କ ବିବାହ ଆସନ୍ତା ୨୭ ତାରିଖରେ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା ।ତେବେ କରୋନା ସ୍ଥିତିକୁ ନେଇ ସେ ମଧ୍ୟ ତାଙ୍କର ବିବାହ ଘୁଞ୍ଚାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ।
ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଅନ୍ୟ ଜଣେ ପୁଲିସ ଏସ୍ଆଇ ହେଉଛନ୍ତି ମାନସ କୁମାର ସାହୁ । ଆସନ୍ତା ୨୬ ତାରିଖରେ ତାଙ୍କର ବିବାହ ତାରିଖ ଠିକ୍ ହୋଇଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ତାଙ୍କର ଗୁରୁ ଦାୟିତ୍ୱ ବୋଲି ସେ କହିଛନ୍ତି । ଏଥିପାଇଁ ସେମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।